Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତରେ କ୍ରୀଡ଼ାର ସୁଯୋଗକୁ ବିଶ୍ୱ ଦରବାରରେ ଉପସ୍ଥାପିତ କଲେ ନୀତା ଅମ୍ବାନୀ, ଜାଣନ୍ତୁ କ’ଣ କହିଲେ କ୍ରୀଡ଼ା ନେତୃବର୍ଗଙ୍କୁ

ଅନ୍ତର୍ଜାତୀୟ ଅଲିମ୍ପିକ୍‍ କମିଟି (ଆଇଓସି) ସଦସ୍ୟା ତଥା ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀ ଭାରତରେ କ୍ରୀଡ଼ାର ଅସୀମିତ ସୁଯୋଗର ଲାଭ ଉଠାଇବାକୁ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱସ୍ତରୀୟ ନେତୃତ୍ୱଙ୍କୁ ଆହ୍ୱାନ କରିଛନ୍ତି। ଏହା ସହ ବିଶ୍ୱର ସର୍ବକନିଷ୍ଠ ତଥା ଦ୍ରୁତ ଅଭିବୃଦ୍ଧିଶୀଳ କ୍ରୀଡ଼ା ପରିସଂସ୍ଥାରେ ସାହଭାଗୀ ହେବାକୁ ଆମନ୍ତ୍ରଣ କରିଛନ୍ତି । ଲଣ୍ଡନରେ ଅନୁଷ୍ଠିତ ସମ୍ମାନଜନକ ବିଶ୍ୱ କ୍ରୀଡ଼ା ନେତୃତ୍ୱ ସମ୍ମିଳନୀ ‘ଲିଡର୍‍ସ ୱିକ୍‍ ୨୦୧୯ ‘ଶହେ କୋଟି ସ୍ୱପ୍ନକୁ ପ୍ରେରଣା: ଭାରତରେ ସୁଯୋଗ’ ଶିର୍ଷକକୁ ନୀତା ସମ୍ବୋଧିତ କରି କ୍ରୀଡ଼ା ଜଗତରେ ଭାରତ କିପରି ବ୍ୟାପକ ପଦକ୍ଷେପ ନେଇଛି ଏବଂ ଏହାର ୧୦୦ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟାରୁ ୨୫ ବର୍ଷରୁ କମ୍‍ ବୟସ ମଧ୍ୟରେ ୬୦୦ ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ କ୍ରୀଡ଼ା ଏକ ଶକ୍ତି କେନ୍ଦ୍ର ଦିଗରେ ଅଗ୍ରସର ହେଉଥିବା ନେଇ ଏକ ଝଲକ ଉପସ୍ଥାପନ କରିଥିଲେ ।

ଶ୍ରୀମତୀ ଅମ୍ବାନୀ କହିଲେ, “୧.୩ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦେଶରେ କ୍ରୀଡ଼ାବିତ୍‍ମାନେ ଅନ୍ତର୍ଜାତୀୟ ସ୍ତରରେ ପ୍ରମୁଖ ପଦକ ବିଜେତାଙ୍କ ମଧ୍ୟରେ ନରହିବାର କୌଣସି କାରଣ ନାହିଁ । ଭାରତରେ ଆଗାମୀ ଦିନରେ ଅଲିମ୍ପିକ୍‍ ଏବଂ ଫିଫା ବିଶ୍ୱକପ୍‍ ଭଳି ପ୍ରମୁଖ ମର୍ଯ୍ୟାଦାପୂର୍ଣ୍ଣ କ୍ରୀଡ଼ା ଆୟୋଜନ କରିବାକୁ ମୋର ଆଶା ଓ ସ୍ୱପ୍ନ ରହିଛି । ‘ଭାରତର ମହାନ ସ୍ୱପ୍ନ- ଭାରତରେ ଥିବା ସୁଯୋଗ’ର ଅଂଶବିଶେଷ ହେବାକୁ ମୁଁ ସମସ୍ତଙ୍କୁ ଆମନ୍ତ୍ରଣ କରୁଛି । ଭାରତୀୟ କ୍ରୀଡ଼ାରେ ଏକ ପ୍ରଗତିଶୀଳ ଘଟଣା ଅବତାରଣ କରି ଶ୍ରୀମତୀ ଅମ୍ବାନୀ କହିଲେ, “ନୂତନ ଭାରତରେ ସୀମାହୀନ ସୁଯୋଗ ରହିଛି ଏବଂ ଏହା ଫଳରେ ଏବେ ଭାରତରେ କ୍ରୀଡ଼ା କ୍ଷେତ୍ର ସର୍ବାଧିକ ଭଲ ସମୟ ଦେଇ ଗତି କରୁଛି । ଆମେ ଭାରତରେ ଏବେ ଯେଉଁ ସମୟ ଦେଇ ଗତି କରୁଛୁ କ୍ରୀଡ଼ା କ୍ଷେତ୍ରରେ ସେଭଳି ଅଧିକ ସୁଯୋଗ ପ୍ରଦାନକାରୀ, ଉତ୍ସାହ ଦାୟକ ଏବଂ ଗତିଶୀଳ ସମୟ ଆଗରୁ କେବେ ନଥିଲା ।” ଦେଶରେ ଏକ ସୁସ୍ଥ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହନ ଦେଇଥିବାରୁ ଶ୍ରୀମତୀ ଅମ୍ବାନି ବର୍ତ୍ତମାନର ଭାରତ ସରକାରଙ୍କୁ ପ୍ରଶଂସା କରିଥିଲେ । ସରକାରଙ୍କ ‘ଖେଲୋ ଇଣ୍ଡିଆ’ ଏବଂ ‘ଫିଟ୍‍ ଇଣ୍ଡିଆ’ ଉପକ୍ରମ ସମ୍ପର୍କରେ କାର୍ଯ୍ୟକ୍ରମକୁ ନୀତା ସୂଚନା ଦେଇଥିଲେ।

ଦେଶରେ କ୍ରୀଡ଼ାର ଅର୍ଥନୈତିକ ଶକ୍ତିର ବୈଧତା ଆଇପିଏଲ୍‍ ମିଡ଼ିଆ ଅଧିକାରର ଉପଲବ୍ଧତାରେ ପ୍ରତିପାଦିତ ହୋଇଛି । ପ୍ରଥମ ୧୦ ବର୍ଷ ପାଇଁ ଏହି କ୍ରିକେଟ୍‍ ଲିଗ୍‍ର ମିଡ଼ିଆ ଅଧିକାର ୯୩୦ ନିୟୁତ ଡଲାର୍‍ ରହିଥିଲା । ଆଇପିଏଲ୍‍ ୨୦୧୮ଠାରୁ ଆରମ୍ଭ ହୋଇ ୫ ବର୍ଷ ଧରି ଏହା ୫୦୦ ପ୍ରତିଶତର ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ଭାରତକୁ ଏକ କ୍ରୀଡାପ୍ରେମୀଙ୍କ ଦେଶ ବୋଲି ନୀତା ଅମ୍ବାନୀ ଅଭିହିତ କରିଥିବା ବେଳେ ୨୦୧୯ କ୍ରିକେଟ୍‍ ବିଶ୍ୱକପ୍‍ ଫାଇନାଲ୍‍ରେ ଭାରତ ପ୍ରବେଶ କରିପାରି ନ ଥିଲେ ମଧ୍ୟ ଭାରତର ୧୬୦ ନିୟୁତ ଦର୍ଶକ ଟିଭିରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଫାଇନାଲ୍‍ ଦେଖିଥିଲେ। ଭାରତର ଘରୋଇ ମାଟିରେ କ୍ରିକେଟ ଏକ ଆବେଗ ବୋଲି ଅମ୍ବାନୀ କହିବା ସହ “ଭାବନ୍ତୁ ଭାରତ ଯଦି ଫାଇନାଲ୍‍ରେ ଖେଳି ଥାଆନ୍ତା, କ’ଣ ହୋଇ ଥାଆନ୍ତା ।”

ଅଲିମ୍ପିକ୍‍, ଫିଫା ବିଶ୍ୱକପ୍‍, ପ୍ରିମିୟର୍‍ ଲିଗ୍‍ ଭଳି ଅନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ଉପଭୋକ୍ତା ବଜାର ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ୨୦୧୮ ବର୍ଷରେ ଭାରତର ୮୦୦ ନିୟୁତ ଦର୍ଶକ ଟିଭିରେ କ୍ରୀଡ଼ା କାର୍ଯ୍ୟକ୍ରମ ଉପଭୋଗ କରିଛନ୍ତି । ଭାରତରେ ଆଇପିଏଲ୍‍ର ଲୋକପ୍ରିୟତା ଫୁଟବଲ୍‍, ହକି, ବ୍ୟାଡ୍‍ମିଣ୍ଟନ, ଭଲିବଲ୍‍, ବାସ୍କେଟ୍‍ବଲ୍‍, ରେସଲିଂ ଏବଂ କବାଡ଼ି ଭଳି ଅନେକ ପେସାଦାର ଲିଗ୍‍ କୁ  ପ୍ରୋତ୍ସାହିତ କରିଛି ।

ମୁମ୍ବଇ ଇଣ୍ଡିଆନ୍‍ କ୍ରିକେଟ୍‍ ଟିମ୍‍ର ମାଲିକ ଶ୍ରୀମତୀ ଅମ୍ବାନୀ କ୍ରୀଡ଼ାରେ ତାଙ୍କର ପ୍ରଥମ ସମ୍ପୃକ୍ତି କ୍ରିକେଟ୍‍ରୁ ହୋଇଥିବା କହିଥିଲେ। ଏହା ମୋର ଜୀବନ, ମୋର ଚିନ୍ତାଧାରା ଏବଂ ମୋର ବିଶ୍ୱ ଦର୍ଶନକୁ ବଦଳାଇ ଦେଲା । ୨୦୦୯ରେ କ୍ରିକେଟ୍‍ରେ ଅଜ୍ଞତାରୁ ମୁଁ ଏହି କ୍ରୀଡ଼ାର ସବିଶେଷ ଜାଣିବା ପର୍ଯ୍ୟନ୍ତ ପହଞ୍ଚିଛି । ଏବେ ୧୦ ବର୍ଷ ପରେ ମୁଁ ଗର୍ବର ସହ କହିପାରିବି ଯେ, ଆମେ ମୁମ୍ବଇ ଇଣ୍ଡିଆନ୍ସକୁ ଆଇପିଏଲ୍‍ର ସବୁଠାରୁ ମୂଲ୍ୟବାନ ଟିମ୍‍ରେ ପରିବର୍ତ୍ତିତ କରିପାରିଛୁ, ଯାହା ୪ଟି ଆଇପିଏଲ୍‍ ଏବଂ ଦୁଇଟି ଚମ୍ପିଆନ୍‍ ଲିଗ୍‍ ଟାଇଟଲ୍‍ ହାସଲ କରିସାରିଛି ।”

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଚେୟାରମ୍ୟାନ୍‍ ଭାବେ ଶ୍ରୀମତୀ ଅମ୍ବାନୀ ସମସ୍ତଙ୍କ ପାଇଁ ଶିକ୍ଷା ଓ କ୍ରୀଡ଼ା (ଇଏସ୍‍ଏ) ମାଧ୍ୟମରେ ଦେଶ ବ୍ୟାପୀ ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣି ପାରିଛନ୍ତି ଏବଂ ବିବିଧ କାର୍ଯ୍ୟକ୍ରମ ମାଧ୍ୟମରେ ଅବହେଳିତ ତଥା ଭିନ୍ନକ୍ଷମ ପିଲାଙ୍କ ଉତ୍ଥାନରେ ସହାୟକ ହୋଇଛନ୍ତି । ଶ୍ରମୀତୀ ଅମ୍ବାନୀ କହିଲେ, “ସ୍କୁଲ ଏବଂ କଲେଜ ପାଇଁ ଆମର ଆର୍‍ଏଫ୍‍ ଯୁବ କ୍ରୀଡ଼ା କାର୍ଯ୍ୟକ୍ରମ ୯ ନିୟୁତ ପିଲାଙ୍କ ପାଖରେ ପହଞ୍ଚିଛି । ରିଲାଏନ୍ସ ଫାଉଣ୍ଡେସନ ଜୁନିୟର୍‍ ଏନ୍‍ବିଏ କାର୍ଯ୍ୟକ୍ରମ ୧୧ ନିୟୁତ ଶିଶୁଙ୍କୁ ସେବା ଯୋଗାଇଛି । ସର୍ବୋପରି ସମସ୍ତ କ୍ରୀଡ଼ା କ୍ଷେତ୍ରରେ ରିଲାଏନ୍ସ ଫାଉଣ୍ଡେସନ ଦେଶ ବ୍ୟାପୀ ୨୧.୫ ନିୟୁତ ଶିଶୁଙ୍କ ପାଖରେ ପହଞ୍ଚି ପାରିଛି ।”

ପରିଶେଷରେ ଶ୍ରୀମତୀ ଅମ୍ବାନୀ ତାଙ୍କର ୩ଟି ଲକ୍ଷ୍ୟ ହାସଲର ଆଶା ବିଷୟରେ ସୂଚାଇଥିଲେ – କୌଣସି ଶିଶୁ କ୍ରୀଡ଼ା ସୁବିଧାରୁ ବଞ୍ଚିତ ହେବେ ନାହିଁ ଏବଂ ଭାରତରେ ‘କ୍ରୀଡ଼ାର ଅଧିକାର’ ସବୁ ଶିଶୁଙ୍କ ମୌଳିକ ଅଧିକାର ହେବାର ଆବଶ୍ୟକତା ସମ୍ପର୍କରେ ସେ କହିଥିଲେ । ବିଶ୍ୱସ୍ତରରେ କ୍ରୀଡ଼ାର ଶକ୍ତି କେନ୍ଦ୍ର ଭାବେ ଏବଂ କ୍ରୀଡ଼ା ଶାନ୍ତିର ଏକ କ୍ରୀୟାଶୀଳ ମାଧ୍ୟମ ହୋଇଥିବା ଦର୍ଶାଇବା ସହ ସେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

327 Views

   ସମ୍ବନ୍ଧିତ ଖବର