ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ନବୀନଙ୍କୁ ଅନୁରୋଧ କଲେ ନୀତିଶ

Published By : Prameya-News7 Bureau | August 07, 2018 IST

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଏନ୍ଡ଼ିଏ ସମର୍ଥନ କରୁଥିବା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଲୋଚନା କରିଛନ୍ତି | ଏ ସଂକ୍ରାନ୍ତରେ ବିଜେଡି ମୁଖପାତ୍ର ସସ୍ମିତା ପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ଅଗଷ୍ଟ ୯ ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ | ତେଣୁ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେବା ପାଇଁ ନବୀନ ପଟ୍ଟନାୟକଙ୍କୁ ନୀତିଶ ଅନୁରୋଧ କରିଛନ୍ତି | ତେବେ ନବୀନ କଣ ନିଷ୍ପତ୍ତି ନେଲେ ବା କଣ ପ୍ରତିଶୃତି ନୀତିଶଙ୍କୁ ଦେଲେ ତାହା ଜଣାପଡିନାହିଁ | ପି.ଏ.ସାଙ୍ଗମା ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ବେଳେ ନବୀନ ପଟ୍ଟନାୟକ ଜେଡିୟୁର ସମର୍ଥନ ପାଇଁ ନୀତିଶଙ୍କୁ ଅନୁରୋଧ କରିଥିଲେ | ତେଣୁ ନୀତିଶଙ୍କ ଅନୁରୋଧକୁ ମଧ୍ୟ ନବୀନ ରକ୍ଷା କରିପାରନ୍ତି ବୋଲି ଆଲୋଚନା ହୋଇଛି | ପି.କେ.କ୍ୟୁରିଅନଙ୍କ ରାଜ୍ୟସଭାରୁ କାର୍ଯ୍ୟକାଳ ସରିବା ପରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ଖାଲି ପଡିଛି | ଏହି ପଦବୀ ପାଇଁ କିଛି ଦିନ ତଳେ ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା | ଏନ୍ଡ଼ିଏ ପ୍ରାର୍ଥୀଙ୍କୁ ନବୀନ ସମର୍ଥ ପ୍ରଦାନ କରିବେ କି ନକରିବେ ତା' ଉପରେ ମଧ୍ୟ ରାଜ୍ୟର ଅନ୍ୟ ରାଜନୈତିକ ଦଳ ତୀକ୍ଷଣ ନଜର ରଖିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.