ଜଣାଇଲେ ନିର୍ମଳା ସୀତାରମଣ, କାହିଁକି ମୋଦୀ ସରକାର ଲୋକଙ୍କ ହାତକୁ କ୍ୟାସ୍ ଦେଲେ ନାହିଁ
20/05/2020 at 7:48 PM

ନୂଆଦିଲ୍ଲୀ ୨୦।୦୫: କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଲକ୍ଡାଉନ୍ରେ ଦେଶର ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବାକୁ ଦୃଷ୍ଟିରେ ରଖି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷାଣା କରିଥିଲେ। ଏହା ପରେ କ୍ରମାଗତ ପାଞ୍ଚ ଦିନ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ୟାକେଜ୍ରେ କେଉଁ କ୍ଷେତ୍ର ପାଇଁ କେତେ ଆର୍ଥିକ ବ୍ୟବସ୍ଥା କରାଯାଇଛି ତାର ସଂପୂର୍ଣ୍ଣ ବିବରଣୀ ଦେଇଥିଲେ। ଏହି କ୍ରମରେ ନ୍ୟଜ୍ ଏଜେନ୍ସି ଏଏନଆଇ ସହ ଆଲୋଚନା ବେଳେ ନିର୍ମଳା ସୀତାରମଣ ଲୋକଙ୍କ ହାତକୁ ସିଧାସଳଖ ଅର୍ଥ କଣ ପାଇଁ ଦେଲେ ନାହିଁ ତାର ଉତ୍ତର ରଖିଛନ୍ତି।
ନିର୍ମଳା ସୀତାରମଣ କହିଛନ୍ତି, ଲକ୍ଡାଉନ୍ ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଥିଲେ। ଏହାରି ଆଧାରରେ ମୋଦୀ ସରକାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ୟାସ୍ ଟ୍ରାନ୍ସଫର କରିଛନ୍ତି। ଏହା ପରେ ମଧ୍ୟ ସରକାର ନିଜର ବିକଳ୍ପ ବନ୍ଦ କରି ନାହାନ୍ତି। ସେ କହିଛନ୍ତି କ୍ୟାସ୍ ଟ୍ରାନ୍ସଫର କରିବା ପାଇଁ ଆମେ ଯେଉଁ ତରିକା ଚିନ୍ତା କରିଛୁ, ତାହା ଅଧିକ ପ୍ରଭାବଶାଳୀ ରହିଛି। ଏହାର ଅଧିକରୁ ଅଧିକ ଫାଇଦା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ମୋଦୀ ସରକାର ବ୍ୟାଙ୍କ, ବ୍ୟବସାୟ ଓ ଓ୍ଵାର୍କିଂ କ୍ୟାପିଟାଲ ପାଇଁ ଦିଆଯାଇଥିବା ଅର୍ଥ ଜରିଆରେ ଲୋକଙ୍କୁ ସହାୟତା ଦେବାକୁ ନିଷ୍ପତ୍ତି ନେଇଥିଲେ। ସବୁ ସେକ୍ଟର ପାଇଁ ଅର୍ଥ ବ୍ୟବସ୍ଥା କରି ଏହାର ସୁଫଳ ଲୋକଙ୍କ ପାଖକୁ ପହଞ୍ଚାଇବା ଲାଗି ଚେଷ୍ଟା କରାଯାଇଛି।
ଏହି ସମୟରେ ନିର୍ମଳା ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଯେବେ ସେ ସରକାରଙ୍କ ୟୁପି ସରକାର ଉପରେ ଏତେ ପ୍ରଶ୍ନ କରୁଛନ୍ତି, ତେବେ ତାଙ୍କ ଏହା ମଧ୍ୟ ଦେଖିବା ଉଚିତ୍ ଯେ, ୟୁପିରେ ୩୦୦ ଟ୍ରେନ୍ ପହଞ୍ଚିଥିବା ବେଳେ ଛତିଶଗଡିରେ ୫-୭ ଟ୍ରେନ୍ ମଧ୍ୟ ପହଞ୍ଚି ନାହିଁ। ତାଙ୍କୁ ଏହି ପରି ସମୟରେ ରାଜନୀତି କରିବା ଉଚିତ୍ ନୁହେଁ। କାରଣ ସମସ୍ତ ଲୋକ ଭାରତୀୟ ଏବଂ ଏହି ସ୍ଥିତିରେ ଆମ ସମସ୍ତଙ୍କୁ ଏକାଠି ମିଶି କାମ କରିବାର ଆବଶ୍ୟକତା ରହିଛି।