ପୁଣି ଲୁହରେ ଭିଜିଲା ଆଶାଦେବୀଙ୍କ ଆଖି, କାନ୍ଦିକାନ୍ଦି କହିଲେ- ‘ବ୍ୟବସ୍ଥା ଅପରାଧୀଙ୍କୁ ସମର୍ଥନ କରୁଛି’
2/03/2020 at 6:03 PM

ନୂଆଦିଲ୍ଲୀ, ୦୨ ମାର୍ଚ୍ଚ: ତୃତୀୟ ଥର ପାଇଁ ନିର୍ଭୟା ଦୋଷୀଙ୍କ ଫାଶୀ ଟଳିଯାଇଛିଯ ପଟିଆଲା ହାଉସ କୋର୍ଟ ଆଜି ନିର୍ଭୟା ଦୋଷୀଙ୍କ ଡେଥ୍ ଓ୍ୱାରେଣ୍ଟ ଉପରେ ରୋକ ଲଗାଇଛନ୍ତି। ପରବର୍ତ୍ତୀ ଆଦେଶ ଆସିବା ଯାଏଁ ଏହି ରୋକ ଲଗାଯାଇଛି।

ଆଉ ମାତ୍ର ୧୨ ଘଂଟାର ଅପେକ୍ଷା ପରେ ୪ଜଣ ସଇତାନଙ୍କ ଅନ୍ତ ଘଟିଥାନ୍ତା। ଜେଲ , ଜହ୍ଲାଦ ଓ ଫାଶୀ ଖୁଣ୍ଟ ତୟାର ଥିଲା। ଦେଶବାସୀଙ୍କ ସହ ନିର୍ଭୟାଙ୍କ ମା ଓ ପରିବାର ସମସ୍ତେ ଦୋଷୀଙ୍କ ଫାଶୀକୁ ନେଇ ଖୁସି ଥିଲେ। ତେବେ ଆଜି କୋର୍ଟ ଫାଶୀ ଉପରେ ରୋକ ଲଗାଇବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଶୁଣି ନିର୍ଭୟାଙ୍କ ମା ଆଶାଦେବୀ କାନ୍ଦି ପକାଇଛନ୍ତି।

ଆଶାଦେବୀ କହିଛନ୍ତି ଯେ, କୋର୍ଟ ନିଜେ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇବା ପାଇଁ ଏବେ ସମୟ କାହିଁକି ନେଉଛନ୍ତି। ଏହା ଦେଶର ଆଇନ ବ୍ୟବସ୍ଥାର ଏକ ବିଫଳତା ବୋଲି କୁହାଯିବ। ତୃତୀୟ ଥର ପାଇଁ ସେମାନଙ୍କ ଫାଶୀ ଉପରେ ରୋକ ଲାଗିଛି। ସମସ୍ତ ବ୍ୟବସ୍ଥା କେବଳ ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ ହୋଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତାକାଲି ନିର୍ଭୟା କାଣ୍ଡରେ ସଂପୃକ୍ତ ୪ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ସକାଳ ୬ଟାରେ ସେମାନଙ୍କୁ ଫାଶୀ ଦିଆଯାଇଥାନ୍ତା। କିନ୍ତୁ ଠିକ ୧୨ ଘଂଟା ପୂର୍ବରୁ କୋର୍ଟ ଏହା ଉପରେ ରୋକ ଲଗାଇବା ସହ ଆଗାମୀ ଶୁଣାଣି ଯାଏଁ ସ୍ଥଗିତ ରଖିଛନ୍ତି।