ବିଦେଶରେ ନୀରବ ! ରହୁଛନ୍ତି ବିଳାସମୟ ପ୍ଲାଟ୍‌ରେ କରୁଛନ୍ତି ହୀରା ବ୍ୟବସାୟ

Published By : Prameya-News7 Bureau | March 09, 2019 IST

ଲଣ୍ଡନ୍‌ ୯।୩: ଲଣ୍ଡନରେ ବେଧଡକ ବୁଲୁଛନ୍ତି ପିଏନବି ବ୍ୟାଙ୍କ ଠକେଇ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି । ଭାରତ ସରକାରଙ୍କ ଅନୁରୋଧ କ୍ରମେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବା ସହ ନୀରବ ମୋଦିଙ୍କୁ ଖୋଜୁଛି ଇଣ୍ଟରପୋଲ୍ ।  ନୀରବ ମୋଦିଙ୍କୁ ଖୋଜୁଛି ଭାରତୀୟ ଯାଂଚ ଏଜେନ୍ସି । ହେଲେ ନୀରବ ମୋଦି ଏବେ ଏବେ ବେଶ ବଦଳାଇ ଲଣ୍ଡନରେ ବିନ୍ଦାସରେ ବୁଲୁଛନ୍ତି । କେବଳ ଲଣ୍ଡନରେ ବିନ୍ଦାସ ବୁଲୁନାହାନ୍ତି, ସେଠାରେ ସେ ନିଜର ନୂଆ ବେପାର ବି ଜମେଇ ସାରିଲେଣି । ସାରା ଦୁନିଆରେ ନୀରବଙ୍କୁ ଖୋଜା ଚାଲିଛି, ଏଣେ ତାଙ୍କୁ ମିଡିଆର କ୍ୟାମେରା ଖୋଜି ପାଇଛି ଲଣ୍ଡନରେ। ଭାରତର ମୋଷ୍ଟ ୱାଣ୍ଟେଡ୍ ହୀରା ବେପାରୀ ନୀରବ ମୋଦି ଏବେ ଲଣ୍ଡନରେ ଏକ ସୌଖୀନ ଆପାର୍ଟମେଣ୍ଟରେ ରହୁଛନ୍ତି ।

କେବଳ ସେତିକି ନୁହେଁ ଲଣ୍ଡନରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ରହିଛି । ଲଣ୍ଡନ ଗଣମାଧ୍ୟମ ସଂସ୍ଥାର ଦ ଟେଲିଗ୍ରାଫ୍ ନୀରବଙ୍କୁ ଖୋଜି ବାହାର କରିଛି । ତାଙ୍କୁ ସାମ୍ବାଦିକମାନେ ଯେତେ ଯାହା ପ୍ରଶ୍ନ ପଚାରୁଥିଲେ ବି ସେ ଚୁପଚାପ ଖସି ଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ପଞ୍ଜାବ ନାସନାଲ ବ୍ୟାଙ୍କରୁ ୧୪ହଜାର କୋଟି ଟଙ୍କାର ଠକେଇ କରି ନୀରବ ଖସି ଯାଇଛନ୍ତି ବିଦେଶ । ଦ ଟେଲିଗ୍ରାଫ୍ର ସାମ୍ବାଦିକ ମିକ୍ ବ୍ରାଉନ୍ ନାରବଙ୍କୁ ଯେତେଯାହା ପ୍ରଶ୍ନ କଲେ ବି ସେ କୌଣସି ଜବାବ ଦେଉନାହାନ୍ତି । ଆପଣଙ୍କ ଉପରେ ଅନେକ ଋଣ ରହିଛି ବୋଲି ସାମ୍ବାଦିକ ପଚାରୁଥିବା ବେଳେ ଏହାର ଜବାବରେ ନୋ କମେଣ୍ଟ କହି ଖସି ଯିବାକୁ ଚେଷ୍ଟା କରୁଛନ୍ତି ନୀରବ। ସାମ୍ବାଦିକ ଜଣକ ପଚାରୁଛନ୍ତି ଆପଣ ଯାହାର ଟଙ୍କା ନେଇଛନ୍ତି ସେମାନେ ଆପଣଙ୍କୁ ଖୋଜୁଛନ୍ତି, ଜବାବରେ ନୀରବ କହୁଛନ୍ତି ସରି, ନୋ କମେଣ୍ଟ । ଲଣ୍ଡରେ କେତେ ଦିନ ରହିବାର ପ୍ଲାନ୍ ଅଛି ବୋଲି ପ୍ରଶ୍ନ କରିବା ବେଳେ ନୀରବ କୌଣସି ଜବାବ ଦେଇନଥିଲେ । ଅକ୍ସଫୋର୍ଡ ଷ୍ଟ୍ରିଟ୍  ନିକଟରେ ଏକ ବିଳାସପୂର୍ଣ ଫ୍ଲାଟ୍ ରେ ରହୁଛନ୍ତି ନୀରବ ଏବଂ ସେଠାରେ ଏକ ନୂଆ ହୀରା ବ୍ୟବସାୟ ଆରମ୍ଭ କରିଥିବା ସୂଚନା ମିଳିଛି ।

