ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ସ୍ଥିର ହୋଇପାରେ ଦୋଷୀଙ୍କ ଫାଶୀ ତାରିଖ

Published By : Prameya-News7 Bureau | January 07, 2020 IST

ନୂଆଦିଲ୍ଲୀ ୭।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଉପରେ ମଙ୍ଗଳବାର ଆସିପାରେ ଶେଷ ନିଷ୍ପତ୍ତି । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ନିର୍ଭୟାଙ୍କ ମା’ କରିଥିବା ଆବେଦନ ଉପରେ ଶୁଣାଣି ହେବ । ନିର୍ଭୟାଙ୍କ ମା’ ସମସ୍ତ ଦୋଷୀଙ୍କୁ ଖୁବ୍ ଶୀଘ୍ର ଫାଶୀ ଦେବାପାଇଁ ଆବେଦନ କରିଛନ୍ତି । ପୂର୍ବରୁ ପଟିଆଲା ହାଉସ୍ କୋର୍ଟ ଦୋଷୀମାନଙ୍କୁ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରିବା ପାଇଁ ୭ ଜାନୁଆରୀ ପର୍ଯ୍ୟନ୍ତ ସମୟ ଦେଇଥିଲେ । ଫଳରେ ତିହାର ଜେଲ୍ ପକ୍ଷରୁ ୪ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଦୋଷୀମାନେ ଦୟା ଆବେଦନ ଦାଖଲ କରିବେ କି ନାହିଁ ବୋଲି ସେମାନଙ୍କୁ ନୋଟିସ୍ ରେ ପଚରାଯାଇଥିଲା ।

ଗତ ମାସରେ ବିଚାରପତି ସତୀଶ କୁମାର ଅରୋଡା ଜାନୁଆରୀ ୭ ତାରିଖରେ ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ ରଖିଥିଲେ । ସେ ତିହାର ଜେଲର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଜେଲ୍ ରେ ଥିବା ସମସ୍ତ ଦୋଷୀଙ୍କୁ ପୁର୍ନବାର ନୋଟିସ୍ ଜାରି କରିବା ପାଇଁ । ସେମାନଙ୍କୁ ସମସ୍ତ ଆଇନଗତ କାର୍ଯ୍ୟର ଅନୁପାଳନ ପାଇଁ ସମୟ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଶୁଣାଣି ପାଇଁ ଲମ୍ବା ସମୟ ଦିଆଯାଇଥିବାରୁ ନିର୍ଭୟାଙ୍କ ମା’ ଆଶା ଦେବୀ ନିରାଶ ହୋଇଯାଇଥିଲେ । ବିଚାରପତି ତାଙ୍କୁ କହିଥିଲେ ଯେ, ‘ମୋର ଆପଣଙ୍କ ପାଇଁ ସହାନୁଭୂତି ରହିଛି । ମୁଁ ଜାଣିଛି ଯେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କର ମଧ୍ୟ କିଛି ଅଧିକାର ରହିଛି । ଆମେ ଆପଣଙ୍କ କଥା ଶୁଣିବାକୁ ଅଛୁ । ମାତ୍ର ଆଇନ ହାତରେ ବନ୍ଧା ମଧ୍ୟ ଅଛୁ ।’ ଶୁଣାଣି ବେଳେ ଅଭିଯୁକ୍ତ ଅକ୍ଷୟ, ପଓ୍ବନ, ବିନୟ ଏବଂ ମୁକେଶ ବିରୋଧରେ ଡେଥ୍ ଓ୍ବାରେଣ୍ଟ ଜାରି କରିବା ପାଇଁ ଆବେଦନ କରାଯାଇଥିଲା ।

ଶୁଣାଣିର ପ୍ରଥମ ଦିନରେ ଦୋଷୀ ଅକ୍ଷୟ କୁମାର ସିଂହଙ୍କ ପକ୍ଷରୁ ପୁର୍ନବିଚାର ଆଦେବନ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ । ଜଷ୍ଟିସ୍ ଏ ଏସ ବୋପନ୍ନା ଏବଂ ଜଷ୍ଟିସ୍ ଆର୍ ଭାନୁମତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁର୍ନବିଚାର ଆବେଦନକୁ ଯୋଗ୍ୟତା ଆଧାରରେ ଖାରଜ କରିଦେଇଥିଲେ ।

ସୂଚନାଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ଗଣ ଦୁଷ୍କର୍ମ କରାଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଚଳନ୍ତା ବସରୁ ଫିଙ୍ଗି ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟାଙ୍କର ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ୍ ହସପିଟାଲରେ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.