‘ମୋ ବାପାଙ୍କୁ ଅପମାନିତ କରିଛନ୍ତି, ସେଥିପାଇଁ ମୁଁ ତାଙ୍କଠୁ ଅଲଗା ହେଲି’: ନୀତିଶଙ୍କ ବିରୋଧରେ ନଡ୍ଡାଙ୍କୁ ଚିରାଗଙ୍କ ଚିଠି

Published By : Prameya-News7 Bureau | October 10, 2020 IST

ନୂଆଦିଲ୍ଲୀ ୧୦/୧୦: କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି(ଏଲଜେପି) ନେତା ରାମ ବିଳାସ ପାଶଓ୍ବାନଙ୍କ ନିଧନରେ ଦେଶରେ ଶୋକ ଖେଳିଯାଇଥିବା ବେଳେ ବିହାର ରାଜନୀତି କିନ୍ତୁ ସରଗରମ ହୋଇଛି। ଦିବଂଗତ ନେତା ରାମ ବିଳାସ ପାଶଓ୍ବାନଙ୍କ ଦେହାନ୍ତ ପରେ ତାଙ୍କ ପୁଅ ତଥା ଲୋଜପା ନେତା ଚିରାଗ ପାଶଓ୍ବାନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କରିଥିବା ଟାର୍ଗେଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଚିରାଗ ପାଶଓ୍ବାନ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଳେଖିଥିବା ଏକ ଚିଠି ଲିକ୍ ହେବା ପରେ ମାମଲା ସାମ୍ନାକୁ ଆସିଛି।

ବିଭିନ୍ନ ସମୟରେ ନୀତିଶ କୁମାର ତାଙ୍କ ବାପା ରାମ ବିଳାସଙ୍କୁ ଅପମାନ କରିଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ଚିରାଗ। ତତ୍କାଳୀନ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପି-ଜେଡିୟୁ ମଧ୍ୟରେ ସିଟ୍‌ ଭାଗବଣ୍ଟା ନେଇ ବୈଠକରେ ରାମ ବିଳାସ ଉପସ୍ଥିତ ଥିଲେ। ସେତେବେଳେ ରାଜ୍ୟସଭା ନିର୍ବାଚନ ପାଇଁ ରାମ ବିଳାସଙ୍କ ନାମରେ ସହମତି ପ୍ରକାଶ କରିଥିଲେ। କିନ୍ତୁ ଠିକ୍ ନିର୍ବାଚନ ପୂର୍ବରୁ ନିଜ କଥାରୁ ଓହରି ଯାଇଥିଲେ ନୀତିଶ କୁମାର । ବୈଠକରେ ନୀତିଶ କୁମାରଙ୍କ ବ୍ୟବହାର ଅପମାନଜନକ ଥିଲା ବୋଲି ଚିଠିରେ ଲେଖିଛନ୍ତି ଚିରାଗ ପାଶଓ୍ବାନ ।

{"id":341893,"sizeSlug":"large"}

ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ପରବର୍ତ୍ତୀ ସମୟରେ ରାମ ବିଳାସ ଯେତେବେଳେ ନୀତିଶ କୁମାରଙ୍କୁ ବୁଝାଇବାକୁ ଯାଇଥିଲେ ସେ ଅନିଚ୍ଛା ଭାବ ପ୍ରକାଶ କରି ସମର୍ଥନ ଜଣାଇଥିଲେ। ପାର୍ଟି ସଂସ୍ଥାପକ ରାମ ବିଳାସ ପାଶଓ୍ବାନଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ ବ୍ୟବହାର କରିଛନ୍ତି ସେଥିପାଇଁ ଏଲ୍‌ଜେପି ନେତା ମର୍ମାହତ ହେବା ସହ କ୍ରୋଧ ଜାହିର କରିଛନ୍ତି।’

ଚିରାଗ ପାଶଓ୍ବାନ ନିଜ ପତ୍ରରେ ନରେନ୍ଦ୍ର ମୋଦିଙ୍କ ପ୍ରାଂସଶା କରିବା ସହ ରାମ ବିଳାସ ପାଶଓ୍ବାନ ରୋଗରେ ପଡ଼ିଥିବା ବେଳେ ନୀତିଶ କୁମାର କିଭଳି ହୀନ ରାଜନୀତି ଚଳାଇଥିଲେ ସେନେଇ ଉଲ୍ଲେଖ କରିଛନ୍ତି। ପ୍ରତି ମୁହୂର୍ତ୍ତର ରାମ ବିଳାସଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ନରେନ୍ଦ୍ର ମୋଦି ପଚାରି ବୁଝିଥିଲେ।  କିନ୍ତୁ ଥରେ ହେଲେ ବି ରାମ ବିଳାସଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ନବୁଝିବା ନୀତିଶ କୁମାରଙ୍କ ଅସମ୍ବେଦନଶୀଳତାକୁ ପଦାରେ ପକାଇଛି ବୋଲି ସେ ଲେଖିଛନ୍ତି।  

ଏହାସହ ଏଲଜେପି ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ଅଭିଯୋଗ କରିଛନ୍ତି ଯେ, ‘ଜଣେ ଏଲଜେପି ବିଧାୟକଙ୍କ ସରକାରରେ ସାମିଲ ହେବା ଅନୁରୋଧକୁ ନୀତିଶ କୁମାର ଖାରଜ କରିଦେଇଛନ୍ତି। ଏନେଇ ନୀତଶ କୁମାରଙ୍କୁ କହିବାରୁ ଯଦି ଆମ ପରିବାରର କେହି ଲୋଜପାର ନେତା ହୋଇଥାନ୍ତେ ତ ମନ୍ତ୍ରୀ କରିଥାନ୍ତି ବୋଲି ସେ କହିଥିଲେ।’

କେମିତି ତାଙ୍କୁ କାଳିଦାସଙ୍କ ସହ ତୁଳନା କରାଗଲା ଓ ଜେଡିୟୁ ନେତାଙ୍କ ଦ୍ବାରା ତାଙ୍କୁ ଧମକ ଦିଆଗଲା ସେନେଇ ଲେଖିଛନ୍ତି ଚିରାଗ। ଏଥିପାଇଁ ଏଲଜେପି ନେତା କ୍ରୋଧ ପ୍ରକାଶ କରିଛନ୍ତି। ତେଣୁ ଆମେ ଅଲଗା ରାସ୍ତାରେ ଯିବାକୁ ସ୍ଥିର କରିଛୁ। କିନ୍ତୁ ମୋର ଗୋଟିଏ ବି ନିଷ୍ପତ୍ତି ବିଜେପି ବିରୋଧରେ ହେବ ନାହିଁ ବୋଲି ଚିଠି ମାଧ୍ୟମରେ ପ୍ରତିଶ୍ରୁତି ଦେଇଛନ୍ତି ଚିରାଗ ପାଶଓ୍ବାନ।

ସୂଚନାଯୋଗ୍ୟ, ରାମ ବିଳାସ ପାଶଓ୍ବାନଙ୍କ ନିଧନ ହେବା ଓ ପରେ ଚିରାଗଙ୍କ ଚିଠି ଲିକ୍‌ ହେବା ନୀତିଶ କୁମାରଙ୍କୁ ଅଡ଼ୁଆରେ ପକାଇବ। ଏବେ ବିହାରରେ ନିର୍ବାଚନ ହେବାର ଅଛି। ଏହି ସମୟରେ ଜଣେ ବଡ଼ ନେତାଙ୍କ ଦେହାନ୍ତ ହୋଇଯିବା ଏହାସହ ନୀତିଶ କୁମାରଙ୍କ ଅସମ୍ବେଦନଶୀଳତା ପଦାରେ ପଡ଼ିବା ଜେଡିୟୁ ପାଇଁ ଘାଟା ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.