ଦୋଷୀ ଅକ୍ଷୟର ଗାଁ ଲୋକେ କହିଲେ- ଦୁଃଖ ତ ଲାଗୁଛି, ମାତ୍ର ମୁକ୍ତି ମିଳିଲା, କବାଟ ଖୋଲିଲେ ନାହିଁ ମାତା-ପିତା

Published By : Prameya-News7 Bureau | March 20, 2020 IST

ଔରଙ୍ଗାବାଦ ୨୦।୦୩: ଦିଲ୍ଲୀରୁ ପ୍ରାୟ ୯୦୦ କିମି ଦୂର ବିହାରର ଔରଙ୍ଗାବାଦରୁ ୩୫ କିମି ଦୂରରେ ରହିଛି ଦୋଷୀ ଅକ୍ଷୟର ଗାଁ କର୍ମାଲହଙ୍ଗ। ସକାଳୁ ସକାଳୁ ଏହି ଗାଁରେ ନିରବତା ଛାଇ ରହିଥିଲା। ବୟସ୍କ ଓ ପିଲାଙ୍କର ଭିନ୍ନ ଭିନ୍ନ ଦଳ ଏକଜୁଟ୍  ହୋଇ ଫୁସୁରୁ ଫାସୁରୁ ହେଉଥିଲେ। ଜାତୀୟ ଗଣମାଧ୍ୟମର ଜଣେ ସାମ୍ବାଦିକଙ୍କ ଅନୁଯାୟୀ ଯେବେ ସେ ଗାଁକୁ ପ୍ରବେଶ କଲେ ଜଣେ ତାଙ୍କୁ ପଚାରିଲା କୁଆଡେ ଯିବେ ? ଅନ୍ୟ ଜଣେ ପଚାରିଲା ମିଡିଆ ଲୋକ କି ? ଗାଁ ଲୋକଙ୍କୁ ଯେବେ ସେ ପଚାରିଲେ କିଛି ଘଟଣା ଘଟିଛି କି ?

ଜଣେ ଉତ୍ତରରେ କହିଲେ ଯେ, କିଛି ହୋଇ ନାହିଁ। ନିର୍ଭୟା ମାମଲାରେ ଗାଁର ପିଲା ଅକ୍ଷୟର ଫାଶୀ ହୋଇଛି। ଗୁରୁବାରଠୁ ମିଡିଆ ଲୋକ ଆମକୁ ହଇରାଣ କରୁଛନ୍ତି। ବାରମ୍ବାର ଆସି କିଛି ନା କିଛି ପଚାରୁଛନ୍ତି। ଏହା ମଧ୍ୟରେ ଗାଁର ଅନ୍ୟ ଜଣେ ଯୁବକ କହିଲେ ଏହି ପାଖରେ ଅକ୍ଷୟର ଘର। ମୁଁ ତାକୁ ବେଶ୍ ଭଲ ଭାବେ ଜାଣିଛି। ଦୁଃଖ ବି ଲାଗୁଛି, ମାତ୍ର ଏବେ ଶାନ୍ତି ତ ମିଳିଲା। ଯେବେଠୁ ନିର୍ଭୟାର ମାମଲା ଘଟିଛି ତେବେଠୁ ପୂରା ଗାଁ ହଇରାଣ ହେଉଥିଲା। ଆମର ସଂପର୍କୀୟ ଯେବେ ଆମ ଘରକୁ ଆସୁଥିଲେ ପଚାରୁଥିଲେ ଅକ୍ଷୟର ଘର କେଉଁଟା ? ତାର ଘର ଦେଖିବାକୁ ମଧ୍ୟ ଯାଉଥିଲେ। ସେହି ସମୟରେ ବହୁତ ଲଜ୍ଜା ଲାଗେ। ଭୁଲ କାମ ତ କରିଥିଲା, ତାର ସଜା ଏବେ ପାଇଲା।

