ମୁକେଶର ନାଁ ନେବାକୁ ଚାହୁଁ ନାହାନ୍ତି ଲୋକେ- କହିଲେ ପିଲାଟି ବେଳୁ ଗାଁ ଛାଡି ଦେଲା, କିନ୍ତୁ ଦାଗ ଲଗାଇ ଦେଲା

Published By : Prameya-News7 Bureau | March 20, 2020 IST

କରୌଲୀ ୨୦।୦୩: ରାଜସ୍ଥାନର କରୌଲୀ ଜିଲ୍ଲାର ଏକ ଛୋଟ ଗାଁ ହେଉଛି କଲ୍ଲଦେହ। ଏହାକୁ କିଛି ଲୋକ କଲ୍ଲଦେହି ମଧ୍ୟ କୁହନ୍ତି। କରୌଲୀ ସହରରୁ ପ୍ରାୟ ଚାରି କିଲୋମିଟର ଦୂର ଏହି ବସ୍ତିରେ କାର ପହଞ୍ଚିବା ମୁସ୍କିଲ। ଏଠାକୁ ପହଞ୍ଚିବା ଲାଗି ଭଦ୍ରାବତୀ ନଦୀ ଅତିକ୍ରମ କରିବାକୁ ପଡିଥାଏ। ଏହି ଗାଁ ସହରୀ ସୁବିଧାଠୁ ମଧ୍ୟ ଅନେକ ଦୂରରେ ରହିଛି। ଏଠାରେ ମୋଟ୍ ୫ ରୁ ୬ଟି ଛପର ଘର ରହିଛି। ସେଥିରୁ ଗୋଟିଏ ଘର ମୁକେଶର। ମୁକେଶର ଘର ନଦୀ କୂଳରେ ଅବସ୍ଥିତ। ଏଠାରେ କେବେ ତାର ମା କଲ୍ୟାଣି ରହୁଥିଲେ, ଯିଏ ପୁଅର କୁକର୍ମ ପରେ ଗାଁ ଛାଡି ଚାଲି ଯାଇଛନ୍ତି। ଆଖପାଖରେ ଆଉ ଗୋଟିଏ ହେଲେ ଘର ନାହିଁ। ପ୍ରାୟ ୧୦୦ରୁ ୧୫୦ ମିଟର ଦୂର ଗଲେ ଅନ୍ୟ ଏକ ଛପର ଘର ରହିଛି। ଏଠାରେ କିଛି ଲୋକ ରୁହନ୍ତି। ସେମାନେ ଅକ୍ଷର ଫାଶୀ କଥା ଶୁଣିବା ପରେ କହିଛନ୍ତି ଯେ, ଆମେ ସେହି ପାପୀର ନାଁ ନେବାକୁ ଚାହୁଁନୁ।

କଲ୍ଲାଦେହ ବସ୍ତିର ଲୋକଙ୍କ କହିବା କଥା ଅପରାଧୀ ପିଲାଟି ବେଳରୁ ହିଁ ଗାଁରୁ ଚାଲି ଯାଇଥିଲା। ମାତ୍ର ତାର ଜନ୍ମ ଏଠାରେ ହୋଇଥିବାରୁ ଆମକୁ ମଧ୍ୟ ଲଜ୍ଜିତ ହେବାକୁ ପଡୁଛି। ତାର ଅପକର୍ମ ଏହି ବସ୍ତି ସହିତ ପୂରା କରୌଲୀ ଜିଲ୍ଲାକୁ ଲଜ୍ଜିତ କରିଛି। ଅପରାଧୀଙ୍କୁ ଫାଶୀ  ହେବା ଆଇନ ଓ ନ୍ୟାୟର ବିଜୟ ହୋଇଛି। ତାକୁ ତ ଫାଶୀ ହୋଇ ଯାଇଛି ମାତ୍ର ଜଣା ନାହିଁ ଆମର ବସ୍ତି ଓ କରୌଲୀ ଜିଲ୍ଲା ଉପରେ ଲାଗିଥିବା ଏହି ଦାଗ କେବେ ଲିଭିବ କି ନାହିଁ।

{"id":241608,"sizeSlug":"large"}

ପାଖ ଗାଁର  ଲୋକ ମଧ୍ୟ ମୁକେଶ ବିଷୟରେ ସୂଚନା ରଖୁଥିଲେ। ଲୋକେ କହିଛନ୍ତି ଯେ, ମୁକେଶର ବିବାହ ହୋଇନଥିଲା। ସେ ନିଜର ତିନି ଭାଇଙ୍କ ସହିତ ଦିଲ୍ଲୀରେ ରହୁଥିଲା। ତାର ମା କଲ୍ୟାଣୀ ବସ୍ତିରୁ ଦିଲ୍ଲୀ ଯିବା ଆସିବା କରୁଥିଲେ। ମାତ୍ର ମୁକେଶର ପିତାଙ୍କ ମୃତ୍ୟୁ ପରେ ସେ ଗାଁରେ ରହିଲେ। ମୁକେଶର ଏହି ଅପରାଧ ପରେ ସେ ମଧ୍ୟ ଦିଲ୍ଲୀ ଚାଲିଗଲେ।

ମୁକେଶର ବଡ ଭାଇ ରାମ ସିଂହ ମଧ୍ୟ ନିର୍ଭୟା ମାମଲାର ଦୋଷୀ ଥିଲା। ଦୁହେଁ ଏକାଠି ଦିଲ୍ଲୀରେ ରହୁଥିଲେ। ରାମ ସିଂହ ଡ୍ରାଇଭର ଥିଲା ଏବଂ ମୁକେଶ ହେଲ୍‌ପର ଥିଲା। ରାମ ସିଂହର ପତ୍ନୀ ମୃତ୍ୟୁ ପରେ ସେ ନିଶାସକ୍ତ ରହୁଥିଲା। ଦୋଷୀ ରାମ ସିଂହ ଟ୍ରାଏଲ ସମୟରେ ହିଁ ତିହାର ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.