୨୨ରେ ନିର୍ଭୟା ଦୋଷୀଙ୍କୁ ହୋଇନପାରେ ଫାଶୀ : ଦିଲ୍ଲୀ ସରକାର କହିଲେ, ରାଷ୍ଟ୍ରପତିଙ୍କ ପାଖରେ ରହିଛି କ୍ଷମା ଯାଚିକା

Published By : Prameya-News7 Bureau | January 15, 2020 IST

ନୂଆଦିଲ୍ଲୀ ୧୫।୧: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ୪ ଜଣଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦିଆନଯାଇପାରେ । ଡେଥ୍ ୱାରେଣ୍ଟ ଜାରି ହୋଇଥିଲେ ବି ୪ ଦୋଷୀଙ୍କ ଫାଶୀ ଦଣ୍ଡ ତାରିଖ ଘୁଞ୍ଚିପାରେ । ଦିଲ୍ଲୀ ସରକାରଙ୍କ ପକ୍ଷରୁ କିଛି ଯୁକ୍ତି ପରେ ଏପରି ଆଶଙ୍କା ସୃଷ୍ଟି ହୋଇଛି । ଦିଲ୍ଲୀ ସରକାର କହିଛନ୍ତି, ୨୨ ତାରିଖରେ ୨୦୧୨ର ଅପରାଧୀମାନଙ୍କୁ ଫାଶୀ ଦିଆଯାଇପାରିବ ନାହିଁ, କାରଣ ରାଷ୍ଟ୍ରପତିଙ୍କ ନିକଟରେ ଏକ କ୍ଷମା ଯାଚିକା ବିଚାରାଧୀନ ରହିଛି ।

ଦିଲ୍ଲୀ ସରକାର କହିଛନ୍ତି, ନିୟମ ତଥା କର୍ତ୍ତବ୍ୟ ଅନୁଯାୟୀ ୨୨ ତାରିଖରେ ନିର୍ଭୟା  ଦୋଷୀଙ୍କୁ ଫାଶୀ ଦିଆଯିବା ସମ୍ଭବ ହେବନି । ଜେଲ୍ ନିୟମ ଅନୁଯାୟୀ  ସରକାରଙ୍କୁ କ୍ଷମା ଯାଚିକା ନିଷ୍ପତ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ତାପରେ ହିଁ ଡେଥ୍ ୱାରେଣ୍ଟର କାର୍ଯ୍ୟକାରୀ କରାଯିବ । ଏହା  ନିୟମ ଏବଂ ସରକାର ଏହି ନିୟମ ଅନୁଯାୟୀ ଯାହା କିଛି କରିବେ ।

ମଙ୍ଗଳବାର ଦିନ ସୁପ୍ରିମକୋର୍ଟ  ଗଣଦୁଷ୍କର୍ମ ଏବଂ ହତ୍ୟା ମାମାଲାରେ ଦୋଷୀ ତଥା ମୃତ୍ୟୁଦଣ୍ଡ ଆଦେଶ ପାଇଥିବା ଦୁଇ ଜଣଙ୍କ କ୍ୟୁରେଟିଭ ପିଟିସନ ସର୍ବୋଚ୍ଚ ଅଦାଲତରେ ଖାରଜ ପରେ  ମୁକେଶ ତୁରନ୍ତ ରାଷ୍ଟ୍ରପତିଙ୍କୁ କ୍ଷମା  ଦେବାକୁ ପ୍ରାର୍ଥନା କରି ଆବେଦନ କରିଥିଲା । ଏବେ ତାହା ବିଚାରାଧୀନ ରହିଛି । ଏହାସହ ମୁକେଶ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରି  ଅତିରିକ୍ତ ସେସନ୍ସ ଜଜ୍ଙ୍କ ଦ୍ବାରା ଜାରି ଡେଥ୍ ୱାରେଣ୍ଟକୁ ମଧ୍ୟ ଚ୍ୟାଲେଞ୍ଜ କରିଛି । ଓକିଲ ବୀରେନ୍ଦ୍ର ଗ୍ରୋଭରଙ୍କ ଜରିଆରେ କରିଥିବା ଆବେଦନରେ ସେ ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା ଆବେଦନ କରିଥିବା ଯୁକ୍ତି କରିଛି । ଆଇନଜୀବୀ ଗ୍ରୋଭର ମଧ୍ୟ ଯୁକ୍ତି ରଖିଛନ୍ତି ଯେ, ତାଙ୍କ ମହକିଲର କ୍ଷମା ଯାଚିକା ଅଗ୍ରାହ୍ୟ ହେବା ପରେ ବି ତାଙ୍କୁ ୧୪ ଦିନ ନୋଟିସ ପିରିୟଡ ଅବଧି ମଞ୍ଜୁର କରାଯିବା ଦରକାର । ଏହି ସବୁ ଦୃଷ୍ଟିରୁ ୪ ଦୋଷୀଙ୍କ ଫାଶୀଦଣ୍ଡର କାର୍ଯ୍ୟକାରିତାରେ ବିଳମ୍ବ ଆଶଙ୍କା କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ୪ ଦୋଷୀ ମୁକେଶ ସିଂ, ପୱାନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ ସିଂ ୨୦୧୨ ଡିସେମ୍ବରରେ ଦିଲ୍ଲୀରେ ଜଣେ ପାରାମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସରେ ଗଣଦୁଷ୍କର୍ମ ସହ ହତ୍ୟା କରିଥିଲେ । ତେବେ ଏହି ଘଟଣାରେ ସଂପୃକ୍ତ ଜଣେ ନାବାଳକ ଦୋଷୀ ସାବ୍ୟସ୍ତ ହୋଇଥିଲେ ବି ୩ ବର୍ଷ ଜେଲ୍ ପରେ ମୁକ୍ତ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.