ଅଟକିବନି ‘ଡେଥ୍ ୱାରେଣ୍ଟ’ ନିର୍ଭୟାଦୋଷୀଙ୍କ ଲାଗି କାଲି ହେବ ଶେଷ ସୂର୍ଯ୍ୟୋଦୟ
19/03/2020 at 3:31 PM

ନୂଆଦିଲ୍ଲୀ ୧୯।୩: ନିର୍ଭୟା ରେପ୍ କେସ୍ରେ ଦୋଷୀମାନଙ୍କର ମାର୍ଚ୍ଚ ୨୦ ତାରିଖରେ ହେବାକୁ ଥିବା ଫାଶୀ ଲାଗି ରାସ୍ତା ସଫା ହୋଇଯାଇଛି। ୪ ଦୋଷୀଙ୍କ ମୃତ୍ୟୁ ଦଣ୍ଡବିଧାନ ନେଇ ଜାରି ହୋଇଥିବା ‘ଡେଥ ୱାରେଣ୍ଟ’ ଉପରେ ରହିତା ଦେଶ ଲାଗି ଗୁରୁବାର ମନା କରିଦେଇଛନ୍ତି। ଏ ବାବଦରେ ନ୍ୟାୟାଳୟରେ ଦାୟର ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

କୋର୍ଟରେ ଗୁରୁବାର ଦୋଷୀମାନଙ୍କ ନିବେଦନର ଶୁଣାଣି ବେଳେ ହାଇ ଭୋଲ୍ଟେଜ ଡ୍ରାମା ହୋଇଥିଲା। ଫଳରେ କୋର୍ଟ ରୁମରେ ଅସ୍ୱଭାବିକ ପରିସ୍ଥିତି ଉପୁଜିଥିଲା। ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂହର ପତ୍ନୀ କନ୍ଦାକଟା କରି ଅସ୍ଥିର ହୋଇପଡିଥିଲେ। ନିର୍ଭୟାଙ୍କ ମାଙ୍କ ଗୋଡତଳେ ପଡି ଫାଶୀ ଟାଳିବାକୁ ନିବେଦନ କରିଥିଲେ।

ତେବେ ପାଟିଆଲା ହାଉସ୍କୋର୍ଟରେ ଦୋଷୀମାନଙ୍କ ପିଟିସନ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟରେ ଅକ୍ଷୟ ସିଂହର ରିଭ୍ୟୁପିଟିସନର ଶୁଣାଣି ହୋଇଥିଲା। କ୍ଷମାନିବେଦନକୁ ରାଷ୍ଟ୍ରପତି ଅଗ୍ରାହ୍ୟ କରିଥିବାରୁ ସେ ସୁପ୍ରିମକୋର୍ଟରେ ଏହାକୁ ଚାଲେଞ୍ଜ କରିଥିଲା। ଓକିଲ ଏ.ପି.ସିଂହ ଦୋଷୀଙ୍କ ପକ୍ଷରେ ତର୍କ ରଖି ଜଷ୍ଟିସ୍ କୁରିୟନ ଜୋସେଫଙ୍କ ରାୟର ଉଦାହରଣ ଦେଇଥିଲେ। ଏଥିରେ କୁରିୟନ ନିର୍ଭୟା ମାମଲାର ଦୋଷୀମାନେ ଯୁବାବୟସର ହୋଇଥିବାରୁ ସେମାନଙ୍କୁ ଦଣ୍ଡିତ କରିବା ବେଳେ ଦୟା ପ୍ରଦର୍ଶନ ଲାଗି ଉଲ୍ଲେଖ କରିଥିଲେ ବୋଲି କହିଥିଲେ। ତେବେ କୋର୍ଟ ଅକ୍ଷୟର କ୍ୟୁରେଟିଭ ପିଟିସନକୁ ଅଗ୍ରାହ୍ୟ କରିଦେଇଥିଲେ।