ଫେବ୍ରୁଆରୀ ୨୫ରେ ନୀରବ ମୋଦୀଙ୍କ ଭାଗ୍ୟର ଫଇସଲା, ଭାଗୋଡା ବ୍ୟବସାୟୀଙ୍କ ପ୍ରତ୍ୟାର୍ପଣର ରାୟ ସେହି ଦିନ ଆସିବ
9/01/2021 at 12:16 PM

ନୂଆଦିଲ୍ଲୀ,୦୯/୦୧:ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ପ୍ରତ୍ୟାର୍ପଣ ଉପରେ ଫେବ୍ରୁଆରୀ ୨୫ ତାରିଖରେ ଶେଷ ନିଷ୍ପତ୍ତି ନିଆଯିବ । ବ୍ରିଟେନର ଓ୍ୱେଷ୍ଟାମିନଷ୍ଟର୍ ମାଜିଷ୍ଟ୍ରେଟ୍ କୋର୍ଟରେ ନୀରବଙ୍କ ପ୍ରତ୍ୟାର୍ପଣ ମାମଲାର ଶୁଣାଣି ଶେଷ ହୋଇ ଯାଇଛି । ଫଳରେ ୧୩୦୦୦ କୋଟି ଟଙ୍କାର ଦୁର୍ନୀତିରେ ତାଙ୍କୁ ଭାରତ ପଠାଯିବ ବୋଲି ଆଶା କରାଯାଉଛି । ଏହା ଆସନ୍ତା ମାସର ୨୫ ତାରିଖରେ ହିଁ ସ୍ପଷ୍ଟ ହେବ ।
ଭାରତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କ୍ରାଉନ୍ ପ୍ରସିକ୍ୟୁସନ୍ ସର୍ଭିସ୍ ବ୍ରିଟେନ କୋର୍ଟରେ କହିଛନ୍ତି ଯେ, ନୀରବ ବହୁ ଦୁର୍ନୀତିରେ ଲିପ୍ତ ଅଛନ୍ତି । ବିଭିନ୍ନ ମନି ଲଣ୍ଡରିଂ ଓ ଠକେଇ ଅଭିଯୋଗରେ ତାଙ୍କର ହାତ ରହିଛି । ସେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସହ ଠକେଇ କରିଛନ୍ତି । ସେ ବ୍ୟାଙ୍କ୍ ଅଧିକାରୀଙ୍କ ସହ ଷଡଯନ୍ତ୍ର ରଚିବା ପରେ ନିଜର ତିନୋଟି ଫାର୍ମ ଡାଏମଣ୍ଡସ୍ ଆର ୟୁଏସ, ସୋଲାର ଏକ୍ସପୋର୍ଟସ୍ ଓ ଷ୍ଟେଲର୍ ଡାଏମଣ୍ଡସର ବ୍ୟବହାର କରି ବ୍ୟାଙ୍କକୁ ଠକିଛନ୍ତି । ଏପରିକି ତାଙ୍କ ବିରୋଧରେ ସାକ୍ଷୀ ଦେଇଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ ଦେଇଛନ୍ତି ।ଶୁଣାଣି ବେଳେ ନୀରବ ଭିଡିଓ ଲିଙ୍କ୍ ଯୋଗେ କୋର୍ଟ ରୁମରେ ଉପସ୍ଥିତ ରହିଥିଲେ ।
ନୀରବଙ୍କ ଓକିଲ କ୍ଲେୟର ମୋଣ୍ଟଗୋମରୀ ବିତର୍କ ବେଳେ କହିଛନ୍ତି ଯେ, ଯଦି ନୀରବ ଭାରତ ଯାଆନ୍ତି ତାହେଲେ ମୁମ୍ବାଇ ଆର୍ଥର ଜେଲରେ ସେ ଆତ୍ମହତ୍ୟା କରିବା ଆଶଙ୍କା ରହିଛି । ଏପରିକି ମାନସିକ ସ୍ଥିତି କଥା ବୁଝିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । କିନ୍ତୁ ଆର୍ଥର ଜେଲରେ ଏପରି ସମସ୍ତ ବ୍ୟବସ୍ଥା ଥିବା ଭାରତୀୟ ଅଧିକାରୀ କୋର୍ଟରେ କହିଛନ୍ତି । ଜେଲ ପାଖରେ ତିନୋଟି ଭଲ ହସ୍ପିଟାଲ ରହିଛି ।
ସୂଚନାଯୋଗ୍ୟ, ଯଦି ନୀରବ ମୋଦୀଙ୍କୁ ପ୍ରତ୍ୟାର୍ପଣ କରାଯାଏ ତେବେ ତାଙ୍କୁ ଆର୍ଥର ରୋଡ ଜେଲର ବାରାକ୍ ନମ୍ବର ୧୨ରେ ରଖାଯିବ ।