Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଞ୍ଚ୍ କଲେ ନୂଆ ସେବା : ଆଧାର ମାଧ୍ୟମରେ ତୁରନ୍ତ ମିଳିବ ଇ-ପାନ୍

29/05/2020 at 12:00 PM

ନୂଆଦିଲ୍ଲୀ ୨୯/୦୫ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ ଆଧାର କେୱାଇସି KYC ଆଧାରିତ ତତ୍କାଳ ଇ-ପାନ୍ (e-PAN) ନମ୍ବର ଜାରି କରିବା ସୁବିଧା ଆରମ୍ଭ କରିଛନ୍ତି | ଅର୍ଥମନ୍ତ୍ରୀ ଚଳିତ ଆର୍ଥିକ ବର୍ଷ ସାଧାରଣ ବଜେଟରେ ଏହି ସୁବିଧା ଘୋଷଣା କରିଛନ୍ତି | ଆବେଦନକାରୀଙ୍କୁ ପଂଜିକୃତ ମୋବାଇଲ ନମ୍ବର ସହ ଆବେଦନ କରିବାକୁ ହେବ ଏବଂ ଭେରିଫିକେସନ ହେବାର ତୁରନ୍ତ ପରେ ଇ-ପାନ ନମ୍ବର ଜାରି କରିଦିଆଯିବ | ଏହା ନିଃଶୁଳ୍କ ସୁବିଧା ଏବଂ ସମ୍ପୂର୍ଣ ଭାବେ ପେପରଲେସ | 

ଆୟକର ବିଭାଗ ୱେବସାଇଟରେ ଏହି ସୁବିଧାର ବିଟା ସଂସ୍କରଣ ଫେବୃଆରୀରୁ ଆରମ୍ଭ କରାଯାଇଥିଲା | ଫେବୃଆରୀରୁ ମେ ୨୫ ତାରିଖ ପର୍ଯ୍ୟନ୍ତ ୬ ଲକ୍ଷ ୭୭ ହଜାର ୬୮୦ ଇ-ପାନ ଜାରି କରାଯାଇଛି | ଏହା ମାଧ୍ୟମରେ ମାତ୍ର ୧୦ ମିନିଟରେ ଇ-ପାନ୍ ଜାରି ହୋଇପାରୁଛି | ଆୟକର ବିଭାଗ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ମୋଟ ୫୦.୫୨ କୋଟି ପାନ୍ କାର୍ଡ ଆବଣ୍ଟନ ହୋଇସାରିଛି | ଏଥିରୁ ୪୯.୩୯ କୋଟି ପାନ୍ ବ୍ୟକ୍ତିଗତ ଭାବେ ଜାରି କରାଯାଇଛି | ସେଥିରୁ ୩୨.୧୭ କୋଟି ପାନ୍ କାର୍ଡ ଆଧାର କାର୍ଡ ସହ ଲିଙ୍କ ହୋଇପାରିଛି | 

ପାନ୍ ପାଇଁ ଆବେଦନ ପ୍ରକ୍ରିୟା ବହୁତ ସରଳ | ଆବେଦନକାରୀଙ୍କୁ ଆୟକର ବିଭାଗର ଇ-ଫାଇଲିଙ୍ଗ୍ ୱେବସାଇଟକୁ ଯାଇ ନିଜର ଆଧାର କାର୍ଡ ନମ୍ବରର ସମସ୍ତ ତଥ୍ୟ ଦେବାକୁ ହେବ | ଏହାପରେ ଆବେଦନକାରୀଙ୍କୁ ଆଧାର କାର୍ଡରେ ଦିଆଯାଇଥିବା ଲିଙ୍କ୍ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ | ଏହି ଓଟିପିକୁ ୱେବସାଇଟରେ ଦେବାକୁ ହେବ | ଏହି ପୁରା ପ୍ରକ୍ରିୟା ସଫଳ ଭାବେ ସମ୍ପନ୍ନ ହେବାପରେ ଏକ ୧୫ ଡିଜିଟ ବିଶିଷ୍ଟ ଏକନଲେଜମେଣ୍ଟ ନମ୍ବର ଜାରି ହେବ | ଆବଶ୍ୟକ ପଡିଲେ ଆବେଦନକାରୀ ନିଜର ଆବେଦନ ସମ୍ବନ୍ଧୀୟ ସୂଚନା ଆଧାର ନମ୍ବର ମାଧ୍ୟମରେ ଯାଞ୍ଚ କରିପାରିବେ | ଆବଣ୍ଟନ ପରେ ଇ-ପାନକୁ ଡାଉନଲୋଡ଼ କରାଯାଇପାରିବ | ଏହାଛଡା ଇ-ପାନ୍ ଆବେଦନକାରୀଙ୍କ ଆଧାର କାର୍ଡ ସହ ରେଜିଷ୍ଟରଇ-ମେଲକୁ ମଧ୍ୟ ପଠାଯିବ | 

ଆୟକର ବିଭାଗ ତରଫରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି ଯେ, ଇନ୍ସଟାଣ୍ଟ ପାନ୍ ସୁବିଧା ଡିଜିଟାଲ ଇଣ୍ଡିଆ ଆଡକୁ ଏକ ପ୍ରାରମ୍ଭିକ ପଦକ୍ଷେପ | ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ବିଭାଗର କରଦାତାଙ୍କୁ ଅନୁପାଳନରେ ସୁବିଧା ହେବ | ବିଭାଗର ଆୟକର ଇ-ଫାଇଲିଙ୍ଗ୍ ସମେତ କରଦାତାଙ୍କ ପାଇଁ ଅନେକ ପ୍ରକାର ସେବାକୁ ଅନଲାଇନ କରିଦିଆଯାଇଛି |

   Related Posts