{"id":241644,"sizeSlug":"large"}

ଗାଁ ଲୋକଙ୍କ ସହିତ କଥାବାର୍ତ୍ତା ହେବା ବେଳେ ଏବଂ ପରିସ୍ଥିତି ଦେଖି ସାମ୍ବାଦିକ ଅନୁଭବ କରିଥିଲେ ଯେ, ଗାଁର ଲୋକଙ୍କୁ ଅକ୍ଷୟକୁ ଫାଶୀରେ ଚଢାଇବାର ଦୁଃଖ ଥିଲା। ମାତ୍ର ମନରେ ଅବଶୋଷ ନଥିଲା। ସେ ଯାହା କଲା ସେଥିପ୍ରତି ଲୋକଙ୍କ ଅସନ୍ତୋଷ ଥିଲା। ଯେବେ ସାମ୍ବାଦିକ ଜଣକ ଗାଁ ଲୋକଙ୍କୁ ପଚାରି ବୁଝି ଅକ୍ଷୟର ଘରକୁ ଯାଇ କବାଟ ବାଡେଇଲେ, କେହି ହେଲେ ବାହାରକୁ ବାହାରି ନଥିଲେ। ଘରେ ଅକ୍ଷୟର ପିତା-ମାତା ଓ ଭାଇ ରହୁଥଲେ ମଧ୍ୟ କେହି କବାଟ ଖୋଲି ନଥିଲେ।

ଗାଁର ମୁଖିଆ ମାଳତୀ ଦେବୀ କହିଛନ୍ତି ଯେ, ଅକ୍ଷୟ ଯେମିତି କାମ କଲା ତାକୁ ସେମିତି ସଜା ମିଳିଲା। ଗାଁର ପିଲାଟାକୁ ଫାଶୀ ହେଉଛି ସେ ନେଇ ଦୁଃଖ ଲାଗୁଛି। ଅକ୍ଷୟ କାରଣରୁ ତାର ପରିବାର ଲୋକେ ନର୍କ ପରି ଜୀବନ ବିତାଉଛନ୍ତି। ଅକ୍ଷୟର ପତ୍ନୀ ପୁନିତା ଦେବୀ  ନିଜର ପୁଅକୁ ନେଇ ଦିଲ୍ଲୀ ଗଲା। ପୁତିନା ସହିତ ଅକ୍ଷୟର ବଡ ଭାଇ ବିନୟ ମଧ୍ୟ ଦିଲ୍ଲୀ ଗଲେ। ଘରେ ଏବେ ମାତା-ପିତା ଏବଂ ଜଣେ ଭାଇ ରହୁଛି।

{"id":241645,"sizeSlug":"large"}

ଅକ୍ଷୟ ବିଷୟରେ ପଚାରିବାରୁ ଜଣେ ଗାଁ ଲୋକ କହିଛନ୍ତି ଯେ, କଣ ପାଇଁ ଘାରେ ଲୁଣ ଦେବାକୁ ଆପଣ ଚାଲି ଆସୁଛନ୍ତି। ଅକ୍ଷୟର ଏହି ଗାଁ ସହିତ କୌଣସି ସଂପର୍କ ନାହିଁ। ସେ ଆମ ଗାଁର ଇଜ୍ଜତକୁ ମାଟିରେ ମିଶାଇ ଦେଲା। ୭-୮ ବର୍ଷ ପୂର୍ବେ ଆମ ଗାଁକୁ ଲୋକେ ସମ୍ମାନ ଦୃଷ୍ଟିରେ ଦେଖୁଥିଲେ। ଏହି ଗାଁର ଅନେକ ଯୁବକ ନିଜ ଦମରେ ଆଗକୁ ବଢିଲେ। ଯେବେଠୁ ନିର୍ଭୟା ମାମଲା ସାମ୍ନାକୁ ଆସିଲା ତେବେଠୁ ସମସ୍ତେ ଅକ୍ଷୟ ବିଷୟରେ ପଚାରୁଛନ୍ତି। ଜଣେ ପିଲା ଭୁଲ୍ କଲା ଓ ପୂରା ଗାଁ ବଦନାମ  ହୋଇଗଲା। ଆମର ସଂପର୍କୀୟ ଆମ ଘରକୁ ଆସିବାକୁ ଏବେ ସଙ୍କୋଚ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.