ନିଜ ସୁଖଠୁ କର୍ତ୍ତବ୍ୟ ବଡ଼ : ଜଣେ ନିଆରା କରୋନା ଯୋଦ୍ଧା, ୯ମାସର ଗର୍ଭବତୀ ନର୍ସ ଜିଣିଲେ ସବୁ ହୃଦୟ

Published By : Prameya-News7 Bureau | May 13, 2020 IST

ବେଙ୍ଗାଲୁରୁ ୧୩।୦୫ : କରୋନା ସଂକଟରେ ସ୍ୱାସ୍ଥ୍ୟକର୍ମୀମାନେ ଏବେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି । ସଂକ୍ରମଣ ହେବାର ଭୟ ଛାଡ଼ି ସେମାନେ କରୋନା ରୋଗୀଙ୍କ ସେବା କରୁଛନ୍ତି । ବେଳେବେଳେ ଅନେକ ଡାକ୍ତର ଏବଂ ନର୍ସ କରୋନା କବଳରେ ପଡୁଛନ୍ତି । କିନ୍ତୁ ଅନ୍ୟମାନଙ୍କୁ ଏହା ଭୟଭୀତ କରିପାରୁ ନାହିଁ । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରୂପା ପ୍ରବୀଣ ରାଓ । କର୍ଣ୍ଣାଟକ ଅନ୍ତର୍ଗତ ଶିବମୋଗାରେ ରହୁଥିବା ଏହି ନର୍ସ ଜଣକ ୯ ମାସର ଗର୍ଭବତୀ ଥିବା ସତ୍ତେ୍ୱ ରୋଗୀ ସେବାରୁ ନିବୃତ୍ତ ରହିପାରି ନାହାନ୍ତି । ଏବେ ତାଙ୍କର ସେବା ଜରୁରି ହୋଇପଡ଼ିଥିବାରୁ ସେ ନିଜର ତଥା ନିଜ ସନ୍ତାନର ସୁରକ୍ଷା କଥା ଚିନ୍ତା ନ କରି ଆଗକୁ ବଢ଼ିଛନ୍ତି । ଶିବମୋଗାସ୍ଥିତ ଏକ ସରକାରୀ ହସ୍ପିଟାଲରେ ଏବେ ସେ ରୋଗୀ ସେବାରେ ବ୍ରତୀ ।

ମିଳିଥିବା ଖବର ମୁତାବକ ରୂପା ପ୍ରବୀଣ ରାଓ ଗର୍ଭବତୀ ଥିବା ଅବସ୍ଥାରେ ଦେଶରେ କରୋନା ବ୍ୟାପିଥିଲା । କିନ୍ତୁ ସେ ପଛକୁ ହଟି ନ ଥିଲେ । ସେ ଚାହିଁଥିଲେ ମାତୃତ୍ୱକାଳୀନ ଛୁଟି ନେଇ ଘରେ ଆରାମ କରିପାରିଥାନ୍ତେ । କିନ୍ତୁ ସେ ସେମିତି କରିନାହାନ୍ତି । ଏ ନେଇ ରୂପା କୁହନ୍ତି, ଏହି ସରକାରୀ ହସ୍ପିଟାଲକୁ ଅନେକ ଗାଁ ଘେରି ରହିଛି । ଏହା ଉପରେ ଅନେକ ଲୋକ ନିର୍ଭର କରୁଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ସେମାନଙ୍କୁ ସେବା ଯୋଗାଇବା ଜରୁରି ହୋଇପଡ଼ିଛି । ଛୁଟି ନେବା ପାଇଁ ମୋତେ ଉପରିସ୍ଥ ଅଧିକାରୀ ବାରମ୍ବାର କହୁଛନ୍ତି । କିନ୍ତୁ ମୁଁ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି । ତେବେ ବର୍ତ୍ତମାନ ପ୍ରତିଦିନ ୬ ଘଣ୍ଟା କାମ କରୁଛି । ଗଜାନୁରୁ ଗ୍ରାମରେ ରହୁଥିବା ରୂପା ଯେଉଁ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି, ତାହା ତିର୍ସହଲ୍ଲି ବ୍ଲକ ଅଧୀନରେ ଆସୁଛି । ସେଥିପାଇଁ ତାଙ୍କୁ ପ୍ରତିଦିନ ସେଠାରେ ପହଞ୍ଚିବା ଲାଗି କିଛି ବାଟ ଯାତ୍ରା କରିବାକୁ ପଡୁଛି । ସେ ଜୟାଚମାରାଜେନ୍ଦ୍ର ସରକାରୀ ହସ୍ପିଟାଲରେ କାମ କରୁଛନ୍ତି ।

ତାଙ୍କର ଏଭଳି ଉତ୍ସର୍ଗୀକୃତ ସେବା ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦିୟୁରପ୍ପା ତାଙ୍କୁ ଥରେ ଫୋନ୍‌ କରିଥିଲେ । ଏମିତି କି ଏଭଳି ପରିସ୍ଥିତିରେ ଘରେ ଆରାମ ନେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କିନ୍ତୁ ସେ ନିଜ କାମ ଜାରି ରଖିବାକୁ ଚାହାନ୍ତି ବୋଲି ତାଙ୍କୁ ଜଣାଇଥିଲେ । ବିଶ୍ୱ ମହାମାରୀ କରୋନା ବିରୋଧରେ ଯେଉଁ ଲଢ଼େଇ ଚାଲିଛି, ସେଥିରେ ସେ ସାମିଲ ହେବାକୁ ଚାହୁଁଥିବା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.