ଭିଡିଓରେ ଦେଖାଯାଉଛି ସେ ଟିକିଏ ମୋଟା ହୋଇ ଯାଇଛନ୍ତି ଏବଂ ନିଶ ରଖିଛନ୍ତି। ଇଣ୍ଟର୍  ପୋଲ୍  ରେଡ୍  କର୍ଣ୍ଣର ନୋଟିସ ଜାରି କରାଯାଇଥିବା ଏବଂ ପ୍ରତ୍ୟପର୍ଣ ପାଇଁ ଅନୁରୋଧ କରାଯାଇଥିବା ନିରବ ମୋଦି ସମ୍ଭବତଃ ପ୍ରତ୍ୟପର୍ଣ ଏଡ଼ାଇବା ଲାଗି ପ୍ଲାଷ୍ଟିକ୍  ସର୍ଜରି କରାଇ ଥାଇପାରନ୍ତି। ସାମ୍ବାଦିକ ବ୍ରାଉନ ପଚାରୁଛନ୍ତି, ଆପଣ ରାଜନୈତିକ ଆଶ୍ରୟ ପାଇଁ ଆବେଦନ କରିଛନ୍ତି ଯେତେବେଳେ କି ଆପଣ ପ୍ରତ୍ୟର୍ପଣ ଚୁକ୍ତି ଅଧୀନରେ ଅଛନ୍ତି ।  ଏହା ଉପରେ ମଧ୍ୟ ନୀରବ ନୋ କମେଣ୍ଟ କହି ଖସି ଯାଉଛନ୍ତି । ସାମ୍ବାଦିକ ଜଣକ ଏକଥା ବି କହୁଛନ୍ତି ଯେ ଆପଣ ସବୁ ପ୍ରଶ୍ନର ଉତ୍ତରରେ ଚୁପ ରହିପାରିବେନି, ଏହାପରେ ବି ନୀରବ ମୋଦି ଚୁପ ରହୁଥିବା ଦେଖିବାକୁ ମିଳୁଛି । ନୀରବ ମୋଦି ଅଷ୍ଟ୍ରିଚ୍ ହାଇଡ୍ କମ୍ପାନୀର ଦାମି ଜ୍ୟାକେଟ୍ ପିନ୍ଧିଛନ୍ତି, ଯାହା ଦାମ ଅତି କମରେ ୧୦ଲକ୍ଷ ଟଙ୍କା ।

ଦ ଟେଲିଗ୍ରାଫ ର ସାମ୍ବାଦିକ ବ୍ରାଉନି ପଚାରୁଛନ୍ତି, ଆପଣ କଣ ଏବେବି ହୀରା ବେପାର କରୁଛନ୍ତି । ଏହାର ଜବାବ ଦେବା ବଦଳରେ ନୀରବ ମୋଦି ଟ୍ୟାକ୍ସି ନେଇ ଖସିଯାଉଛନ୍ତି । ଟୋଟେନ୍ ହାମ୍  କୋର୍ଟ ରୋଡ୍  ଠାରୁ ଦୂରସ୍ଥ ଏକ ବିଳାସମୟ ନଭଶ୍ଚୁମ୍ଭୀ ଅଟ୍ଟାଳିକା ସେଣ୍ଟର୍  ପଏଣ୍ଟ ର ଗୋଟିଏ ତିନି ବେଡ୍ ରୁମ୍  ଆପାର୍ଟମେଣ୍ଟରେ ସେ ରହୁଛନ୍ତି। ଏହି ଆପାର୍ଟମେଣ୍ଟର ମୂଲ୍ୟ ୮ ମିଲିୟନ୍  ପାଉଣ୍ଡ୍  ଏବଂ ମାସିକ ଭଡ଼ା ୧୭, ୦୦୦ ପାଉଣ୍ଡ୍ । ଏହି ଆପାର୍ଟମେଣ୍ଟ୍  ଠାରୁ ଅଳ୍ପ ଦୂରରେ ସେ ଗୋଟାଏ ହୀରା ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିଥିବା ଜଣା ପଡିଛି ।

ନୀରବ ମୋଦିଙ୍କ ବିରୋଧରେ ଭାରତ ସରକାର ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଛନ୍ତି । ଏହା ପରେ ଲଣ୍ଡନ ସରକାରଙ୍କୁ  ପ୍ରତ୍ୟର୍ପଣ ନେଇ ଚିଠି ବି ଲେଖିଛନ୍ତି । ଦୁର୍ଭାଗ୍ୟର ବିଷୟ ଆଜି ଯାଏଁ ଏହାର କିଛି ଉତ୍ତର ଆସିନି । ଭାରତର ସରକାରଙ୍କ ବାରମ୍ୱାର ନିବେଦନ ପରେ ବି  ଲଣ୍ଡନ ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି । ଗତକାଲି ନୀରବ୍ ମୋଦୀଙ୍କ ମୁମ୍ବାଇ ଅଲ୍ଲୀବାଗରେ ଥିବା ବଙ୍ଗଳାକୁ ଭାଙ୍ଗି ଦିଆଯାଇଛି । ୫ ସେକେଣ୍ଡରେ ଧୂଳିସାତ୍ ହୋଇଛି ୧୦୦କୋଟି ଟଙ୍କାର ବିଶାଲ ବିଲଡିଂ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.