ଶ୍ବଶୁର ଘରେ ବୁଲଡୋଜର ଚଳାଇ ଥିଲେ ଗଡକରୀ, ଏମିତି ରହିଛି କାରଣ

Published By : Prameya-News7 Bureau | September 16, 2021 IST

ନୂଆଦିଲ୍ଲୀ ୧୬/୦୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିଜର କାର୍ଯ୍ୟ ପାଇଁ ଜଣାଯାଆନ୍ତି । କେତେବେଳେ ସେ ମଞ୍ଚ ଉପରୁ ଅଧିକାରୀଙ୍କୁ ତାଗିଦ କରନ୍ତି ତ କେତେବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବହୁ ମଜା କଥା କୁହନ୍ତି। ଗୁରୁବାର ଗଡ଼କରୀ ଏକ କାର୍ଯ୍ୟକ୍ରମରେ କିଭଳି ନିଜ ଶ୍ବଶୁରଙ୍କ ଘର ଉପରେ ବୁଲଡୋଜର ଚଳାଇଥିଲେ ସେନେଇ କହିଛନ୍ତି । ଦେଶର ରାଜଧାନୀ ଦିଲ୍ଲୀକୁ ଆର୍ଥିକ ରାଜଧାନୀ ମୁମ୍ବାଇ ସହ ସଂଯୋଗ କରୁଥିବା ଏକ୍ସପ୍ରେସ ଓ୍ବେର ଗୁରୁବାର ଗଡ଼କରୀ ସମୀକ୍ଷା କରିଛନ୍ତି। ଏହା ପରେ ସେ ହରିୟାଣାର ସୋହନାରେ ଏକ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସମ୍ବୋଧନ କରିଛନ୍ତି।

ରାସ୍ତା ପ୍ରଶସ୍ତିକରଣରେ ବାଧକ ସାଜିଥିବା ଶ୍ବଶୁରଙ୍କ ଘରକୁ କେମିତି ବୁଲଡୋଜର ଲଗାଇ ଭାଙ୍ଗିଥିଲେ ସେ ନେଇ ଏକ ରୋଚକ କାହାଣୀ ମଧ୍ୟ ଶୁଣାଇଛନ୍ତି । ନୀତିନ ଗଡ଼କରୀ କେନ୍ଦ୍ରମନ୍ତ୍ରୀ ଇନ୍ଦ୍ରଜିତ ସିଂହଙ୍କୁ ପ୍ରଶଂସା କରିବା ସହ ନିଜ ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି, ‘ଆପଣ ଯାହା କରିଛନ୍ତି ମୁଁ ବି କରିଥିଲି। ସେତେବେଳେ ନୂଆ ନୂଆ ବାହା ଘର ହୋଇଥିଲା। ମୋ ଶ୍ବଶୁରଙ୍କ ଘର ରାସ୍ତା ଉପରେ ଥିଲା । ଏହି ଘର ରାମତେକରେ ଥିଲା । ମୁଁ ମୋ ପତ୍ନୀଙ୍କୁ ନକହି ତାଙ୍କ ଘରେ ବୁଲଡୋଜର ଚଳାଇବାକୁ ନିର୍ଦେଶ ଦେଇଥିଲି ଏବଂ ସଡ଼କ କାର୍ଯ୍ୟ ପୂରା କରିଥିଲି।’  

ରାଓ ଇନ୍ଦ୍ରଜିତ ମଧ୍ୟ ନିଜ ପତ୍ନୀଙ୍କୁ ନଜଣାଇ ଶ୍ବଶୁର ଘର ଭାଙ୍ଗିଥିବା ନେଇ ଗଡକରୀ କହିଛନ୍ତି। ଜବରଦଖଲକୁ ସମର୍ଥନ କରି ପାପ କରିବା ଉଚିତ ନୁହେଁ ବୋଲି ମଧ୍ୟ ମଞ୍ଚରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି, ସୁବିଧା ପାଇବାକୁ ହେଲେ ଟଙ୍କା ଦେବାକୁ ପଡ଼ିବ । ସେମିତି ବିବାହ ତ ଖୋଲା ପଡ଼ିଆରେ ହୋଇପାରିବ। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ ଓ୍ବେ ପାଇଁ ମନ୍ତ୍ରାଳୟର ବଜେଟ ଲକ୍ଷେ କୋଟି ଟଙ୍କା କିନ୍ତୁ ଏଥିପାଇଁ ୧୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି। ନିବେଶକଙ୍କ ପାଖରୁ ଟଙ୍କା ଆସିଛି ମାନେ ପରିଶୋଧ କରିବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.