ପଓ୍ବନ ଗୁପ୍ତାର ଆଉ ଏକ ଚାଲ୍ ଫେଲ୍, ସାକ୍ଷୀଙ୍କ ବିଶ୍ବସନୀୟତା ନେଇ ନିର୍ଭୟା ଦୋଷୀଙ୍କ ଅଭିଯୋଗକୁ ଅଗ୍ରାହ୍ୟ କଲେ ହାଇକୋର୍ଟ

Published By : Prameya-News7 Bureau | March 12, 2020 IST

ନୂଆଦିଲ୍ଲୀ ୧।୩: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କ ମଧ୍ୟରୁ ପଓ୍ବନ ଗୁପ୍ତାର ଆବେଦନକୁ ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଆବେଦନରେ ପଓ୍ବନ ଦର୍ଶାଇଥିଲା ଯେ, ୧୬ ଡିସେମ୍ବର ୨୦୧୨ର ଘଟଣା ବେଳେ ଉପସ୍ଥିତ ସାକ୍ଷୀଙ୍କ ବୟାନ ବିଶ୍ବସନୀୟ ନୁହେଁ ।

ଏହାପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ଦୋଷୀ ପଓ୍ବନର ପିତାଙ୍କ ଦ୍ବାରା କରାଯାଇଥିବା ସମାନ ଆବେଦନକୁ ଦିଲ୍ଲୀର ଟ୍ରାଏଲ କୋର୍ଟ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ। ଦୋଷୀଙ୍କ ପକ୍ଷରୁ ହୋଇଥିବା ପିଟିସନରେ ଦର୍ଶାଯାଇଥିଲା ଯେ, ସେ ଜଣେ ସାକ୍ଷୀ ଏବଂ ଏହି ମାମଲାରେ ତାଙ୍କ ବିବୃତ୍ତି ବିଶ୍ବାସଯୋଗ୍ୟ ନୁହେଁ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀର ପଟିଆଲା ହାଉସ କୋର୍ଟ ୪ ନିର୍ଭୟା ଦୋଷୀ ପଓ୍ବନ କୁମାର ଗୁପ୍ତା, ବିନୟ କୁମାର ଶର୍ମା, ମୁକେଶ ସିଂ ଏବଂ ଅକ୍ଷୟ କୁମାର ସିଂ ଠାକୁରକୁ ଫାଶୀ ଦେବା ପାଇଁ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟଙ୍କ ଦ୍ବାରା ଜାରି କରାଯାଇଥିବା ଚତୁର୍ଥ ୱାରେଣ୍ଟ ଅନୁଯାୟୀ, ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ରେ ତିହାର ଜେଲ୍ ରେ ଏହି ୪ ଜଣଙ୍କୁ ଏକାସାଙ୍ଗରେ ଫାଶୀ ଦିଆଯିବ।

ତିହାର ଜେଲ୍ ପ୍ରଶାସନ ସହ ଜଡିତ ସୂତ୍ର ଅନୁଯାୟୀ ମାର୍ଚ୍ଚ ୨୦ରେ ଫାଶୀ ପାଇଁ ପୁଣି ଥରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଫାଶୀ ଦେବାର ଅନ୍ତିମ ଟ୍ରାଏଲ ମଧ୍ୟ କରାଯିବ। ଏଭଳି ପରିସ୍ଥିତିରେ ଫାଶୀ ହେବାର ୩ ଦିନ ପୂର୍ବରୁ ମାର୍ଚ୍ଚ ୧୭ରେ ଜଲ୍ଲାଦ ପଓ୍ବନଙ୍କୁ ମେରଠରୁ ଡକାଯିବ ଏବଂ ଫାଶୀର ଗୋଟିଏ ଦିନ ପୂର୍ବରୁ ଅନ୍ତିମ ଟ୍ରାଏଲ ହେବ।

ତେବେ ଫାଶୀ ପୂର୍ବରୁ ତିହାର ଜେଲ ପ୍ରଶାସନ ଅପରାଧୀଙ୍କ ଓଜନ ସମେତ ସ୍ବାସ୍ଥ୍ୟର ଅନ୍ୟାନ୍ୟ ଦିଗ ଉପରେ ତୀକ୍ଷ୍ଣ ନଜର ରଖିଛି। ବିଶେଷକରି ଓଜନ ଉପରେ ନଜର ରଖାଯାଇଛି । କାରଣ ଫାଶୀ ସମୟରେ ଓଜନ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ  | କାରଣ ଫାଶୀ ଫନ୍ଦାର ଆକାର ଆଗରୁ ସ୍ଥିର କରାଯାଇଥାଏ | ସ୍ବାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ପ୍ରତିଦିନ ସିସିଟିଭି ଫୁଟେଜ୍ ଦେଖାଯାଉଛି |

ତିହାର ଜେଲରେ ପ୍ରଥମ ଥର ପାଇଁ ଚାରିଜଣ ଦୋଷୀଙ୍କୁ ଫାଶୀ ଦିଆଯିବ। ଉତ୍ତର ଭାରତରେ ଏହା ପ୍ରଥମ ଘଟଣା ଯେତେବେଳେ ଚାରି ଜଣଙ୍କୁ ଏକାଠି ଫାଶୀ ଦିଆଯିବ | ଏହାପୂର୍ବରୁ ମହାରାଷ୍ଟ୍ରର ଅଭୟ-ଯୋଶୀ ହତ୍ୟା ମାମଲାରେ ଚାରି ଜଣଙ୍କୁ ଏକାଠି ଫାଶୀ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.