କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଗସ୍ତ: କ’ଣ କ’ଣ ଶିଳାନ୍ୟାସ ଏବଂ ଉଦଘାଟନ କଲେ ଓ କହିଲେ ଜାଣନ୍ତୁ …
6/02/2019 at 7:44 PM

ଭୁବନେଶ୍ବର ୬|୨: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିଶାନାରେ ଓଡ଼ିଶା । ଜାତୀୟ ରାଜନୈତିକ ଦଳର ବରିଷ୍ଠ ନେତାମାନଙ୍କ ଘନ ଘନ ଗସ୍ତ ସହ ଦଳୀୟ ସମାବେଶରେ ଦେଉଛନ୍ତି ପୁଳା ପୁଲା ପ୍ରତିଶ୍ରୃତି । ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପାରାଦୀପ ବନ୍ଦରରେ ଆଇଓସିଏଲର ତୈଳ ବିଶୋଧାନଗାରରେ ପଲିପ୍ରପଲିନ୍ ପ୍ରକଳ୍ପ ଉଦଘାଟନ କରିଛନ୍ତି ଗଡକରୀ ।

ବିକାଶର ଚିତ୍ର ଦେଖାଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । କାମାକ୍ଷାନଗର ଓ ପାରାଦୀପରେ ମାରାଥନ ଉଦଘାଟନ, ଶିଳାନ୍ୟାସ କରିଛନ୍ତି । କାମାକ୍ଷାନଗରରେ ୨ ହଜାର ୩୩୫ କୋଟି ଟଙ୍କାର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଡକରୀ । NH 53ର ୪ଲେନ୍ କରଣର ଶିଳାନ୍ୟାସ କରିବା ସହ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ।

ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ସରକାର ଏବଂ କଂଗ୍ରେସକୁ ସେ ସମାଲୋଚନା କରିଥିଲେ । କେନ୍ଦ୍ରୀୟ ଯୋଜନା ଓଡ଼ିଶାର ଜନତାଙ୍କ ପାଖରେ ପହଞ୍ଚିପାରୁନାହିଁ ।କେନ୍ଦ୍ର କରୁଥିବା ଯୋଜନା ରାଜ୍ୟ ସରକାର ଅଟକାଇ ଦେଉଥିବା ଗଡକରୀ କହିଛନ୍ତି ।

ସେହିପରି ପାରାଦୀପ ବନ୍ଦର ପାଇଁ ତିନିଟି ବର୍ଥର ଯାନ୍ତ୍ରିକରଣ, କୋଇଲା ଆମଦାନୀର ସୁପରିଚାଳନା ପାଇଁ ସ୍ବତନ୍ତ୍ର ବର୍ଥ ଏବଂ ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପଲିପ୍ରପଲିନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ନୀତିନ ଗଡକରୀ । ଆଗାମୀ ଦିନରେ ପାରାଦୀପ ଦେଶର ଏକ ନମ୍ବର ବନ୍ଦର ହେବ ବୋଲି କହିଛନ୍ତି ଗଡ଼କରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପାରାଦୀପ ବିଧାୟକ ଦାମୋଦର ରାଉତ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।

ରାଜ୍ୟ ସରକାର ସହଯୋଗ କଲେ ଅଧିକ ପ୍ରକଳ୍ପ ପ୍ରତିଷ୍ଠା ହୋଇପାରିବ ବୋଲି ଗଡ଼କରୀ କହିଛନ୍ତି ।ସେପଟେ କିନ୍ତୁ କେନ୍ଦ୍ରର ବିକାଶ ଗାଥାକୁ ସିଧା ସମାଲୋଚନା କରିଛନ୍ତି ବିରୋଧୀ । କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଜବାବ ରଖିଛି ବିଜେଡି ।

ଭୁବନେଶ୍ବରରେ ଭାରତ କି ମନ କୀ ବାତ୍, ମୋଦି କେ ସାଥ୍ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ଗଡ଼କରି ।