ଫାଶୀ ପୂର୍ବରୁ ପୋଷାକ ବଦଳାଇନଥିଲା ନିର୍ଭୟା ଦୋଷୀ ବିନୟ, କାନ୍ଦି କାନ୍ଦି ମାଗିଥିଲା କ୍ଷମା

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦।୩: ପ୍ରାୟ ସାତ ବର୍ଷ ପୂର୍ବେ ଦିଲ୍ଲୀ ରାଜରାସ୍ତରେ ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରିଥିବା ୪ ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି । ସମସ୍ତ ଆଇନଗତ ବାଧାବିଘ୍ନ ପରେ ଫାଶୀ ଦେବାର ରାସ୍ତା ସଫା ହୋଇଥିଲା । ଦିଲ୍ଲୀର ତିହାର ଜେଲରେ ସକାଳ ୫ଟା ୩୦ ମିନିଟରେ ୪ ଦୋଶୀଙ୍କୁ ଫାଶୀ ଦିଆଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇ ଦିଲ୍ଲୀ ତିହାର ଜେଲ୍ ବାହାରେ ପାରାମିଲିଟାରୀ ଯବାନ ମଧ୍ୟ ନିୟୋଜିତ ହୋଇଥିଲେ।

ଫାଶୀ ଦେବା ପୂର୍ବରୁ, ତିହାର ଜେଲର ଅନେକ ଅଧିକାରୀ ଫାଶୀ ଘର ନିକଟରେ ପହଞ୍ଚିଥିଲେ । ସେମାନଙ୍କ ତତ୍ତ୍ବାବଧାନରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା । ଯେତେବେଳେ ଦୋଷୀମାନଙ୍କୁ ଫାଶୀ ଦେବା ପୂର୍ବରୁ ଗାଧୋଇବା ଏବଂ ପୋଷାକ ବଦଳାଇବାକୁ କୁହାଯାଇଥିଲା, ଦୋଷୀ ବିନୟ ପୋଷାକ ବଦଳାଇବାକୁ ମନା କରିଦେଇଥିଲେ। ଏହା ବ୍ୟତୀତ ସେ କାନ୍ଦିବାକୁ ଲାଗିଥିଲା ଏବଂ କ୍ଷମା ମାଗିବାକୁ ଲାଗିଥିଲା ।

ଦୋଷୀମାନଙ୍କୁ ଫାଶୀ ଦେବା ପୂର୍ବରୁ ତିହାର ଜେଲ ବାହାରେ ଲୋକମାନେ ଏକ ପ୍ରକାର ଭିଡ ଜମାଇଦେଇଥିଲା। ଦିଲ୍ଲୀର ସ୍ଥାନୀୟ ଲୋକ, କିଛି କାର୍ଯ୍ୟକର୍ତ୍ତା ଫାଶୀ ଦେବା ପୂର୍ବରୁ ଜେଲ୍ ବାହାରେ ଠିଆ ହୋଇଥିଲେ ଏବଂ ମାର୍ଚ୍ଚ ୨୦ ର ଏହି ଦିନକୁ ନିର୍ଭୟା ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ । ଦୋଷୀମାନଙ୍କୁ ଫାଶୀ ଦିଆଯିବା ପରେ ଅନେକ ଲୋକ ସେଠାରେ ମିଠା ମଧ୍ୟ ବାଣ୍ଟିଥିଲେ।

ଫାଶୀ ଦେବା ପୂର୍ବରୁ ୪ ଜଣ ଦୋଷୀଙ୍କୁ ସକାଳ ୪ଟାରେ ଉଠାଯାଇ ଗାଧୋଇବା ପରେ ନୂଆ ପୋଷାକ ପିନ୍ଧିବାକୁ କୁହାଯାଇଥିଲା। ଏହାପରେ ଦୋଷୀମାନଙ୍କୁ ଜେଲ୍ ପ୍ରଶାସନ ତରଫରୁ ଚା ଏବଂ ଜଳଖିଆ ପାଇଁ କୁହାଯାଇଥିଲେ ମଧ୍ୟ କେହି ଜଳଖିଆ ଖାଇନଥିଲେ । ଏହାପରେ ଜେଲ୍ କର୍ତ୍ତୃପକ୍ଷ ୪ ଦୋଷୀଙ୍କୁ ସେମାନଙ୍କର ଶେଷ ଇଚ୍ଛା ପଚାରିଥିଲେ। ସକାଳ ୫ଟା ୩୦ମିନିଟ୍ ସମୟରେ ୪ ଦୋଷୀଙ୍କୁ ତିହାର ଜେଲର ଫାଶୀ ଘରେ ଫାଶୀ ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିନ ନିର୍ଭୟାର ଦୋଷୀମାନଙ୍କ ଦ୍ବାରା ଦାଖଲ ହୋଇଥିବା ପିଟିସନକୁ ଖାରଜ କରିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ, ଫାଶୀ ତାରିଖକୁ ଆଗକୁ ବଢାଇବା ପାଇଁ । ଏହି ନିଷ୍ପତ୍ତି ବିରୋଧରେ ନିର୍ଭୟା ଦୋଷୀଙ୍କ ଓକିଲ ଏ.ପି. ସିଂଙ୍କ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ମାତ୍ର ରାତି ପ୍ରାୟ ୩ଟା ୩୦ ସମୟରେ ସୁପ୍ରିମକୋର୍ଟ ମଧ୍ୟ ଏହି ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ୪ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.