ଫାଶୀ ପୂର୍ବ ରାତିରେ ଶୋଇନଥିଲେ ୪ ଦୋଷୀ, କହିଲେନାହିଁ ଶେଷ ଇଚ୍ଛା
20/03/2020 at 9:33 AM

ନୂଆଦିଲ୍ଲୀ ୨୦।୩: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଶେଷରେ ଫାଶୀ ଦିଆଯାଇଛି। ଏହି ୪ ଜଣ ଦୋଷୀଙ୍କୁ ୨୦ ମାର୍ଚ୍ଚ ସକାଳ ୫ଟା ୩୦ ମିନିଟରେ ଫାଶୀ ଦିଆଯାଇଛି। ଫାଶୀ ଦେବା ପୂର୍ବରୁ, ୪ ଜଣ ଦୋଷୀ ଶେଷ ସମୟ ଅସ୍ଥିରତା ମଧ୍ୟରେ କାଟିଥିଲେ । ଯେଉଁ କୋଠରୀରେ ସେମାନେ ରହୁଥିଲେ, ସେହି ଠାରୁ ସିଧାସଳଖ ଫାଶୀ ଦେବା ସ୍ଥାନକୁ ନିଆଯାଇଥିଲା | ଦୋଷୀଙ୍କ ଶେଷ ରାତି କିପରି କଟିଲା ଏବଂ ସେମାନଙ୍କର ଶେଷ ଇଚ୍ଛା କ’ଣ ଜାଣନ୍ତୁ…
ଫାଶୀ ଦେବା ପୂର୍ବରୁ ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ଏବଂ ବିନୟ ରାତ୍ରିଭୋଜନ କରିଥିଲେ, କିନ୍ତୁ ପୱନ ଏବଂ ଅକ୍ଷୟ ଖାଇନଥିଲେ। ଦୋଷୀଙ୍କ ଓକିଲ ଏପି ସିଂ ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତଙ୍କୁ ସେମାନଙ୍କ ପରିବାର ଲୋକଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ଦିଆଯାଉନାହିଁ । କିନ୍ତୁ ଦୋଷୀ ମୁକେଶଙ୍କ ପରିବାରଲୋକ ଶେଷ ଥର ପାଇଁ ଫାଶୀ ପୂର୍ବରୁ ସାକ୍ଷାତ କରିଥିଲେ।
ଅନ୍ୟପଟେ ସମସ୍ତ ଦୋଷୀମାନେ ଶେଷ ସମୟ ଅସ୍ଥିରତା ମଧ୍ୟରେ ବିତାଇଥିଲେ। ସମସ୍ତ ଦୋଷୀ ରାତିସାରା ଶୋଇ ପାରିନଥିଲେ । ଦୋଷୀମାନଙ୍କୁ ମଧ୍ୟ ଜଳଖିଆ ପାଇଁ ପଚରା ଯାଇଥିଲା । କିନ୍ତୁ ସେମାନେ ମନା କରିଦେଇଥିଲେ। ଏହି ଚାରିଜଣ ଦୋଷୀଙ୍କୁ ତିହାର ଜେଲ୍ ନମ୍ବର ୩ ରେ ରଖାଯାଇଥିଲା। ସେଥିମଧ୍ୟରୁ ଜଣେ ଦୋଷୀଙ୍କୁ ୱାର୍ଡ ନମ୍ବର ୧ରେ ରଖାଯାଇଥିବା ବେଳେ ଅନ୍ୟ ଦୋଷୀଙ୍କୁ ୱାର୍ଡ ନମ୍ବର ୭ ସେଲରେ ଏବଂ ଅବଶିଷ୍ଟ ଦୁଇଜଣ ଦୋଷୀଙ୍କୁ ନମ୍ବର ୮ ସେଲରେ ରଖାଯାଇଥିଲା । ଏହି ସେଲ୍ ଗୁଡିକର ରାସ୍ତା ସିଧାସଳଖ ଫାଶୀ ଦିଆଯିବା ସ୍ଥାନ ପର୍ଯ୍ୟନ୍ତ ଯାଉଥିଲା |
ସମସ୍ତ ୪ ଜଣ ଦୋଷୀଙ୍କ ଉପରେ ରାତିସାରା ତୀକ୍ଷ୍ଣ ନଜର ରଖାଯାଇଥିଲା । ୧୫ ଜଣିଆ ଟିମ୍ ପୃଥକ ଭାବରେ ନିୟୋଜିତ ହୋଇଥିଲେ । ୪ ଜଣ ଦୋଷୀଙ୍କୁ ଫାଶୀ ଦେବା ପରେ ସେମାନଙ୍କ ମୃତଦେହ ପୋଷ୍ଟ ମର୍ଟମ ପାଇଁ ନିଆଯାଇଛି ।
ଶୁକ୍ରବାର ସକାଳ ପୋଷ୍ଟମର୍ଟମ ହେବ । ଏହାପରେ ପରିବାର ସଦସ୍ୟଙ୍କୁ ମୃତଦେହ ବିଷୟରେ ପଚରାଯିବ | ଯଦି ପରିବାର ମୃତଦେହ ନ ନିଅନ୍ତି, ତେବେ ଜେଲ୍ ନିୟମ ଅନୁଯାୟୀ ଅନ୍ତିମ ସଂସ୍କାର କରାଯିବ।
କୌଣସି ଦୋଷୀ କୌଣସି ଶେଷ ଇଚ୍ଛା ପ୍ରକାଶ କରିନଥିଲେ । ତଥାପି ଦୋଷୀମାନଙ୍କ ଦ୍ବାରା ଯାହା କିଛି ରୋଜଗାର ହୋଇଛି ତାହା ପରିବାରଲୋକକୁ ଦିଆଯିବା ନିଶ୍ଚିତ ।