ମୋବାଇଲରେ ଗେମ୍ ଖେଳିବାକୁ ମନା କଲା ମାଆ, ପାଇଖାନାରେ ରଶି ଲଗାଇ ଝୁଲି ପଡିଲା ନବମ ଶ୍ରେଣୀ ଛାତ୍ର

Published By : Prameya-News7 Bureau | December 06, 2020 IST

ବେଗୁନିଆ,୦୬/୧୨: ରାଜ୍ୟ ସରକାର ଏବେ ଅନଲାଇନ୍ ପାଠପଢାକୁ ଗୁରୁତ୍ୱ ଦେଉଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ମେବାଇଲ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଏପରି ସମୟରେ କିଛି ଛାତ୍ରଛାତ୍ରୀ ପାଠପଢା ନାଣରେ ମୋବାଇଲ ଗ୍ରେମ୍ ଅଧିକ ଖେଳୁଛନ୍ତି । ଅଭିଭାବକମାନେ ଏଥିରୁ ସେମାନଙ୍କୁ ବାରଣ କରିବା ଦ୍ୱାରା ଘଟୁଛି ବଡ ଧରଣର ଅଘଟଣ ।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗଡ଼ମାଣତିର ତଳଗଡ଼ ସାହିରେ ।

ସୂଚନାନୁସାରେ,  ଗ୍ରାମର ଅକ୍ଷୟ ସୁବୁଦ୍ଧିଙ୍କ ପୁଅ ଅଶୋକ (୧୩) ନବମ ଶ୍ରେଣୀରେ ଅଧ୍ୟୟନ କରନ୍ତି । ଶନିବାର ଅପରାହ୍ନ ସମୟରେ ସେ ମୋବାଇଲରେ ଗେମ୍‌ ଖେଳୁଥିବାବେଳେ ତାଙ୍କ ମା’ ଏହାକୁ ବାରଣ କରିଥିଲେ । ଏହାସହ ବାପାଙ୍କୁ ଫୋନ କରିବାକୁ ମୋବାଇଲ ମାଗିଥିଲେ। କିନ୍ତୁ ଅଶୋକ ମା’ଙ୍କ କଥା ନ ଶୁଣି ଗେମ୍‌ ଖେଳିଥିଲେ । ପରେ ବିରକ୍ତ ହେବା ସହ ମା’ ଅଶୋକଠାରୁ ମୋବାଇଲ ଛଡ଼ାଇ ନେଇଥିଲେ।

ଏହାକୁ ନେଇ ଅଶୋକ ମନଦୁଃଖ କରିଥିଲେ । କିଛି ସମୟ ଚୁପ ବସିବା ପରେ ଶୌଚ ପାଇଁ ଯାଇଥିଲେ । କିନ୍ତୁ ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କୁ ଖୋଜା ଖୋଜି କରାଯାଇଥିଲା । ପରେ ଘର ପାଇଖାନାରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ଅଶୋକଙ୍କୁ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ବେଗୁନିଆ ଥାନା ପୋଲିସ୍‌ ୧୮/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ ଗାୟତ୍ରୀ ଗୋଚ୍ଛାୟତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.