ନିର୍ଭୟା ଦୋଷୀ ଆଇନକୁ କଲେ ଖେଳଘର : ଜଣଙ୍କ ଆବେଦନ ଖାରଜ ପରେ ଆଉ ଜଣେ କରୁଛି ଆବେଦନ
2/02/2020 at 10:30 AM

ନୂଆଦିଲ୍ଲୀ ୨/୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୨ମସିହା ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦ୍ବିତୀୟ ଦୋଷୀର ଦୟା ଆବେଦନ ଖାରଜ କରି ଦେଇଛନ୍ତି। କେନ୍ଦ୍ର ସରକାର ଗତକାଲି ଦିଲ୍ଲୀର ଉଚ୍ଚ ନ୍ୟାୟାଳୟକୁ କହିଛନ୍ତି ଯେ ୪ଦୋଷୀ ନ୍ୟାୟିକ ପ୍ରକ୍ରିୟାକୁ ଖେଳଘର ଭାବିଛନ୍ତି ଏବଂ ଫାଶୀରୁ ବର୍ତ୍ତିବା ପାଇଁ ମିଶି କାମ କରୁଛନ୍ତି।
ରାଷ୍ଟ୍ରପତି ଦୋଷୀ ବିନୟ କୁମାର ଶର୍ମା(୨୬)ର ରାଜକ୍ଷମା ଆବେଦନ ଖାରଜ କରାଯିବାର କିଛି ଘଣ୍ଟା ପରେ ତୃତୀୟ ଦୋଷୀ ଅକ୍ଷୟ ଠାକୁର(୩୧) ରାଜକ୍ଷମା ଆବେଦନ କରିଥିଲା।
ମୁକେଶର ରାଜକ୍ଷମା ଆବେଦନ ଖାରଜ ହୋଇସାରିଛି। ତଳ ଅଦାଲତ ଗତ ଶୁକ୍ରବାର ୪ଦୋଷୀଙ୍କ ଫାଶୀ ଦଣ୍ଡ ଆସନ୍ତା ଶୁଣାଣି ପାଇଁ ସ୍ଥଗିତ କରିଦେଇଛି। ଏହି ଚାରି ଦୋଷୀଙ୍କୁ ପ୍ରଥମେ ଶନିବାର ସକାଳ ୬ଟା ବେଳେ ତିହାର ଜେଲରେ ଫାଶୀ ଦିଆଯିବାର ଥିଲା। ଏହା ଦ୍ବାରା ଦୋଷୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଦୁଇ ଥର ଆଶ୍ବସ୍ତି ମିଳିଯାଇଥିଲା। କେନ୍ଦ୍ର ଦୋଷୀଙ୍କ ଫାଶୀ ତାରିଖ ସ୍ଥଗିତ କରିବା ପାଇଁ ତଳ ଅଦାଲତର ନିଷ୍ପତ୍ତିକୁ ଶନିବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ ଆବେଦନର ତତ୍କାଳ ଶୁଣାଣି ପାଇଁ ମୁଖ୍ୟ ନ୍ୟାୟାଧ୍ୟକ୍ଷ ଡି ଏନ୍ ପଟେଲଙ୍କୁ ଲେଖିଥିଲେ। ସଲିସିଟର ଜେନେରାଲ୍ ତୁଷାର ମେହତା ଅଦାଲତଙ୍କୁ କହିଛନ୍ତି ଯେ ନିର୍ଭୟା ମାମଲାରେ ଦୋଷୀମାନେ ଆଇନକୁ ଖେଳଘର ଭାବିଛନ୍ତି ଏବଂ ଫାଶୀରୁ ବର୍ତ୍ତିବା ପାଇଁ ମିଶି ଲାଗିଛନ୍ତି।