ଫାଶୀରୁ ବର୍ତ୍ତିବା ପାଇଁ ନିର୍ଭୟା ଦୋଷୀ ଅକ୍ଷୟର ନୂଆ ଚାଲ୍, ପୁଣି ରାଷ୍ଟ୍ରପତିଙ୍କ ନିକଟକୁ ଲେଖିଲା ଚିଠି
7/02/2020 at 9:48 AM

ନୂଆଦିଲ୍ଲୀ ୭।୨: ନିର୍ଭୟା ଦୋଷୀ ଅକ୍ଷୟ ଫାଶୀରୁ ବର୍ତ୍ତିବା ପାଇଁ ନୂଆ ଚାଲ୍ ଚଳାଇଛି । ଦୋଷୀ ଅକ୍ଷୟର ଓକିଲ ଏ.ପି. ସିଂହଙ୍କ ସୂଚନା ଅନୁଯାୟୀ ଅକ୍ଷୟ ଫେବୃଆରୀ ୧ ତାରିଖରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି କହିଥିଲା ଯେ, ତାର ହସ୍ତାକ୍ଷର ବିନା ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ ଦାଖଲ କରାଯାଇଛି । ଯାହାଫଳରେ ସେହି କ୍ଷମା ଆବେଦନ ଉପରେ କୌଣସି ନିଷ୍ପତ୍ତି ନ ନିଆଯାଉ ।
ଅକ୍ଷୟର ଓକିଲ ଏ.ପି. ସିଂହ କହିଛନ୍ତି ଯେ, ରାଷ୍ଟ୍ରପତି ଭବନରେ ସ୍ବୀକୃତିପତ୍ର ସିଲ୍ ସହ ସଂଲଗ୍ନ ଚିଠିରେ କୁହାଯାଇଛି ଯେ, ଆବେଦନ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରମାଣିତ ହୋଇଛି । ଏହାସହ ଆବେଦନ ଦୋଷୀର ଆର୍ଥିକ ସ୍ଥିତି ଏବଂ ମାମଲାର ସଂପୂର୍ଣ୍ଣ ବିବରଣୀ ନଜାଣି ତରବରିଆ ଭାବେ ଦାୟର କରାଯାଇଥିଲା ।
ଅନ୍ୟପଟେ ସୁପ୍ରିମକୋର୍ଟରେ ଆଜି କେନ୍ଦ୍ରର ଆବେଦନ ଉପରେ ଶୁଣାଣି ହେବ । ତୃତୀୟ ଡେଥ୍ ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କରିଛନ୍ତି ତିହାର କର୍ତ୍ତୃପକ୍ଷ । ନିର୍ଭୟା ଦୋଷୀମାନଙ୍କ ଡେଥ୍ ୱାରେଣ୍ଟ ଉପରେ ରହିତାଦେଶ ଏବଂ ସେମାନଙ୍କୁ ଏକାସଙ୍ଗରେ ଫାଶୀ ଦେବା ମାମଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ହେବ।
ଫାଶୀ ଉପରେ ଥିବା ରହିତାଦେଶ ଉଠାଇ ତୁରନ୍ତ ଦୋଷୀମାନଙ୍କୁ ଫାଶୀ ଦେବାପାଇଁ କେନ୍ଦ୍ର ସରକାରଙ୍କ ଆବେଦନକୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ପରେ ଏ ନେଇ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।