କୃଷିଋଣ ଛାଡ ପ୍ରସ୍ତାବକୁ ନୀତି ଆୟୋଗଙ୍କ ନାପସନ୍ଦ: ଏବେ କଣ କରିବ ଓଡିଶା ?

Published By : Prameya-News7 Bureau | December 20, 2018 IST

ଭୁବନେଶ୍ବର ୨୦|୧୨: କୃଷିଋଣ ଛାଡ ପ୍ରସ୍ତାବକୁ ନୀତି ଆୟୋଗଙ୍କ ନା । କୃଷିଋଣ ଛାଡ ନକରି ବରଂ କୃଷକଙ୍କ ଆୟ ୨ ଗୁଣା କରାଯାଉ । ଏହା ଦେଶର ଅର୍ଥନୀତିକୁ ଅଧିକ ଫାଇଦା ଦେବ ବୋଲି ନୀତି ଆୟୋଗ ମତ ଦେଇଛି । ହେଲେ ରାଜନୈତିକ ଦଳଗୁଡ଼ିକ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି । କୃଷିଋଣ ଛାଡ କରି ସେମାନେ ନିର୍ବାଚନୀ ସଫଳତା ଗୋଟାଇବା ଯୋଜନାରେ ଅଛନ୍ତି । ....

କୃଷକଙ୍କ ଲୋନ୍ ଛଡାଯିବା ଉଚିତ କି ନା ତାକୁ ନେଇ ସାରା ଦେଶରେ ବିତର୍କ ଚାଲିଥିବା ବେଳେ ନୀତି ଆୟୋଗଙ୍କ ନାସ୍ତିକ ବାଣି ଏହି ଚର୍ଚାକୁ ପୁଣି ଖୋରାକ ଯୋଗାଇଛି । ଆଗରୁ ରଘୁରାମ ରାଜନଙ୍କ ଭଳି ଅନେକ ଅର୍ଥନୀତିଜ୍ଞ କୃଷିଋଣ ଛାଡ ବିରୋଧରେ ମୁହଁ ଖୋଲି ସାରିଛନ୍ତି । ଏବେ ଦେଶର ଥିଙ୍କ୍ ଟ୍ୟାଙ୍କ କୁହାଯାଉଥିବା ନୀତି ଆୟୋଗ ବି ସମାନ ମତ ରଖିଲେଣି । ଋଣଛାଡ ଏକ ଦୀର୍ଘ ମିଆଦି ସମାଧାନ ନୁହେଁ ବରଂ ଏହା ଦ୍ବାରା ଦେଶ ଓ ରାଜ୍ୟର ଅର୍ଥନୀତି ଉପରେ କୁପ୍ରଭାବ ପଡିବ ବୋଲି ନୀତି ଆୟୋଗଙ୍କ ମତ ।

ରାଜନୈତିକ ଦଳଗୁଡ଼ିକ କିନ୍ତୁ ଏଭଳି ପରାମର୍ଶ ଶୁଣିବା ମୁଡରେ ନାହାଁନ୍ତି। ସବୁ ରାଜ୍ୟ ଯେଭଳି କୃଷିଋଣ ଛାଡ କରିବାକୁ କମ୍ପିଟିସନରେ ମାତିଛନ୍ତି । କୃଷକଙ୍କ ସମସ୍ୟା ସମାଧାନ ସହ କୃଷିଋଣ ଛାଡ ପ୍ରତିଶୃତି ଦେଇ କଂଗ୍ରେସ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କ୍ଷମତାକୁ ଆସିବାରେ ସବୁ ଦଳ ଏବେ କୃଷକଙ୍କ ନାଁରେ ନିର୍ବାଚନ ବୈତରଣୀ ପାର ହେବାକୁ ବ୍ୟାକୁଳ ହେଉଛନ୍ତି । ଓଡିଶାରେ ଦୁଇ ପ୍ରମୁଖ ବିରୋଧିଦଳବିଜେପି ଓ କଂଗ୍ରେସ କୃଷି ଋଣ ଛାଡ ଦାବି କରିବାପରେ ବିଜେଡି ମଧ୍ୟ ଚାପରେ ଅଛି । ଏଦିଗରେ ସରକାର ଅନୁଧ୍ୟାନ କରୁଥିବା ନେଇ ଗତ କାଲି ବି ନବୀନ ସୂଚନା ଦେଇସାରିଛନ୍ତି । ରାଜ୍ୟ ଅର୍ଥ ମନ୍ତ୍ରୀ ଯୁକ୍ତି କରିଛନ୍ତି ଯଦି ଶିଳ୍ପପତିଙ୍କର ଲକ୍ଷାଧିକ କୋଟିର ଋଣ ଛାଡ କରିବାରେ ଅସୁବିଧା ହେଉନି ତାହେଲେ କୃଷକଙ୍କ ପାଇଁ ହେଲେ ଅସୁବିଧା କଣ ଅଛି । ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରାଙ୍କ ଏଭଳି ମନ୍ତବ୍ୟରୁ ଜଣା ପଡୁଛି ରାଜ୍ୟମଧ୍ୟ କୃଷି ଋଣ ଛାଡ କରିବା ଦିଗରେ ଚିନ୍ତା କରୁଛି ।

ନୀତି ଆୟୋଗଙ୍କ ଯୁକ୍ତି, କୃଷିଋଣ ଛାଡ କଲେ ଓଡିଶା ଭଳି ଅନେକ ଗରିବ ରାଜ୍ୟରେ ମାତ୍ର ୧୦ରୁ ୧୫ ପ୍ରତିଶତ ଚାଷୀ ଉପକୃତ ହେବେ । ତେଣୁ କୃଷି ଋଣ ସିଧାସଳଖ ଛାଡ ନକରି କୃଷକଙ୍କ ରୋଜଗାର କିଭଳି ବଢିବ ସେ ଦିଗରେ ଯୋଜନା ହେବା ଦରକାର ବୋଲି ନୀତି ଆୟୋଗ କହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.