ଫାଶୀ ଘୁଞ୍ଚାଇବାକୁ ପୁଣି ଫେର: ମାର୍ଚ୍ଚ ୩ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ପାଇଁ କୋର୍ଟକୁ ଗଲେ ଅକ୍ଷୟ ଓ ପବନ

Published By : Prameya-News7 Bureau | February 29, 2020 IST

ନୂଆଦିଲ୍ଲୀ ୨୯।୨: ନିର୍ଭୟାଦୋଷୀ ଅକ୍ଷୟ ଠାକୁର ଓ ପବନ ଗୁପ୍ତା ମାର୍ଚ୍ଚ ୩ ତାରିଖରେ ଦଣ୍ଡ ସ୍ଥଗିତ କରିବାକୁ ଶନିବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସ୍ଥାନୀୟ କୋର୍ଟରେ ସେମାନେ କରିଥିବା ନିବେଦନକୁ ବିଚାର ଲାଗି ଗ୍ରହଣ କରାଯାଇଥିବା ବେଳେ ଦଣ୍ଡବିଧାନର ଦିନକ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨ ତାରିଖ ସୋମବାର ଏହାର ଶୁଣାଣି ହେବ।

କୋର୍ଟରେ ହୋଇଥିବା ଆବେଦନରେ ଅକ୍ଷୟ ପୁଣି ରାଷ୍ଟ୍ରପତିଙ୍କ ନିକଟରେ ଦ୍ୱିତୀୟବାର କ୍ଷମାଯାଚନା କରିଥିବା ଓ ପବନ କୋର୍ଟରେ ପୁନର୍ବିଚାର ନିବେଦନ କରିଥିବା ଦର୍ଶାଯାଇଛି। ଏଣୁ ସେମାନଙ୍କ ପିଟିସନ ଲମ୍ବିତ ଥିବାରୁ ସେମାନଙ୍କର ୩ ମାର୍ଚ୍ଚ ଦଣ୍ଡବିଧାନ ଉପରେ  ରହିତାଦେଶ ଲାଗି ନିବେଦନ କରିଛନ୍ତି।

ପବନ ଦ୍ୱିତୀୟବାର ରାଷ୍ଟ୍ରପତିଙ୍କୁ କରିଥିବା କ୍ଷମା ନିବେଦନରେ ନୂଆ ତଥ୍ୟ ଦେଇଥିବାର କୋର୍ଟଙ୍କୁ ଜଣାଇଛି। ଯେଉଁଥିରେ ତାର ପାରିବାରିକ, ଆର୍ଥିକ ଓ ସାମାଜିକ ସ୍ଥିତି ସମ୍ପର୍କରେ ଜଣାଇ ସେ ରାଷ୍ଟ୍ରପତିଙ୍କୁ ଦ୍ୱିତୀୟବାର କ୍ଷମାଯାଚନା କରିଥିବା ଉଲ୍ଲେଖ କରିଛି। ସେହିପରି ପବନ କୋର୍ଟଙ୍କୁ ପୁନର୍ବିଚାର ନିବେଦନ କରିଥିବା ବେଳେ ଏଥିରେ ତାର ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡାଦେଶ ଲାଗି ନିବେଦନ କରିଥିବାର ଜଣାଇଛି।

ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ବରୁ କୋର୍ଟ ୪ ଜଣ ପବନ ଗୁପ୍ତା , ଅକ୍ଷୟ ଠାକୁର, ମୁକେଶ ସିଂହ  ଓ  ବିନୟ ଅଗ୍ରୱାଲକୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି।  ତେବେ ମାମଲାରେ ଅକ୍ଷୟ, ବିନୟ ଓ ମୁକେଶଙ୍କ ପୁନର୍ବିଚାର ନିବେଦନ ପୂର୍ବରୁ କୋର୍ଟରେ ଅଗ୍ରାହ୍ୟ ହୋଇଥିବା ବେଳେ କେବଳ ପବନର ଶେଷ ଆଇନଗତ ଉପାୟ ଏବେ ବାକି ଅଛି। ତେବେ ପୂର୍ବରୁ ପବନ ମାମଲାରେ କୋର୍ଟଙ୍କୁ ପୁନର୍ବିଚାର ନିବେଦନ କରିବ ନାହିଁ ବୋଲି କହିଥିବା ବେଳେ ରାଷ୍ଟ୍ରପତିଙ୍କୁ କ୍ଷମା ନିବେଦନ ବି କରିନଥିଲା। ଏପରିକି ସେ କୋର୍ଟଙ୍କ ଦ୍ୱାରା ତାକୁ ପ୍ରଦାନ ଯାଇଥିବା ଓକିଲଙ୍କ ସହାୟତା ବି ନେଇନଥିଲା। ହେଲେ କୋର୍ଟଙ୍କ ନୂଆ ଡେଥ ୱାରେଣ୍ଟ ଅନୁସାରେ ତାର ଦଣ୍ଡ ପାଖେଇ ଆସିଥିବା ବେଳେ ପବନ ପକ୍ଷରୁ ତାର ଓକିଲ ଏ.ପି.ସିଂହ ଶନିବାର ଅଚାନକ ତା ଲାଗି ପିଟିସନ ଦାଖଲ କରିବା କୋର୍ଟଙ୍କୁ ଚକିତ କରିଛି।

ନିର୍ଭୟା ଦୋଷୀଙ୍କ ଦଣ୍ଡ ପୂର୍ବରୁ ୨ ଥର ଟଳିଛି। ପ୍ରଥମଥର ଜାନୁୟାରୀ ୨୨ରେ ସେମାନଙ୍କୁ ଦଣ୍ଡିତ କରିବା ଲାଗି କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଥିଲେ। ତେବେ ଦୋଷୀମାନଙ୍କର ଆଇନଗତ ଉପାୟ ଶେଷ ହୋଇନଥିବାରୁ ଏହା ୧ ଫେବୃଆରୀକୁ ଟଳିଥିଲା। ତେବେ ସୁପ୍ରିମକୋର୍ଟଙ୍କ ମାର୍ଗ ଦର୍ଶନ ଅନୁସାରେ ଫେବୃଆରୀ ୧ ତାରିଖରେ ଦୋଷୀଙ୍କୁ ଦଣ୍ଡିତ କରାଯାଇ ପାରିବନାହିଁ ବୋଲି ସେମାନଙ୍କ ଓକିଲ କୋର୍ଟଙ୍କୁ ନିବେଦନ କରିବା ସହ ସେମାନଙ୍କ ଦଣ୍ଡାବିଧାନ ଉପରେ ଅନିର୍ଦ୍ଧିଷ୍ଟ ଅବଧି ପର୍ଯ୍ୟନ୍ତ ରହିତାଦେଶ ଜାରି ଲାଗି ନିବେଦନ କରିଥିଲେ। ସେହି ଅନୁସାରେ ଦିଲ୍ଲୀ କୋର୍ଟରେ ସେମାନଙ୍କର ୧ ଫେବୃଆରୀ ଦଣ୍ଡବିଧାନ ମଧ୍ୟ ଟଳିଥିଲା। ତେବେ ଗତ ଫେବୃଆରୀ ୧୭ ତାରିଖରେ କୋର୍ଟ ସାନି ଡେଥ୍ ୱାରେଣ୍ଟ ଜାରି କରିଥିବା ବେଳେ ଏବେ ପବନ ତାର ଆଇନଗତ ଅଧିକାରର ଉପଯୋଗ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.