ଅନ୍ତର୍ଜାତୀୟ ବଜାର ପ୍ରଭାବରେ ଦେଶରେ ବଢୁଛି ତେଲ ଦର, ନିର୍ମଳାଙ୍କ ରୋକ୍ ଠୋକ୍- କେନ୍ଦ୍ର ଓ ରାଜ୍ୟ ମିଳିତ ସମ୍ଭାଳନ୍ତୁ ସ୍ଥିତି

Published By : Prameya-News7 Bureau | October 05, 2021 IST

ବୋରିଆକଲା ୫।୧୦:  ଦେଶରେ ପେଟ୍ରୋଲିୟମ ପଦାର୍ଥର ମୂଲ୍ୟ ଅନ୍ତର୍ଜାତୀୟ ତୈଳ ଦର ଉପରେ ନିର୍ଭର କରେ। ଏଣୁ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ସମାଧାନ କରିବା ଆବଶ୍ୟକ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ମଙ୍ଗଳବାର ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପୁଣି ଐତିହାସିକ ସ୍ତରରେ ପହଞ୍ଚିଥିବା ବେଳେ ସୀତାରମଣ ଏହା କହିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ଏବେ ଛତିଶଗଡ ଗସ୍ତରେ ଅଛନ୍ତି। ଏହି ଅବସରରେ ବିଜେପି କାର୍ଯ୍ୟାଳୟ କୁଶାଭାଉ ଠାକରେ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତ ପେଟ୍ରୋଲିୟମ ଉତ୍ପାଦର ଏକ ବଡ଼ ଆମଦାନୀକାରୀ ଦେଶ। ଏଣୁ ଏହାର ବର୍ତ୍ତମାନ ଦର ବିଶ୍ୱବଜାରର ଦର ଉପରେ ନିର୍ଭରଶୀଳ।  ଯେହେତୁ  କେନ୍ଦ୍ର ଓ ରାଜ୍ୟ ସରକାର ଶୁଳ୍କ ଲାଗୁ କରୁଛନ୍ତି ତେଣୁ ମିଳିତ ପେଟ୍ରୋଲ ଓ ଡିଜେଲ ମୂଲ୍ୟବୃଦ୍ଧି ସମସ୍ୟାର ସମାଧାନ କରିବା ଉଚିତ ।

{"id":522768,"width":838,"height":472,"sizeSlug":"full","linkDestination":"none"}

ଦେଶରେ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ୍‌ ମୂଲ୍ୟବୃଦ୍ଧି ସମ୍ପର୍କିତ ସାମ୍ବାଦିକଙ୍କ ପ୍ରଶ୍ନର ଜବାବରେ ସୀତାରମଣ ଏହା କହିଥିଲେ। ସେ କହିଥିଲେ ଯେ ଭାରତର ପେଟ୍ରୋଲ ଓ ଡିଜେଲ ଆବଶ୍ୟକତାର ୯୯ ପ୍ରତିଶତ ବିଦେଶରୁ ଆମଦାନୀ ହୋଇଥାଏ।  ପେଟ୍ରୋଲ ଓ ଡିଜେଲ ଉପରେ କେବଳ କେନ୍ଦ୍ର ସରକାର ଶୁଳ୍କ ଲାଗୁ କରୁ ନାହାନ୍ତି ରାଜ୍ୟ ସରକାରମାନେ ମଧ୍ୟ କର ଲଗାଉଛନ୍ତି।  ଏଣୁ ବୈଶ୍ୱିକ ତୈଳ ବଜାରରେ ମୂଲ୍ୟ ପରିବର୍ତ୍ତନ ହେଲେ ଆମେ ପ୍ରଭାବିତ ହେବା ସ୍ୱଭାବିକ ବୋଲି ସେ କହିଛନ୍ତି।

ତେବେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଏବେ ସାଧାରଣ ନାଗରିକ ଉପରେ ବୋଝ ପାଲଟିଥିବା ସେ ସ୍ୱୀକାର କରିଛନ୍ତି। ଇନ୍ଧନର ବର୍ଦ୍ଧିତ ମୂଲ୍ୟ ସାଧାରଣ ନାଗରିକର ଆର୍ଥିକ ବୋଝ ବୃଦ୍ଧି କରିଥିବା ସେ କହିଛନ୍ତି। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମଙ୍ଗଳବାର ଏପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।  ୨୦୧୪ ମସିହା ପରେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଦର ପୁଣି ଉଚ୍ଚତମ ସ୍ତରରେ ପହଞ୍ଚିଥିବା ବେଳେ ଦେଶରେ ଇନ୍ଧନ ଦର ପୁଣି ବୃଦ୍ଧି ହୋଇଛି।

ପେଟ୍ରୋଲ ଲିଟର ପିଛା ମୂଲ୍ୟରେ ପୁଣି ୨୫ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ ୩୦ ପଇସା ବଢିଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ଏବେ ୧୦୨ଟଙ୍କା ୬୪ ପଇସାକୁ ପହଞ୍ଚିଥିବା ବେଳେ ଆର୍ଥିକ ନଗରୀ ମୁମ୍ବାଇରେ ୧୦୮ ଟଙ୍କା ୬୭ ପଇସାରେ ବିକା ହେଉଛି। ସେହିପରି ଜିଲ୍ଲୀରେ ଡିଜେଲ ପ୍ରତି ଲିଟର ୯୧ଟଙ୍କା ୭ ପଇସାରେ ବିକ୍ରି ହେଉଥିବା ବେଳେ ମୁମ୍ବାଇରେ ୯୮ଟଙ୍କା ୮୦ ପଇସାର ରେକର୍ଡ ସ୍ତରରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.