ନବମ ଓ ଏକାଦଶ କ୍ଲାସ୍ ବନ୍ଦ, କରୋନା ପ୍ରକୋପ ଦେଖି ଘୋଷଣା କଲେ ରାଜ୍ୟ ସରକାର

Published By : Prameya-News7 Bureau | April 07, 2021 IST

ଭୁବନେଶ୍ଵର ୦୭।୦୪: ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କଡା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖାକୁ ଦୃଷ୍ଟିରେ ରଖି ରାଜ୍ୟରେ ନବମ ଏବଂ ଏକାଦଶ ଶ୍ରେଣୀ ପାଠପଢା ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ନିର୍ଦ୍ଦେଶାନାମା ଅନୁଯାୟୀ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ପାଠପଢା ବନ୍ଦ ରହିବ। ଏପ୍ରିଲ ୩୦ ପର୍ଯ୍ୟନ୍ତ କ୍ଲାସ ବନ୍ଦ ପାଇଁ ବୁଧବାର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଉପରୋକ୍ତ ଦୁଇ ଶ୍ରେଣୀର ପିଲାଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ଦୁଇ ଶ୍ରେଣୀର ପିଲା ହୋଷ୍ଟେଲ, ଆବାସିକ ସ୍କୁଲରେ ପଢୁଛନ୍ତି ତେବେ ସେମାନଙ୍କୁ ଶୀଘ୍ର ଘରକୁ ଯିବାକୁ କୁହାଯାଇଛି। କିନ୍ତୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ କ୍ଲାସ୍ ଏପ୍ରିଲ ୨୫ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନବମ ଏବଂ ଏକାଦଶ ଶ୍ରେଣୀ ଏପ୍ରିଲ ୮ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ ହୁ ହୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୈନିକ କରୋନା ସଂକ୍ରମଣ ୭ ଶହରୁ ଅଧିକ ହେଲାଣି। କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିଛି।  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୪୬୪୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୫୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୩୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.