ନୂଆଦିଲ୍ଲୀ ୦୯/୧୨: ଏକ ନୂଆ ପ୍ରକାର ଯୁଦ୍ଧନୀତି ଆରମ୍ଭ ହେବାକୁ ଯାଉଛି । ଜୈବିକ ଯୁଦ୍ଧ ନୀତି । ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡିବ । ଯେପରିକି ଆମ ଦେଶ ଏହାଦ୍ୱାରା ବ୍ୟାପୁଥିବା ଭାଇରସ ଓ ରୋଗର କବଳରେ ଆସିବ ନାହିଁ । ଦେହାନ୍ତର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ଜେନେରାଲ ବିପିନ ରାଓ୍ୱତ ଦକ୍ଷିଣ ଏସିଆର ୫ ପ୍ରମୁଖ ଦେଶ ସମୁହ ବିମଷ୍ଟେକ୍ ବୈଠକରେ ଏହି ବୟାନ ଦେଇଥିଲେ ।
କରୋନା ସହ ଜଡିତ ବୟାନରେ ସିଡିଏସ କୌଣସି ଦେଶର ନାଁ ନେଇନଥିଲେ । କିନ୍ତୁ ସେ ଚୀନକୁ ଟାର୍ଗେଟ କରୁଥିବା ଓ ଚୀନରୁ ସତର୍କ ରହୁଥିବା ପ୍ରକାଶ କରିଥିଲେ । ସେ ପ୍ରଥମ ଥର ପାଇଁ ଚୀନକୁ ଟାର୍ଗେଟ୍ କରିନାହାଁନ୍ତି । ପୂର୍ବରୁ ବି ଅନେକ ଥର ତାଙ୍କ ଟାର୍ଗେଟରେ ଡ୍ରାଗନ ରହିଛି ।
ସିଡିଏସଙ୍କ କିଛି ବଡ ବୟାନ
ଜେନେରାଲ ରାଓ୍ୱତ ଏକଦା ଚୀନକୁ ବିଶ୍ୱାସ କରିହେବ ନାହିଁ ବୋଲି କହିଥିଲେ । ଏପରିକି ଚୀନ ହିଁ ସବୁଠାରୁ ବଡ ବିପଦ ବୋଲି ସେ କହିଥିଲେ । ଏହା ଉପରେ ପ୍ରତିକ୍ରିୟା ଦେଇ ଚୀନ କହିଥିଲା ଯେ, ଏପରି ବକ୍ତବ୍ୟ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବ ।
ରାଓ୍ୱତ ଆହୁରି ମଧ୍ୟ ଗତ ଏପ୍ରିଲ ୧୫ରେ କହିଥିଲେ ଯେ, ଚୀନ ମନମାନି କରୁଛି । ଭାରତ ଏହା ବିରୋଧରେ କଡାକଡି ଭାବେ ଠିଆ ହୋଇଛି । ଚୀନ ଆମକୁ କେବେ ପଛକୁ ଠେଲି ପାରିବ ନାହିଁ ବୋଲି ସେ କହିଥିଲେ ।
ଆହୁରି ମଧ୍ୟ ସିଡିଏସ ୨୦୧୮ ଜାନୁଆରୀରେ କହିଥିଲେ ଯେ, ଏବେ ୧୯୬୨ ଭଳି ସ୍ଥିତି ନାହିଁ । ଭାରତ ଆଗ ଭଳି ଆଉ ଦୁର୍ବଳ ନୁହେଁ । ଦେଶ ପୂର୍ବ ତୁଳନାରେ ଅଧିକ ଶକ୍ତିଶାଳୀ ବୋଲି ସେ କହିଥିଲେ । କେବଳ ଚୀନ ନୁହେଁ, ରାଓ୍ୱତ ପାକିସ୍ତାନଟୁ ବି ଅନେକ ସମୟରେ ଚେତାବନୀ ଦେଇଛନ୍ତି ।