ବିଜେପିକୁ ଟାର୍ଗେଟ୍ କଲେ ନୀତିଶ, କହିଲେ- ‘ମିତ୍ର କିଏ ଓ ଶତ୍ରୁ କିଏ ଜାଣିହେଲା ନାହିଁ’
10/01/2021 at 8:08 AM

ପାଟନା, ୧୦|୦୧: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଜେଡିୟୁର କାର୍ଯ୍ୟକ୍ରମରେ ଏକ ବଡ ଗୁମର ଫିଟାଇଛନ୍ତି । ୨ ଦିନ ଧରି ଚାଲିଥିବା ଜେଡିୟୁ ରାଜ୍ୟ କାର୍ଯ୍ୟକାରିଣୀର ପ୍ରଥମ ଦିନରେ ସେ ଉପସ୍ଥିତ କର୍ମୀଙ୍କୁ ସମ୍ବୋଧନ କରିଥିଲେ । ନିର୍ବାଚନ ବେଳେ ତାଙ୍କ ବନ୍ଧୁ କିଏ ଓ ଶତ୍ରୁ କିଏ ସେ ଜାଣିପାରି ନଥିବା ଏହି ସମ୍ବୋଧନ ବେଳେ ସେ କହିଛନ୍ତି ।
ଗତ କିଛି ଦିନ ହେବ ବିହାର ରାଜନୀତିରେ ବିଜେପି ଓ ଜେଡିୟୁ ମଧ୍ୟରେ ମତାନ୍ତର ଓ ମନାନ୍ତର ସୃଷ୍ଟି ହୋଇଛି । ନୀତିଶଙ୍କ ଏହି ବୟାନ ବିଜେପିକୁ ଟାର୍ଗେଟ୍ କରି କୁହାଯାଇଥିବା ଆଲୋଚନା ହେଉଛି । କାରଣ ବୈଠକରେ ଅନେକ ନିର୍ବାଚନ ହାରିଥିବା ନେତା ବିଜେପି ଉପରେ ଦୋଷ ଲଦିଥିଲେ । ସେମାନେ ଏଲଜେପି ନୁହେଁ ବରଂ ବିଜେପି ପାଇଁ ନିର୍ବାଚନ ହାରିଥିବା କହିଥିଲେ ।
ବୈଠକରେ ଯେଉଁ ଜେଡିୟୁ ନେତାମାନେ ପରାଜୟ ପାଇଁ ବିଜେପିକୁ ଦାୟୀ କରିଥିଲେ, ସେମାନଙ୍କ ମଧ୍ୟରେ ଚନ୍ଦ୍ରିକା ରାୟ, ବୋଗୋ ସିଂ, ଜୟ କୁମାର ସିଂ, ଲଲନ ପାଶଓ୍ୱାନ, ଅରୁଣ ମାଝୀ, ଅସମା ପରଓ୍ୱିନ୍ ରହିଛନ୍ତି । ଏହି ନେତାମାନେ ସିଧାସଳଖ ପରାଜୟ ପାଇଁ ବିଜେପିକୁ ଦୋଷ ଦେଇଛନ୍ତି ।
ବୈଠକରେ ଅନେକ ଜେଡିୟୁ ନେତା ବିଜେପି ଉପରେ ବର୍ଷିଥିଲେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରସିପି ସିଂ ସମସ୍ତଙ୍କ କଥା ଶୁଣୁଥିଲେ । ନିର୍ବାଚନର ୫ ମାସ ପୂର୍ବରୁ ସମସ୍ତ ପ୍ରସଙ୍ଗରେ ଏନଡିଏ ସହ ଆଲୋଚନା କରିବାର ଥିଲା ବୋଲି ନୀତିଶ କହିଥିଲେ । ଜେଡିୟୁର ୪୫ ଲକ୍ଷ ସଦସ୍ୟ ରହିଛନ୍ତି । ଏହା ସତ୍ତ୍ୱେ ଦଳ ତଳସ୍ତରରେ ଭୋଟରଙ୍କ ନିକଟରେ ପହଁଚିବାରେ ବିଫଳ ହୋଇଥିବା ନୀତିଶ ବୈଠକରେ କହିଥିଲେ ।