ଦିଲ୍ଲୀ LGଙ୍କ ଶରଣାପନ୍ନ ହେଲା ନିର୍ଭୟା ଦୋଷୀ ବିନୟ,ମୃତ୍ୟୁଦଣ୍ଡ ରୋକିବାକୁ କୋର୍ଟରେ ଓକିଲଙ୍କ ଆବେଦନ

Published By : Prameya-News7 Bureau | March 09, 2020 IST

ନୂଆଦିଲ୍ଲୀ ୯।୩:  ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀଙ୍କ ଦଣ୍ଡ ତିଥି ଯେତିକି ପାଖଉଛି ସେତିକି ବ୍ୟାକୁଳ ହେଉଛନ୍ତି ଅପରାଧୀ। ଦଣ୍ଡରୁ ବର୍ତ୍ତିବା ଲାଗି ବିନୟ ଶର୍ମା ସୋମବାର ଓକିଲ ଏ.ପି. ସିଂହଙ୍କ ଜରିଆରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଶରଣାପନ୍ନ ହୋଇଛି। ଏଥିରେ ବିନୟ ତାର ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ ଜେଲଦଣ୍ଡରେ ପରିବର୍ତ୍ତିତ କରିବାକୁ ନିବେଦନ କରିଛି। ସେପଟେ ବିନୟର ନିବେଦନକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିଚାରକୁ ନେଇଥିବାବେଳେ ନିର୍ଭୟା ଅପରାଧୀଙ୍କ ଦଣ୍ଡାବିଧାନ ଉପରେ ରୋକ ଲଗାଇବା ଲାଗି ଓକିଲ ପୁଣି କୋର୍ଟକୁମୁହାଁଇଛନ୍ତି। ଓକିଲ ସିଂହ ସିଆରପିସିର ଧାରା ୪୩୨  ୪୩୩ରେ କୋର୍ଟଙ୍କୁ ଏକ ପିଟିସନ ଦାଖଲ କରି ସେମାନଙ୍କ ଦଣ୍ଡାଦେଶ ନିଲମ୍ବନ କରିବାକୁ ନିବେଦନ କରିଛନ୍ତି।  

{"id":235528,"width":578,"height":382,"sizeSlug":"large"}

ବିନୟ ପୂର୍ବରୁ ମଧ୍ୟ କ୍ଷମା ନିବେଦନ କରିଛି। ତେବେ ତାର କ୍ଷମା ନିବେଦନକୁ ଦିଲ୍ଲୀ ସରକାର. ଲେଫ୍ଟନାଣ୍ଟ ଗଭର୍ଣ୍ଣର ଓ ରାଷ୍ଟ୍ରପତି ଅଗ୍ରାହ୍ୟ କରିଦେଇଥିଲେ। ସେହିପରି କୋର୍ଟଙ୍କ ରାୟର ପୁନର୍ବିଚାର ଲାଗି ତାର କ୍ୟୁରେଟିଭ ପିଟିସନ ମଧ୍ୟ କୋର୍ଟରେ ଅଗ୍ରାହ୍ୟ ହୋଇଥିଲା। ମାମଲାର ଅନ୍ୟ ୩ ଅପରାଧୀଙ୍କ ସମସ୍ତ ନ୍ୟାୟିକ ଉପଚାର ମଧ୍ୟ ଶେଷହୋଇଛି। ଏଣୁ ଜେଲ ପ୍ରଶାସନ ପକ୍ଷରୁ ସେମାନଙ୍କ ମୃତ୍ୟୁଦଣ୍ଡ ଲାଗି କୋର୍ଟଙ୍କୁନିବେଦନ କରାଯାଇଥିବା ବେଳେ ତାହା ଗୃହୀତ ହୋଇଯାଇଛି। ଦିଲ୍ଲୀ କୋର୍ଟ ନିର୍ଭୟାକାଣ୍ଡର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ତାରିଖ ପ୍ରତ୍ୟୁଷରେ ଦଣ୍ଡିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ କୋର୍ଟ ଦଣ୍ଡ ବିଧାନ ଲାଗି ୩ ଥର ଡେଥ୍ ୱାରେଣ୍ଟ ଜାରି କରିଥିଲେ ମଧ୍ୟ ଦୋଷୀଙ୍କ ଆଇନଗତ ଉପଚାର ଶେଷ ହୋଇନଥିବାରୁ କୋର୍ଟଙ୍କ ନିର୍ଦ୍ଦେଶ ପାଳିତ ହୋଇପାରିନଥିଲା। ଏଣୁ ଚତୁର୍ଥ ବାର ଡେଥ୍ ୱାରେଣ୍ଟ ଏବେ କାର୍ଯ୍ୟକାରୀ ହେବାକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ବିନୟ ଜୀବନର ଆଶାନେଇ ପୁଣି ଥରେ ଉପରାଜ୍ୟପାଳଙ୍କ ଶରଣାପନ୍ନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.