ହାଥରସ ପୀଡିତାଙ୍କ ମାଙ୍କୁ ଭେଟିବେ ନିର୍ଭୟାଙ୍କ ମା, କହିଲେ- ଆମର ଲିଗାଲ ଟିମ୍ ସବୁ ପ୍ରକାରର ସାହାଯ୍ୟ କରିବେ

Published By : Prameya-News7 Bureau | September 30, 2020 IST

ନୂଆଦିଲ୍ଲୀ ୩୦।୦୯: ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ପୂରା ଦେଶରେ ଆକ୍ରୋଶର ମାହୋଲ। କେବଳ ଏତିକି ନୁହେଁ ଦିଲ୍ଲୀରେ ୨୦୧୨ରେ ଏକ ବସ୍‌ରେ ଘଟିଥବା ଅମାନବୀୟ ଘଟଣାରେ ନିଜ ଝିଅଙ୍କୁ ହରାଇଥିବା ନିର୍ଭୟାଙ୍କ ମା ଆଶା ଦେବୀ ଏବେ ଏହି ମାମଲାରେ ଆଗକୁ ଆସିଛନ୍ତି। ସେ ଲଗାତାର ହାଥରସ କାଣ୍ଡର ଅଭିଯୁକ୍ତଙ୍କୁ ଫାଶି ଦେବାକୁ ଦାବି କରିଛନ୍ତି।

ଆଶା ଦେବୀ କହିଛନ୍ତି ଗଣମାଧ୍ୟମରୁ ସେ ହାଥରସ ବର୍ବରକାଣ୍ଡ ଖବର ଜାଣିବାକୁ ପାଇଲି। ଏହା ପରେ ପୋଲିସର ଅବହେଳା, ବଳପୂର୍ବକ ଦାହ ସଂସ୍କାର କରିବା ଖବର ତାଙ୍କୁ ବହୁତ ବିଚଳିତ କରିଛି। ସେ କହିଛନ୍ତି ଯେ ପୋଲିସ ଆରମ୍ଭରୁ ଏହି ମାମଲାରେ ବେପରୁଆ ମନୋଭାବ ଦେଖାଇଛି। ପ୍ରଥମେ ମାମଲା ରୁଜୁ କରିବାକୁ ଚାହିଁନଥିଲା ଏବଂ ପୁଣି ଦୁର୍ବଳ ଧାରା ଲଗାଇ ଆରୋପିଙ୍କ ବିରୋଧରେ କେସ୍‌ ରୁଜୁ କରିଥିଲା। ହାଥରସର ଝିଅକୁ ନ୍ୟାୟ ଦେବା ସହିତ ପୋଲିସର କାର୍ଯ୍ୟଶୈଳୀର ମଧ୍ୟ ଯାଞ୍ଚ ହେବା ଉଚିତ୍। ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଆଶା ଦେବୀ କହିଛନ୍ତି।

ଆଶା ଦେବୀ କହିଛନ୍ତି ସେ ପୀଡିତାଙ୍କ ମା ସହିତ ସେ କଥା ହେବେ। ଶୀଘ୍ର ତାଙ୍କୁ ଭେଟିବାକୁ ଯିବେ। କେବଳ ଏତିକି ନୁହେଁ ନିର୍ଭୟା ମାମଲା ଲଢିଥିବା ଏବଂ ଜିତାଇଥିବା ତାଙ୍କ ଓକିଲ ଟିମ୍‌ ହାଥରସ ପୀଡିତାଙ୍କ ପରିଜନଙ୍କୁ ଯାହା ସବୁ ଦରକାର ସମସ୍ତ ନ୍ୟାୟିକ ସହାୟତା ଯୋଗାଇ ଦେବେ। ଏଥିପାଇଁ ସେ ଲଗାତାର ନିଜର ଏନଜିଓ ନିର୍ଭୟା ଜ୍ୟୋତି ଟ୍ରଷ୍ଟରେ କାମ କରୁଥିବା ଲୋକଙ୍କ ସହିତ ଆଲୋଚନା କରୁଛନ୍ତି। ଏହା ସହିତ ସେ ହାଥରସ ପୀଡିତାଙ୍କ ବାପା-ମାଙ୍କୁ ନ୍ୟାୟ ପାଇଁ ଲଢେଇ କରିବାକୁ ଏବଂ ଏହି ଘଟଣାରେ ସେ ତାଙ୍କ ସହିତ ରହିଥିବା ବୋଲି କହିଛନ୍ତି।

ଏହା ସହିତ ସେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଏହି କେସ୍‌ର ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟରେ ପଠାଇବାକୁ ଦାବି କରିଛନ୍ତି। ଆଶା ଦେବୀ କହିଛନ୍ତି ନିର୍ଭୟା ମାମଲାକୁ ମଧ୍ୟ ଫାଷ୍ଟ ଟ୍ରାକକୁ  ପଠାଯାଇଥିଲା। ଏହା ସତ୍ଵେ ବି ନ୍ୟାୟ ମିଳିବାରେ ସାତ ବର୍ଷ ଲାଗି ଯାଇଥିଲା। କିନ୍ତୁ ହାଥରସ ଝିଅକୁ ନ୍ୟାୟ ଦେବାରେ ଏତେ ସମୟ ନଲାଗୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.