ନ୍ୟୁୟର୍କ ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ ଆର୍ଟ ବୋର୍ଡରେ ଯୋଗ ଦେଲେ ନୀତା ଅମ୍ବାନୀ

Published By : Prameya-News7 Bureau | November 14, 2019 IST

ଭୁବନେଶ୍ୱର: ଭାରତର କଳା ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବା ଦାତବ୍ୟ କର୍ମୀ (ଫିଲନଥ୍ରୋପିସ୍ଟ), ଶିକ୍ଷାବିତ ତଥା ମହିଳା ଉଦ୍ୟୋଗୀ ନୀତା ଅମ୍ବାନୀଙ୍କୁ ନ୍ୟୁୟର୍କସ୍ଥିତ ଦି ମେଟ୍ରୋପଲିଟାନ ମ୍ୟୁଜିଅମ ଅଫ ଆର୍ଟ (ଦି ମେଟ)ର ବୋର୍ଡରେ ସାମିଲ କରାଯାଇଛି | ସର୍ବାଧିକ ଲୋକ ପରିଦର୍ଶନ କରୁଥିବା ବିଶ୍ୱର ସର୍ବବୃହତ ସଂଗ୍ରହାଳୟ (ମ୍ୟୁଜିଅମ) ଭାବେ ପ୍ରସିଦ୍ଧ ଏହି ସଂଗ୍ରହାଳୟର ଅଧ୍ୟକ୍ଷ ଡାନିଏଲ ବ୍ରୋଡସ୍କି ନୀତା ଅମ୍ବାନୀଙ୍କୁ ଅବୈତନିକ ଟ୍ରଷ୍ଟି (ଅନରାରି ଟ୍ରଷ୍ଟି) ଭାବେ ଘୋଷଣା କରାଯାଇଥିବା ପ୍ରକାଶ କରିଛନ୍ତି | ମଙ୍ଗଳବାର ନ୍ୟୁୟର୍କଠାରେ ଅନୁଷ୍ଠିତ ହୋଇଥିବା ବୋର୍ଡର ବୈଠକରେ ନିର୍ବାଚିତ ହୋଇଥିବା ଶ୍ରୀମତୀ ଅମ୍ବାନୀ ଏହି ଭଳି ସମ୍ମାନର ଅଧିକାରିଣୀ ହେବାରେ ପ୍ରଥମ ଭାରତୀୟ | ସଂଗ୍ରହାଳୟର ବୋର୍ଡ କୁ ଶ୍ରୀମତୀ ଅମ୍ବାନୀଙ୍କୁ ସ୍ୱାଗତ କରି ବ୍ରୋଡସ୍କି କହିଛନ୍ତି ଯେ "ଭାରତୀୟ କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ଏବଂ ଦି ମେଟ ପ୍ରତି ତାଙ୍କ ପ୍ରତିବଦ୍ଧତା ବାସ୍ତବରେ ଉଲ୍ଲେଖନୀୟ | ନୀତାଙ୍କ ସହଯୋଗରେ ବିଶ୍ୱର କୋଣ ଅନୁକୋଣର କଳାକୁ ଅନୁଧ୍ୟାନ କରିବା ଓ ପ୍ରଦର୍ଶିତ କରିବା ଦିଗରେ ସଂଗ୍ରହାଳୟର ଦକ୍ଷତା ବୃଦ୍ଧି ପାଇବ |" ଏହି ଅବସରରେ ଶ୍ରୀମତୀ ନୀତା ଅମ୍ବାନୀ କହିଛନ୍ତି ଯେ "ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟ କଳା ସଂସ୍କୃତିକୁ ପ୍ରଦର୍ଶିତ କରିବାଦିଗରେ ଦି ମେଟ୍ରୋପଲିଟାନ ମ୍ୟୁଜିଅମ ଅଫ ଆର୍ଟର ଉଦ୍ୟମକୁ ସହଯୋଗ କରିଥିବାରୁ ମୁଁ ବେଶ ଆନନ୍ଦିତ | ଭାରତୀୟ କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବାର ଆମର ଲକ୍ଷ୍ୟ ପ୍ରତି ଦି ମେଟ କର୍ତ୍ତୃପକ୍ଷଙ୍କ ଉତ୍ସାହ ଆମକୁ ବେଶ ପ୍ରଭାବିତ ଓ ଚମତ୍କୃତ କରିଛି | ଏହି ସମ୍ମାନ ଭାରତର ପୁରାତନ ଓ ସମସାମୟିକ ଐତିହ୍ୟକୁ ନେଇ ମୋର ଉଦ୍ୟମକୁ ଦ୍ବିଗୁଣିତ କରିବା ପାଇଁ ପ୍ରେରିତ କରିବ |" ନୀତା ଅମ୍ବାନୀ ହେଉଛନ୍ତି ଭାରତୀୟ ଦାତବ୍ୟ ସଂସ୍ଥା ରିଲାଏନ୍ସ ଫାଉଣ୍ଡେସନର ସଂସ୍ଥାପିକା ଅଧ୍ୟକ୍ଷା | ଏହି ଫାଉଣ୍ଡେସନ ୨୦୧୬ ପର ଠାରୁ ଦି ମେଟ କୁ ସହାୟତା କରିଆସୁଛି ଯାହା ନସରିନ ମୋହମେଦିଙ୍କ କଳା ପ୍ରଦର୍ଶନୀରୁ ଆରମ୍ଭ ହୋଇଥିଲା ଏବଂ ତାହା ଦି ମେଟ ବ୍ରିଉଅରର ଉଦ୍ଘାଟନୀ ପ୍ରଦର୍ଶନୀ ଥିଲା | ନୀତା ଅମ୍ବାନୀ ଦି ମେଟ ଆନ୍ତର୍ଜାତିକ ପରିଷଦର ମଧ୍ୟ ସଦସ୍ୟା ଅଛନ୍ତି | ୨୦୧୭ ଅକ୍ଟୋବରରେ ସଂଗ୍ରହାଳୟରେ ଭାରତର କଳାକୁ ନେଇ ଆୟୋଜିତ ପ୍ରଦର୍ଶନ ଓ ଉତ୍ସବଗୁଡିକୁ ସହାୟତା କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା | ସେହି ସମୟରେ ଶ୍ରୀମତୀ ନୀତା ଅମ୍ବାନୀ କହିଥିଲେ ଯେ ଭାରତୀୟ କଳାର ସମୃଦ୍ଧ ପରମ୍ପରାକୁ କେବଳ ଭାରତ ନୁହେଁ ସାରା ବିଶ୍ୱରେ ବିଭିନ୍ନ ଅନୁଷ୍ଠାନ ଜରିଆରେ ପ୍ରଚାର ପ୍ରସାର ଲାଗି ସୁଯୋଗ ଓ ମଞ୍ଚ ପ୍ରଦାନ କରିବାକୁ ରିଲାଏନ୍ସ ଫାଉଣ୍ଡେସନ ଲକ୍ଷ୍ୟ ରଖିଛି | ଏହି କ୍ରମରେ ପ୍ରଥମ ପ୍ରଦର୍ଶନୀ 'ମଡ଼ର୍ଣ୍ଣିଜିମ ଅନ ଦି ଗଙ୍ଗେସ'ରେ ରଘୁବୀର ସିଂହଙ୍କ ଫୋଟୋ ଗୁଡିକୁ ୨୦୧୭ ଅକ୍ଟୋବର ରୁ ୨୦୧୮ ଜାନୁଆରୀ ଯାଏ ପ୍ରଦର୍ଶିତ କରାଯାଇଥିଲା | ଏହା ପରେ ମୃଣାଳିନୀ ମୁଖାର୍ଜୀଙ୍କ 'ଫିନୋମିନାଲ ନେଚର' ପ୍ରଦର୍ଶନୀ ୨୦୧୯ ଜୁନ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିଥିଲା, ଯାହା ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତୀୟ ସ୍ଥାପତ୍ୟ କଳାର ପ୍ରଥମ ସାମଗ୍ରିକ ପ୍ରଦର୍ଶନ ରହିଥିଲା | ୨୦୨୦ ନଭେମ୍ବର ୧୦ ରୁ ଦି ମେଟ ଫିଫଥ ଅଭେନ୍ୟୁରେ ଆରମ୍ଭ ହେବାକୁ ଯାଉଥିବା 'ଟ୍ରି ଏଣ୍ଡ ସର୍ପେଣ୍ଟ : ଅର୍ଲି ବୁଦ୍ଧିଷ୍ଟ ଆର୍ଟ ଇନ ଇଣ୍ଡିଆ, ୨୦୦ ବିସି- ଏଡି ୪୦୦'କୁ ମଧ୍ୟ ଫାଉଣ୍ଡେସନର ସହାୟତା ମିଳିଛି | ଏଥିରେ ସପ୍ତଦଶ ଶତାବ୍ଦୀର ମୋଗଲ କଳା ଏବଂ ପାରମ୍ପରିକ ଭାରତୀୟ ମୂର୍ତ୍ତିକଳା ମଧ୍ୟ ପ୍ରଦର୍ଶିତ କରାଯିବ | ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶୃତିବଦ୍ଧ ନୀତା ଅମ୍ବାନୀଙ୍କ ରିଲାଏନ୍ସ ଫାଉଣ୍ଡେସନ ଖ୍ୟାତନାମା କଳାକାରମାନଙ୍କୁ ସମ୍ମାନିତ କରିବା ଏବଂ ଯୁବପିଢ଼ିକୁ କଳା ସାଙ୍ଗରେ ଯୋଡିବା ଦିଗରେ ଉଦ୍ୟମ ଜାରି ରଖି ଦି ଏଲିଫାଣ୍ଟା ଫେଷ୍ଟିଭାଲ, ଉସ୍ତାଦ ଜାକିର ହୁସେନଙ୍କ ବାର୍ଷିକ କଂସର୍ଟ 'ଆବାଜି' ତଥା ସମ୍ମାନଜନକ ଆର୍ଟ ଇନଷ୍ଟିଚ୍ୟୁଟ ଅଫ ଚିକାଗୋର 'ଦି ଟ୍ରାଡିସନ ଅଫ କୃଷ୍ଣ ପେଣ୍ଟିଙ୍ଗ' କୁ ମଧ୍ୟ ସହଯୋଗ ପ୍ରଦାନ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.