ଡରାଇଲାଣି ଫାଶୀ, ଜେଲ୍ କାନ୍ଥରେ ମୁଣ୍ଡ ପିଟି ନିର୍ଭୟା ଦୋଷୀ ବିନୟ ହେଲା ଆହତ

Published By : Prameya-News7 Bureau | February 20, 2020 IST

ନୂଆଦିଲ୍ଲୀ ୨୦।୨: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ବିନୟ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଛି । ଜେଲ୍ କାନ୍ଥରେ ମୁଣ୍ଡ ପିଟି ପିଟି ନିଜକୁ ଆହତ କରିଛି ବିନୟ । କେବଳ ସେତିକି ନୁହେଁ ଜେଲ୍ ଗ୍ରୀଲରେ ହାତ ପୁରାଇ ଫ୍ରାକ୍ଚର କରିବାକୁ ମଧ୍ୟ ଉଦ୍ୟମ କରିଛି ।

ଏବେ ବିନୟ ତିହାରର ୩ନମ୍ବର ଜେଲରେ ବନ୍ଦୀ ଭାବରେ ରହିଛି । ନିର୍ଭୟା ମାମଲାର ୪ଦୋଷୀଙ୍କ ଭିତରୁ ୩ଜଣଙ୍କ ପାଖରେ ଆଇନ ଫନ୍ଦାରୁ ଖସିବା ପାଇଁ ସବୁ ବାଟ ବନ୍ଦ ହୋଇଯାଇଛି । କେବଳ ପବନ ଗୁପ୍ତା ପାଖରେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନର ସୁଯୋଗ ରହିଛି । ଏପଟେ ପଟିଆଲା ହାଉସ୍ କୋର୍ଟ ମାର୍ଚ୍ଚ ୩ ତାରିଖରେ ଫାଶୀରେ ଝୁଲାଇବା ଲାଗି ଡେଥ୍ ୱାରେଣ୍ଟ ଜାରି କରିଛି । ଏପରି ସ୍ଥିତିରେ ଏଥିରୁ ବଞ୍ଚିବା ଲାଗି ନିଜକୁ ଆହତ କରି ନୂଆ ଚାଲ ଖେଳିଛି ବିନୟ ।

ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଗତ ସୋମବାର ବିନୟ ଏହି କାଣ୍ଡ ଘଟାଇଛି । ଜେଲରେ ଥିବା ନିର୍ଭୟା ଦୋଷୀଙ୍କ ଉପରେ ଜେଲ୍ ୱାର୍ଡେନଙ୍କ ନଜର ରହିଥାଏ । ଏହା ସତ୍ତ୍ବେ ବିନୟ ଏପରି କାଣ୍ଡ ଘଟାଇଛି । ଜେଲ ୱାର୍ଡେନ୍ ଏହାକୁ ରୋକିବା ବେଳକୁ ବିନୟ ନିଜକୁ ଆହତ କରି ସାରିଥିଲା । ପ୍ରାଥମିକ ଚିକିତ୍ସା ପରେ ତାକୁ ଛାଡି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.