ନିର୍ଭୟା ମାମଲାର ଦୁଇ ପରିଣତି: କାହାଘରେ କାନ୍ଦ ବୋବାଳି ତ କାହାଘରକୁ ଆସୁଛି ଖୁସି...

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ୨୦/୩: ନିର୍ଭୟାଙ୍କୁ ମିଳିଲା ନ୍ୟାୟ। ଦୀର୍ଘ ୭ ବର୍ଷ ସଂଘର୍ଷର ଅନ୍ତ ଘଟିଛି। କୋର୍ଟ ଚାରିପଟେ ଆଉ ନିର୍ଭୟା ମାଆ, ବାପାଙ୍କୁ ଚକ୍କର୍ କାଟିବାକୁ ପଡ଼ିବ ନାହିଁ। ଆଜି ଦିନଟି ନିର୍ଭୟା ବାପା, ମାଆଙ୍କ ପାଇଁ ସବୁଠୁ ଖୁସିର ଦିନ। ଏପଟେ ଚାରି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପରେ ପଓ୍ବନ ଜହ୍ଲାଦ ବହୁତ ଖୁସି ଅଛନ୍ତି। ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ବାବଦକୁ  ଜହ୍ଲାଦ ପଓ୍ବନ ଯାହା ଟଙ୍କା ପାଇବେ, ସେଥିରେ ତାଙ୍କ ଝିଅ ବାହାର କରିବେ। ପଓ୍ବନ ଜହ୍ଲାଦ କହିଛନ୍ତି, ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ସେ ବହୁତ ଖୁସି ହୋଇ ଯାଇଥିଲେ। ହେଲେ ଦୋଷୀଙ୍କ ପ୍ରଥମ ଡେଥ୍‌ ଓ୍ବାରେଣ୍ଟ ଟଳି ଯାଇଥିଲା। ଚାରି ଦୋଷୀ ଫାଶୀ ପାଇବା ପରେ ପଓ୍ବନ ନିଜ ଝିଅ ବାହାଘର କରିବେ ବୋଲି ସ୍ଥିର କରିଥିଲେ।

ପଓ୍ବନ କହିଛନ୍ତି ଯେ, ଦେଶରେ ପ୍ରଥମ ଥର ୪ ଦୋଷୀଙ୍କୁ ଏକାସାଙ୍ଗରେ ଫାଶୀ ଦିଆଯାଇଛି। ପୂର୍ବରୁ କେବଳ ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ବାବଦରେ ତାଙ୍କୁ ପାରିଶ୍ରମିକ ମିଳୁଥିଲା। ଏଥର କିନ୍ତୁ ତାଙ୍କୁ ଏକକାଳୀନ ମୋଟା ଅଙ୍କର ଟଙ୍କା ମିଳିବ। ଏତେ ଟଙ୍କା କଣ କରିବେ ? ଏହି ପ୍ରଶ୍ନରେ ପଓ୍ବନ ଜହ୍ଲାଦ କହିଥିଲେ, ତାଙ୍କ ଜୀବନରେ ପ୍ରଥମ ଥର ଚାରିଜଣଙ୍କୁ ଏକାସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଇଛନ୍ତି। ତେଣୁ ତାଙ୍କ ପାରିଶ୍ରମିକ ବାବଦକୁ ଯେଉଁ ଟଙ୍କା ମିଳିବ, ସେଥିରେ ସେ ଝିଅ ବାହାଘର କରିବେ।

ପଓ୍ବନଙ୍କ ପୂର୍ବରୁ ତାଙ୍କ ପୂର୍ବଜମାନେ ମଧ୍ୟ ଏହି କାମ କରି ଗୁଜୁରାଣ ମେଣ୍ଟାଉଥିଲେ।  ତାଙ୍କ ଜେଜେଙ୍କ ବାପା ଲକ୍ଷ୍ମଣ ଜହ୍ଲାଦ, ଜେଜେ ବାପା, କାଲୁରାମ ଜହ୍ଲାଦ ଏବଂ ତାଙ୍କ ବାପା ମମ୍ମୁ ଜହ୍ଲାଦ ଚାରି ପୀଡ଼ି ଧରି ଜହ୍ଲାଦ କାମ କରି ଆସୁଛନ୍ତି। ତେବେ ରାଙ୍ଗା- ବିଲ୍ଲାଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀ ସତବନ୍ତ ସିଂହ ଏବଂ କେହର ସିଂହ ଭଳି ଦୋଷୀଙ୍କୁ ଏହି ତିହାର ଜେଲରେ ପଓ୍ବନ ଜହ୍ଲାଦଙ୍କ ଜେଜେ ବାପା କାଲୁରାମ ଜହ୍ଲାଦ ଫାଶୀ ଖୁଣ୍ଟରେ ଝୁଲାଇଥିଲେ।

ପଓ୍ବନ ଜହ୍ଲାଦଙ୍କ ପରିବାରରେ ୭ ଜଣ ସଦସ୍ୟ। ସ୍ବାମୀ, ସ୍ତ୍ରୀଙ୍କ ସମେତ ୫ ଝିଅ ଏବଂ ୨ ପୁଅ। ତିନି ଝିଅଙ୍କ ବାହାଘର ହୋଇ ସାରିଥିବା ବେଳେ ୨ ଝିଅ ଘରେ ଅଛନ୍ତି। ୫୭ ବର୍ଷ ବୟସ୍କ ପଓ୍ବନ ଜହ୍ଲାଦ କହିଛନ୍ତି, ଏକାସାଙ୍ଗରେ ଚାରି ଦୋଷୀଙ୍କୁ ଠିକ୍‌ ଭାବେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ସକ୍ଷମ ହୋଇଥିଲେ।‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.