ନିର୍ଭୟା ମାମଲାରେ ନୂଆ ମୋଡ, ଫାଶୀରୁ ବର୍ତ୍ତିବା ପାଇଁ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ୩ ଦୋଷୀ
16/03/2020 at 3:58 PM

ନୂଆଦିଲ୍ଲୀ, ୧୬|୦୩: ନିର୍ଭୟା ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି। ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀମାନେ ଅନ୍ତର୍ଜାତୀୟ କୋର୍ଟ ବା ଆଇସିଜେଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୃତ୍ୟୁଦଣ୍ଡ ଉପରେ ରୋକ ଲଗାଇବା ପାଇଁ ସେମାନେ ଅନ୍ତରାଷ୍ଟ୍ରୀୟ କୋର୍ଟରେ ଆବେଦନ କରିଛନ୍ତି।

ଦୋଷୀ ଅକ୍ଷୟ, ପବନ ଓ ବିନୟ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ପୂର୍ବରୁ ମଧ୍ୟ ଦୋଷୀମାନେ ଆଇନର ବିଭିନ୍ନ ଗଳାବାଟରେ ଖସିଯିବାକୁ ଉଦ୍ୟମ କରୁଥିଲେ। ସେମାନେ ଫାଶୀଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ନାନା ଉପାୟ ଅବଲମ୍ବନ କରି ସାରିଛନ୍ତି। ତେବେ ଚାରିଆଡୁ ନିରାଶ ହେବା ପରେ ସେମାନେ ଆଇସିଜେର ଦ୍ୱାରସ୍ଥ ହୋଇଛନ୍ତି। କାରଣ ଏହି ଦୋଷୀମାନେ ଘଟାଇଥିବା ଜଘନ୍ୟ କାଣ୍ଡ ଭାରତର ଉତିହାସରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏପରିକି ଦେଶବାସୀ ମଧ୍ୟ ସେମାନଙ୍କ ଫାଶୀକୁ ଅନାଇ ରହିଛନ୍ତି।
ସୂଚନାଯୋଗ୍ୟ, ସମସ୍ତ ୪ ଦୋଷୀଙ୍କ ଡେଥ୍ ଓ୍ୱାରେଣ୍ଟ ୩ ଥର ଖାରଜ ହେବା ପରେ ପଟିଆଲା ହାଉସ କୋର୍ଟ ସାନି ଡେଥ୍ ଓ୍ୱାରେଣ୍ଟ ଜାରି କରିଥିଲେ। ଏଥିରେ ଆସନ୍ତା ମାର୍ଚ୍ଚ ୨୦ରେ ଫାଶୀ ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଛି। ସୋମବାର ସୁପ୍ରିମକୋର୍ଟରେ ଦୋଷୀ ମୁକେଶର ଆଉ ଏକ ଆବେଦନ ଖାରଜ ହୋଇଯାଇଛି।