ଏବେ curative petition ଦାୟର କରିବେ ନିର୍ଭୟା ଅପରାଧୀ, ଜାଣନ୍ତୁ ଏଭଳି ଆବେଦନର ଅର୍ଥ କ’ଣ?
18/12/2019 at 10:29 PM

ନୂଆଦିଲ୍ଲୀ ୧୮।୧୨ : ସୁପ୍ରିମକୋର୍ଟ ବୁଧବାର ନିର୍ଭୟା ଅପରାଧୀ ଅକ୍ଷୟ ସିଂହର ପୁନର୍ବିଚାର ଆବେଦନ ଖାରଜ କରିଦେଇଛନ୍ତି। ଏ ନେଇ ଅକ୍ଷୟ କରିଥିବା ଆବେଦନରେ କିଛି ନୂଆ ତଥ୍ୟ ନଥିବା କହିଛନ୍ତି କୋର୍ଟ। ତେବେ ଅକ୍ଷୟଙ୍କ ଓକିଲ କହିଛନ୍ତି ମାମଲାରେ ଖୁବ୍ ଶୀଘ୍ର ଅପରାଧୀଙ୍କ ଲାଗି ‘କ୍ୟୁରେଟିଭ ପିଟିସନ’ ଦାୟର କରାଯିବ। ସେପଟେ ଦିଲ୍ଲୀ ପାଟିଆଲା କୋର୍ଟ ମାମଲାର ୪ ଅପରାଧୀଙ୍କୁ ଜାନୁୟାରୀ ୭ତାରିଖ ପର୍ଯ୍ୟନ୍ତ ଦୀର୍ଘ ମହଲତ ଦେଇଛନ୍ତି। କହିଛନ୍ତି ୪ ଜଣଙ୍କୁ ପୁରା ସମୟ ଦିଆଯାଉଛି। ସେମାନେ ଏହି ସମୟରେ ସେମାନଙ୍କ ଅଧିକାର ଅନ୍ତର୍ଗତ ଯେକୌଣସି ଆଇନଗତ ଉପାୟ ଅବଲମ୍ବନ କରିପାରନ୍ତି। ଏଥିରେ ଆସନ୍ତୁ ଜାଣିବା ସେମାନଙ୍କ ଓକିଲ କହିଥିବା କ୍ୟୁରେଟିଭ ପିଟିସନ କ’ଣ?

କ୍ୟୁରେଟିଭ ପିଟିସନ ହେଉଛି ଏକ ଆଇନ ଶବ୍ଦ। ଯେତେବେଳେ ଅପରାଧୀଙ୍କ ପୁନର୍ବିଚାର ନିବେଦନକୁ ସର୍ବୋଚ୍ଚନ୍ୟାୟାଳୟ ଅଗ୍ରାହ୍ୟ କରିଦିଅନ୍ତି ଓ ରାଷ୍ଟ୍ରପତି ରାଜକ୍ଷମାକୁ ନା କରନ୍ତି ସେତେବେଳେ କ୍ୟୁରେଟିଭ ପିଟିସନ ହିଁ ସେମାନଙ୍କ ଲାଗି ଶେଷ ରାସ୍ତା ହୋଇ ରହିଯାଏ। ଏହି ନିବେଦନ ଦ୍ୱାରା ଅପରାଧୀ ତାଙ୍କ ପ୍ରତି ନିର୍ଦ୍ଧାରିତ ଦଣ୍ଡକୁ କୋହଳ କରିବା ଲାଗି ନିବେଦନ କରିପାରନ୍ତି। କୌଣସି ମାମଲାରେ ଦୋଷୀଙ୍କ ଲାଗି କୋର୍ଟରେ କ୍ୟୁରେଟିଭ ପିଟିସନ ଶେଷ ଶୁଣାଣି। ଏହି ନିବେଦନର ନିଷ୍ପତ୍ତି ପରେ ଦୋଷୀଙ୍କୁ ଅନ୍ୟ କୌଣସି ଆଇନଗତ ସହାୟତା ମିଳିପାରନଥାଏ।

ମୁମ୍ବାଇ ସିରିଏଲ ବ୍ଲାଷ୍ଟ ଅପରାଧୀ ଲାଗି କ୍ୟୁରେଟିଭ ପିଟିସନ ଶୁଣାଣି କରିଥିଲେ କୋର୍ଟ
ତେବେ କୋର୍ଟରେ ନିର୍ଭୟା ଅପରାଧୀଙ୍କ କ୍ୟୁରେଟିଭ ପିଟିସନ ପ୍ରଥମ ନୁହେଁ। ଅତୀତରେ ମଧ୍ୟ କୋର୍ଟ ଅନେକ ଅପରାଧରେ ଅପରାଧୀଙ୍କ ଏଭଳି ନିବେଦନର ଶୁଣାଣି କରିଛନ୍ତି। ଅତୀତରେ ରାଷ୍ଟ୍ରପତି ୟାକୁବ ମେମନର ରାଜକ୍ଷମା ନିବେଦନ ଅଗ୍ରାହ୍ୟ କରିବା ପରେ ଓକିଲଙ୍କ ଦ୍ୱାରା କ୍ୟୁରେଟିଭ ପିଟିସନ ଦାୟର ହୋଇଥିଲା। ଏଥି ଲାଗି କୋର୍ଟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମୃତ୍ୟୁଦଣ୍ଡର ଶେଷ ନିବେଦନ ଉପରେ ଶୁଣାଣି କରିଥିଲେ। ହେଲେ ଶେଷରେ ଦଣ୍ଡ କାୟମ ରହିଥିଲା।

କ୍ୟୁରେଟିଭ ପିଟିସନର କ’ଣ ରହିଛି ନିୟମ
ଆବେଦନକର୍ତ୍ତା ତାଙ୍କର କ୍ୟୁରେଟିଭ ପିଟିସନ ଦାୟର କରିବାବେଳେ କେଉଁ ଆଧାରରେ ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିବାକୁ ଚାହୁଁଛନ୍ତି ତାହା ଜଣାଇବା ଜରୁରି। ଏହି ପିଟିସନ କୌଣସି ବରିଷ୍ଠ ଓକିଲଙ୍କ ଦ୍ୱାରା ସାର୍ଟିଫାଇ ହୋଇଥିବା ଦରକାର। ଏହା ପରେ ପିଟିସନ ସୁପ୍ରିମକୋର୍ଟଙ୍କ ୩ ବରିଷ୍ଠତମ ବିଚାରପତିଙ୍କ ନିକଟକୁ ଯାଇଥାଏ। ଜଜ୍ମାନେ ମାମଲାର ରାୟ ଦେଇଥିବା ବିଚାପତିଙ୍କ ନିକଟକୁ ପିଟିସନକୁ ଶୁଣାଣି ନିମନ୍ତେ ପଠାଇଥାନ୍ତି।ଯଦି ବେଞ୍ଚର ସଂଖ୍ୟାଧିକ ବିଚାରପତି ମାମଲାର ଦ୍ୱିତୀୟବାର ଶୁଣାଣି ଜରୁରି ଭାବନ୍ତି ଓ ଏଥିଲାଗି ସହମତ ହୁଅନ୍ତି ତେବେ ପିଟିସନକୁ ମାମଲାର ପୁନର୍ବିଚାର ଲାଗି ପଠାଇ ଦିଆଯାଏ।