ବିଧାନସଭାରେ ମନ୍ତ୍ରୀ ବନାମ ପୂର୍ବତନ ମନ୍ତ୍ରୀ : ଦୁହିଁଙ୍କ ମଧ୍ୟରେ ଗୋହି ଖୋଳାଖୋଳି ଯୋଗୁଁ ସାଧାରଣରେ କୌତୁହଳ…
17/07/2019 at 7:03 PM

ଭୁବନେଶ୍ବର୧୭|୭: ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା କିଛି ନୂଆ କଥା ନୁହେଁ । ହେଲେ ପ୍ରଶ୍ନ କାଳରେ ତଥ୍ୟକୁ ନେଇ ଶାସକ ଦଳର ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ ଭିତରେ ଗୋହି ଖୋଳାଖୋଳି ହେବା ସାଧାରଣରେ କୌତୁହଳ ସୃଷ୍ଟି କରିଛି । ଆଜି ଏମିତି କିଛି ଚିତ୍ର ଦେଖିବାକୁ ମିଳିଥିଲା ବିଧାନସଭାରେ । ପ୍ରଶ୍ନ ଆଉ ଉତ୍ତରକୁ ନେଇ ମୁହାଁମୁହିଁ ହୋଇଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ତେବେ କ’ଣ ଥିଲା ପୂରା ମାହୋଲ ଚାଲନ୍ତୁ ଦେଖିବା । ….

ବିଧାନସଭାରେ ମନ୍ତ୍ରୀ ବନାମ ପୂର୍ବତନ ମନ୍ତ୍ରୀ । ପ୍ରଶ୍ନକାଳରେ ଶାସକ ଓ ବିରୋଧ ମୁହାଁମୁହିଁ ହେବାର ତ ଆପଣ ଅନେକ ଥର ଦେଖିଥିବେ । ହେଲେ ଶାସକ ଦଳର ଦୁଇ ନେତାଙ୍କ ଭିତରେ କଥା କଟାକଟି ଖୁବ୍ କମ୍ ଦେଖିବାକୁ ମିଳେ । ଆଜି କିନ୍ତୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଭିତରେ ଗୋହି ଖୋଳାଖୋଳି ସାଧାରଣରେ କୌତୁହଳ ସୃଷ୍ଟି କରିଛି । ନିଜ ପ୍ରଶ୍ନରେ ନିଜେ ଘାଇଲା ହୋଇଥିଲେ ମହାରଥୀ । ଶୀତଳ ଭଣ୍ଡାର ଓ ଆଳୁ ମିଶନ ନେଇ ମହାରଥୀଙ୍କ ପ୍ରଶ୍ନର ଉତ୍ତର ଦେଇ ତେରେଚ୍ଛା ବାଣ ମାରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ମହାରଥୀଙ୍କ ପ୍ରଶ୍ନ ଉତ୍ତର ଦେଇ ନିରଞ୍ଜନ ପୂଜାରୀ କହିଥିଲେ, ଶୀତଳ ଭଣ୍ଡାର ପ୍ରସଙ୍ଗରେ ମହାରଥୀ ବାବୁ ଯେଉଁ ପ୍ରଶ୍ନ ପଚାରୁଛନ୍ତି, ପୂର୍ବରୁ ସେ ସେହି ବିଭାଗର ମନ୍ତ୍ରୀ ଥିଲେ । ଆଳୁ ମିଶନ ତାଙ୍କ ସମୟରେ ଆରମ୍ଭ ହୋଇ ଶେଷ ହୋଇଯାଇଥିଲା । ୧୨୮ଟି ଶୀତଳ ଭଣ୍ଡାରରୁ ମହାରଥୀଙ୍କ ମନ୍ତ୍ରୀତ୍ବ କାଳରେ ୮୦ଟି ଶୀତଳ ଭଣ୍ଡାର ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ୪୮ଟି ଶୀତଳ ଭଣ୍ଡାଳ ସଚଳ ରହିଛି । ବାକି ଗୁଡ଼ିକର ପୁନରୁଦ୍ଧାର ପାଇଁ ଉଦ୍ୟମ ଚାଲିଛି । ମହାରଥୀ ଚଷା ପୁଅ ଓ ଚାଷରେ ଡକ୍ଟରେଟ୍ କରିଛନ୍ତି । ତାକୁ ସବୁ କଥା ଜଣା ।

ପ୍ରକୃତରେ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ତାଙ୍କ ପ୍ରଶ୍ନର ସଠିକ୍ ଉତ୍ତର ନିଶ୍ଚୟ ଜଣାଥିବ । ତଥାପି ସେ କୋଉ ଉଦେଶ୍ୟ ରଖି ଏଭଳି ପ୍ରଶ୍ନ ପଚାରି କାହା ପାଇଁ ଅଡ଼ୁଆ ସୃଷ୍ଟି କରିବାକୁ ଚାହୁଁଥିଲେ ସେକଥା ତାଙ୍କୁ ଜଣାଥିବ । ହେଲେ ଆଜି ବେଶ୍ ଆଗ୍ରେସିଭ୍ ମୁଡ୍ରେ ଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ତେରେଛା ବାଣରେ ମହାରଥୀ ଯେ ଘାଇଲା ହୋଇଥିଲେ ତାହା ସ୍ପଷ୍ଟ ଅନୁଭବ କରିହେଉଥିଲା ।
