ରାୟଗଡା ଆନ୍ଧ୍ର ବ୍ୟାଙ୍କ୍ ସମ୍ମୁଖରୁ ଔଷଧ ବ୍ୟବସାୟୀଙ୍କ ୯ ଲକ୍ଷ ଟଙ୍କା ଝାମ୍ପି ନେଇ ପଲସରରେ ଫେରାର ହୋଇଗଲେ ୨ ଲୁଟେରା

Published By : Prameya-News7 Bureau | January 04, 2019 IST

ରାୟଗଡା ୪|୧: ରାୟଗଡା ନ୍ୟୁ କଲୋନୀ ସ୍ଥିତ ଆନ୍ଧ୍ର ବ୍ୟାଙ୍କ୍ ସମ୍ମୁଖରୁ ଜଣେ ଔଷଧ ବ୍ୟବସାୟୀଙ୍କଠାରୁ ୨ଜଣ ଦୁର୍ବୃତ୍ତ ୯ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି । ଆଜି ଅପରାହ୍ନ ୪ଟା ବେଳକୁ ରାୟଗଡା ମେନ୍ ରୋଡ୍ ରେ ଔଷଧ ଦୋକାନ ଦେଇଥିବା ଶ୍ରୀରାମ ଗନ୍ତାୟତ ଟଙ୍କା ଉଠାଇବା ପାଇଁ ନ୍ୟୁ କଲୋନୀ ଆନ୍ଧ୍ର ବ୍ୟାଙ୍କ୍ ଶାଖାକୁ ଯାଇଥିଲେ । ସେଠାରେ ସେ ୯ଲକ୍ଷ ଟଙ୍କା ଉଠାଇ ବ୍ୟାଙ୍କ୍ ବାହାରକୁ ବାହାରିବା ବେଳେ ବ୍ୟାଙ୍କ୍ ଭିତରୁ ଆଉ ଦୁଇ ଜଣ ଯୁବକ ବାହାରି ତାଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡାଇବା ପାଇଁ ଉଦ୍ୟମ କରିଥିଲେ । ତେବେ ଶ୍ରୀରାମ ଟଙ୍କା ବ୍ୟାଗ୍ ଛାଡି ନଥିଲେ । ଫଳରେ ଦୁର୍ବୃତ୍ତମାନେ ଶ୍ରୀରାମଙ୍କୁ ଠେଲାପେଲା କରି ଟଙ୍କା ବ୍ୟାଗ୍ ଛଡାଇ ନେଇ ଏକ କଳା ରଙ୍ଗର ପଲସର ବାଇକ୍ ରେ  ଫେରାର ହୋଇଯାଇଥିଲେ । ଏହି ଘଟଣା ଘଟିଲା ବେଳକୁ ଆଖପାଖରେ ବହୁ ବ୍ୟବସାୟୀ ଦେଖୁଥିଲେ ମଧ୍ୟ  ଲୁଟେରାଙ୍କୁ କାବୁ କରିବାକୁ କେହି ଆଗଭର ହୋଇନଥିଲେ । ଖବର ପାଇ ରାୟଗଡା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ବ୍ୟାଙ୍କ୍ ର ସିସିଟିଭି ଫୁଟେଜ୍ କୁ ଯାଞ୍ଚ କରି ଲୁଟେରାମାନଙ୍କ ଚେହେରା ଚିହ୍ନଟ କରାଯାଇଛି ।

{"id":70411,"width":577,"height":425}

ସୂଚନା ଯୋଗ୍ୟ ଯେ ଶ୍ରୀରାମ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ୍ ଭିତରକୁ ପ୍ରବେଶ କରିବା ବେଳଠୁ ଲୁଟେରାମାନେ ତାଙ୍କ ଉପରେ ନଜର ରଖିଥିଲେ । ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଏକ ବ୍ୟାଙ୍କ୍ ଲୁଟେରା ଗ୍ୟାଙ୍ଗ୍ ରହିଛି । ସେହି ଗ୍ୟାଙ୍ଗ୍ ର ସଦସ୍ୟ ମାନେ ଏହି କାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.