ଶୀଘ୍ର ଦଣ୍ଡିତ ହେବେ ନିର୍ଭୟା ଦୋଷୀ: ରବିଶଙ୍କର ପ୍ରସାଦ
5/02/2020 at 10:41 PM

ନୂଆଦିଲ୍ଲୀ ୫।୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ସମସ୍ତ ୪ ଜଣ ଜାକ ଦୋଷୀଙ୍କୁ ଖୁବ୍ ଶୀଘ୍ର ଦଣ୍ଡିତ କରାଯିବ। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର କହିଛନ୍ତି। ଅପରାଧୀମାନେ ଦଣ୍ଡ ବିଳମ୍ବ କରିବାକୁ ବିଭିନ୍ନ ପ୍ରକାର ଉଦ୍ୟମ ଚଳାଇଛନ୍ତି। ତେବେ ଏହା ଯୁକ୍ତି ସଙ୍ଗତ ନୁହେଁ ବୋଲି ସଂସଦକୁ ଆଇନମନ୍ତ୍ରୀ ଜଣାଇଛନ୍ତି।
ତେବେ କେବଳ ଦିଲ୍ଲୀ ନିର୍ଭୟା ନୁହେଁ ଦେଶର ବିଭିନ୍ନ ଅଞ୍ଚଳରେ ନାରୀ ନିର୍ଯାତନା ଓ ଅତ୍ୟାଚାର ବଢିଥିବା ନେଇ ମହିଳା ସାଂସଦମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାର ଜବାବରେ ରବିଶଙ୍କର ପ୍ରସାଦ ଗଭୀର କ୍ଷୋଭ ପ୍ରକାଶ କରିଥିବା ବେଳେ ନିର୍ଭୟା ମାମଲାରେ ଅପରାଧୀଙ୍କୁ ସର୍ବୋଚ୍ଚନ୍ୟାୟାଳୟ ଦଣ୍ଡାଦେଶ କରିସାରିଥିବାରୁ ସେମାନଙ୍କୁ ଖୁବ୍ ଶୀଘ୍ର ଦଣ୍ଡିତ କରାଯିବ ବୋଲି କହିଛନ୍ତି।
ପ୍ରସଙ୍ଗରେ ରବିଶଙ୍କର ପ୍ରସାଦ ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ ଗୃହକୁ ଜଣାଇଦେଇଥିଲେ। ପ୍ରସଙ୍ଗରେ ସରକାର ଅତ୍ୟନ୍ତ କଠୋର ଓ ନିଷ୍ପତ୍ତିରେ ସାମାନ୍ୟତମ ଅବହେଳା ହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ। ତେବେ ଅପରାଧୀଙ୍କ ବ୍ଲାକ୍ ୱାରେଣ୍ଟ ବାହାରିବା ମାତ୍ରେ ଦଣ୍ଡବିଧାନ ହେବା ନିଶ୍ଚିତ ବୋଲି ଗୃହକୁ ଆଶ୍ୱସ୍ତ କରିଛନ୍ତି।