ଦିଲ୍ଲୀରେ ନିତି ଆୟୋଗର ଚତୁର୍ଥ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଆରମ୍ଭ
17/06/2018 at 9:40 AM

ଦିଲ୍ଲୀରେ ଆରମ୍ଭ ହୋଇଛି ନିତି ଆୟୋଗର ଚତୁର୍ଥ ଗଭର୍ଣ୍ଣିଂ କାଉନସିଲ୍ ବୈଠକ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥନରେ ୪ ଜଣ ଅଣ ବିଜେପି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ନିତି ଆୟୋଗ ବୈଠକରେ ଟିମ୍ ଇଣ୍ଡିଆ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ବଚ୍ଛ ଭାରତ, ଡିଜିଟାଲ୍ ଇଣ୍ଡିଆ ଏବଂ ସ୍କିଲ୍ ଡେଭଲପମେଣ୍ଟ ପାଇଁ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପ୍ରାଶାସନିକ ଅଧିକାରୀମାନେ ଯୋଗ ଦେଇଛନ୍ତି । ଉପ ରାଜ୍ୟପାଳଙ୍କ ବାସଭବନ ଆଗରେ ଧାରଣରେ ବସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗତକାଲି ଦେଖା କରିବାକୁ ଚାହିଁଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରବାବୁ ନାଇଡୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ । କିନ୍ତୁ ଉପ ରାଜ୍ୟପାଳ ଅନୀଲ ବୈଜଲ ସେମାନଙ୍କୁ ଅନୁମତି ଦେଇ ନଥିବା ବେଳେ କେନ୍ଦ୍ର ଉପରେ ବର୍ଷିଛନ୍ତି ଏହି ୪ ମୁଖ୍ୟମନ୍ତ୍ରୀ । ଏଭଳି ସ୍ଥିତିରେ କେନ୍ଦ୍ର ସଂଘୀୟ ବ୍ୟବସ୍ଥାର ଉଲ୍ଲଘଂନ କରୁଥିବା ଅଭିଯୋଗ କରିଛନ୍ତି ୪ ମୁଖ୍ୟମନ୍ତ୍ରୀ । ସେପଟେ ଦିଲ୍ଲୀରେ ପ୍ରାଶାସନିକ ଅଚଳାବସ୍ଥା ବିରୋଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଧାରଣା ସପ୍ତମ ଦନରେ ପହଞ୍ଚିଥିବା ବେଳେ ନିତି ଆୟୋଗ ବୈଠକରେ ଯୋଗ ଦେଇଛନ୍ତି ଉପ ରାଜ୍ୟପାଳ ଅନୀଲ ବୈଜଲ । ବୈଠକରେ ମିଶନ୍-୨୦୨୨ ପାଇଁ ଭିଜନ୍ ଡକ୍ୟୁମେଣ୍ଟ ଉପସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ତେବେ ନିତି ଆୟୋଗ ବୈଠକକୁ ଯାଇ ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୂଷ୍ମାନ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ଟଣା-ଓଟରା ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି ନକରିବା ଅନ୍ୟ ଏକ ପ୍ରସଙ୍ଗ । ଯେଉଁଥି ପାଇଁ ନବୀନ ବୈଠକକୁ ଯାଇ ନଥିବା କୁହାଯାଉଛି ।