ବାହାରୁ ଆସୁଥିବା ଲୋକଙ୍କ ତର୍ଜମା ଚାଲିଛି, ପଜିଟିଭ ବାହାରିଲେ ଜିନୋମ୍ ସ୍ୱିକେନ୍ସି କରାଯିବ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | December 05, 2021 IST

ଭୁବନେଶ୍ୱର ୦୫।୧୨ : ନିୟମିତ ଭାବେ ବାହାର ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ତର୍ଜମା କରାଯାଉଛି । କେତେ ଲୋକ ରାଜ୍ୟକୁ ଆସୁଛନ୍ତି, ସେନେଇ ଜିଲ୍ଲାମାନଙ୍କୁ ସୂଚନା ଦିଆଯାଇଛି । ସଂକ୍ରମିତଙ୍କୁ ଚିହ୍ନଟ କରି ସଂଗରୋଧରେ ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏହାପରେ ଅଷ୍ଟମ ଦିନରେ ସେମାନଙ୍କର ଟେଷ୍ଟିଂ କରାଯିବ । ଯଦି ପଜିଟିଭ ବାହାରିଲେ, ଜିନୋମ ସିକ୍ୱେନ୍ସିଂ ମଧ୍ୟ କରାଯିବ । ଏହି ପ୍ରକ୍ରିୟା ରାଜ୍ୟରେ ଆରମ୍ଭ ହୋଇସାରିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମ ରାଜ୍ୟରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଯେହେତୁ ଅନ୍ୟ ରାଜ୍ୟରେ ଓମିକ୍ରନ ଥିବା ଜଣାପଡିଛି, ଆମକୁ ସତର୍କ ରହିବାକୁ ପଡ଼ିବ । ଯେଉଁମାନେ ଅନ୍ୟ ରାଷ୍ଟ୍ରରୁ ଆସୁଛନ୍ତି ଓ ଗାଁ ଗଣ୍ଡାରେ ପହଞ୍ଚିଛନ୍ତି । ସେଠାକାର ସ୍ଥାନୀୟ ଲୋକମାନେ ସେମାନଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନକୁ ଜଣାନ୍ତୁ । ସେମାନଙ୍କୁ ନିବେଦନ ରହିବ, ସଂଗରୋଧରେ ରୁହନ୍ତୁ । ଅତିକମରେ ୭ ଦିନ ସଂଗରୋଧ ଓ ଆଉ ୭ ଦିନ ନିଜସ୍ୱ ଅବଜରଭେସନରେ ରୁହନ୍ତୁ । ଏହି ୧୪ ଦିନ ଭିତରେ କିଛି ଲକ୍ଷଣ ଦେଖାଗଲେ, ଟେଷ୍ଟ କରାନ୍ତୁ । ଟେଷ୍ଟ ପଜିଟିଭ ଆସିଲେ, ଜିନୋମ୍ ସିକ୍ୱେନ୍ସିଂ କଲେ, ଜଣା ପଡ଼ିବ, ଓମି କ୍ରନ ଅଛି ନା ନାହିଁ ।

ସେହିପରି ବିଦେଶରୁ ରାଜ୍ୟକୁ କେତେ ଲୋକ ଆସୁଛନ୍ତି । ପ୍ରତିଦିନ କେନ୍ଦ୍ର ସରକାରଙ୍କ ଠାରୁ ତଥ୍ୟ ଅଣାଯାଉଛି । ଓମିକ୍ରନର ସଂକ୍ରମଣ ହାର ଅଧିକ । ନଭେମ୍ବର ୨୪ ପରଠାରୁ ଅଳ୍ପ ଦିନ ଭିତରେ ଏହା ୩୬ ରାଷ୍ଟ୍ରକୁ ବ୍ୟାପିଗଲାଣି । କିନ୍ତୁ ଯେଉଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଅଛି, ତାହା ରୋଗ ଅଧିକ କରୁଥିବା, ଗୁରୁତର ହେବା କିମ୍ବା ମୃତ୍ୟୁ ହେଉଥିବା ନେଇ କୌଣସି ତଥ୍ୟ ନାହିଁ । WHO ବି କହୁଛି, ମୃତ୍ୟୁ ବା ଗୁରୁତର ହାର ବହୁତ କମ୍ । ଟୀକା କାମ କରୁଛି ନା ନାହିଁ, ସେନେଇ ବି ତଥ୍ୟ ନାହିଁ । ଓମିକ୍ରନ ଉପରେ ଟୀକା କାମ କରୁଛି ବୋଲି ନିର୍ମାତା କହୁଛନ୍ତି ।  ତେଣୁ ଆତଙ୍କିତ ନ ହୋଇ ଟୀକାକରଣ ଜାରି ରଖିବା ଓ କୋଭିଡ ଅନୁରୂପ ନିୟମ ମାନିବା ।

ସେପଟେ କୋଭିଡ ପରବର୍ତ୍ତୀ ଜଟିଳତାକୁ ପୋଷ୍ଟ କୋଭିଡ ବା ଲଙ୍ଗ କୋଭିଡ କମ୍ପ୍ଲେକ୍ସିଟି ବୋଲି କୁହାଯାଉଛି । ଏହି ରୋଗ ନୂଆ । ଏହା ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି । କୋଭିଡ ପରେ କିଛି ମାତ୍ରାରେ ଦୁର୍ବଳତା, କାଶ ଲାଗି ରହିବା, ମାନସିକ ଚାପ ରହିବା ଆଦି ଲକ୍ଷଣ ଦେଖାଦେଉଛି । ତା ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି । ନୂଆ ନୂଆ ତଥ୍ୟ ଆସୁଛି । କୋଭିଡ ପରେ ଏସବୁ ଲକ୍ଷଣ ଦେଖାଦେଲେ, ଡାକ୍ତରଙ୍କ ସହ ପରାମର୍ଶ କରିବା । ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଉଛି । ନିର୍ଦ୍ଦିଷ୍ଟ ଭାବେ କିଛି ଚିକିତ୍ସା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.