‘୭ ବର୍ଷଧରି ଲୁହ ଝରୁଥିବା ଆଖିକୁ ନ୍ୟାୟ ମିଳିଛି’ କୋର୍ଟଙ୍କ ରାୟ ପରେ କଣ କହିଛନ୍ତି ନିର୍ଭୟାର ମା… ଜାଣନ୍ତୁ
7/01/2020 at 5:54 PM

ନୂଆଦିଲ୍ଲୀ ୦୭।୦୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ମଙ୍ଗଳବାର ଦିନ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି । ଆସନ୍ତା ୨୨ତାରିଖ ସକାଳ ୭ଟା ସମୟରେ ସମସ୍ତ ୪ଦୋଷୀଙ୍କୁ ପାଶୀ ଦିଆଯିବ । କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଦୀର୍ଘ ସାତ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଥିବା ନିର୍ଭାୟାର ମା ଆଶାଦେବୀ କହିଛନ୍ତି ଯେ, ଶେଷରେ ମୋ ଝିଅକୁ ନ୍ୟାୟ ମିଳିଛି । ଏ ଲଢେଇ ଆମର ନୁହେଁ, ବରଂ ଏହା ଦେଶର ଲଢେଇ । ଦୋଷୀଙ୍କୁ ଫାଶୀ ଦେବା ଲାଗି ଆଜି ଯେଉଁ ରାୟ ପ୍ରକାଶ ପାଇଛି , ତାହା ଆଗାମୀ ଦିନରେ ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କ ଅଧିକ ଭରସା ଓ ବିଶ୍ବାସ ବଢିବ । ସାତ ବର୍ଷ ଧରି ଲୁହ ଝରୁଥିବା ଆଖିକୁ ଆଜି ନ୍ୟାୟ ମିଳିଛି ।

ସେପଟେ ନିର୍ଭୟାର ବାପା ବଦ୍ରିନାଥ ସିଂହ କହିଛନ୍ତି ଯେ, କୋର୍ଟଙ୍କ ଏହି ରାୟରେ ଆମ ବହୁତ ଖୁସି ଅଛୁ । ଆଗାମୀ ୨୨ତାରିଖ ସକାଳ ୭ଟାରେ ୪ଦୋଷୀଙ୍କୁ ଫାଶୀରେ ଝୁଲାଯିବ , ଯାହାଦ୍ବାରା ଦେଶରେ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବ । ଦୋଷୀଙ୍କୁ ଦଣ୍ଡ ମିଳିବା ପରେ ନିର୍ଭୟା ଫଟୋରେ ଫୁଲ ମାଳ ଚଢାଇବୁ ବୋଲି କହିଛନ୍ତି ବଦ୍ରିନାଥ ।

ସୂଚନାଯୋଗ୍ୟ ଯେ, ଦେଶର ରାଜଧାନୀ ଦିଲ୍ଲୀରେ ୨୦୧୨ ଡିସେମ୍ବର ୧୬ତାରିଖ ରାତିରେ ଜଣେ ପାରାମେଡିକାଲ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମଙ୍ଗଳବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟ ରାୟ ଶୁଣାଇଛନ୍ତି । କୋର୍ଟ ରାୟ ଶୁଣାଇ ସମସ୍ତ ୪ଜଣ ଦୋଷୀଙ୍କୁ ଆସନ୍ତା ଜାନୁଆରୀ ୨୨ତାରିଖ ଦିନ ସକାଳ ୭ଟାରେ ଫାଶୀ ଦେବା ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି ।