ସରକାରୀ ଯୋଜନା ଭେଳିକି, ଗୁହାଳରେ କଟୁଛି ନୀଳାନ୍ଦ୍ରିଙ୍କ ଜୀବନ : କେହି ଶୁଣୁ ନାହାଁନ୍ତି ଗୁହାରି

Published By : Prameya-News7 Bureau | November 09, 2021 IST

ତେଲକୋଇ,୦୯/୧୧: ଗରିବ ଅସହାୟ ଜନସାଧାରଣଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା ।ଏନ୍ତୁଡ଼ିଶାଳରୁ ଶ୍ମଶାନ ଯାଏ ବିଭିନ୍ନ ଯୋଜନା ସରକାର କାର୍ଯ୍ୟକାରୀ କରିଛନ୍ତି।ତଥାପି ଗରିବଙ୍କ ପାଖରେ ପହଞ୍ଚି ପାରୁନି ଯୋଜନାର ସୁଫଳ।ଲୋକେ ଗୁହାଳ ଘରକୁ ଭରସା କରି ଆଶ୍ରୟ ନେଇଛନ୍ତି ।ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ନୂଆଗଡ ଗାଁରେ ।

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ନୂଆଗଡ ଗାଁ ର ନୀଳାନ୍ଦ୍ରି ପଟ୍ଟନାୟକ ଦୀର୍ଘ ବର୍ଷ ହେବ ଭଙ୍ଗା ଦଦରା ଗୁହାଳ ଘରେ ଦୁଇ ଶିଶୁଙ୍କୁ ନେଇ ରହି ଆସୁଛନ୍ତି ।ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରି ଥକିଗଲେଣି ନୀଳାନ୍ଦ୍ରି । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତର ଜିଆରଏସ ପର୍ଯ୍ୟନ୍ତ କେହି ତାଙ୍କ ଗୁହାରି ଶୁଣୁନାହାଁନ୍ତି । ଫଳରେ ଗୁହାଳ ରେ ରହୁଛନ୍ତି ନୀଳାନ୍ଦ୍ରି ପଟ୍ଟନାୟକ।ଗୋରୁଗାଈଙ୍କ ବାସସ୍ଥାନକୁ ସ୍ତ୍ରୀ ରଶ୍ମିତାଙ୍କ ସହିତ ଆଦରି ନେଇଛନ୍ତି ଚାରି ପ୍ରାଣୀ କୁଟୁମ୍ବ।

ଲୋକଙ୍କ ଝାଟିମାଟି ଘରକୁ ପକ୍କାଘର କରିବା ପାଇଁ ସରକାର ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି।ତେବେ ଏହି ସବୁ ଯୋଜନା ପ୍ରଶାସନିକ ସ୍ତରରେ ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉ ନଥିବାରୁ ବହୁ ଗରିବ ପରିବାରଙ୍କ ପାଇଁ ଆବାସ ଯୋଜନା ସାତ ସପନ ପାଲଟିଯାଇଛି।ଆବାସ ଯୋଜନା ବାଟବଣା ହେଉଥିବା ଯୋଗୁଁ ଗରିବ ଅସହାୟ ପରିବାରଟିଏ ଗୋରୁ ଗୁହାଳ ଘରେ ବାଧ୍ୟ ହୋଇ ରହୁଥିବା ଦେଖିବାକୁ ମିଳିଛି।ସେହିପରି ଖରା, ବର୍ଷା, ଶୀତ କାକରରେ ନୀଳାନ୍ଦ୍ରଙ୍କ ୪ପ୍ରାଣୀ କୁଟୁମ୍ବଙ୍କ ଜୀବନ କଷ୍ଟକର ହୋଇପଡେ । ସେ ପଲିଥିନ ପକାଇ ଥିବା ଏକ ଗୋରୁ ଗୁହାଳ ଘରେ ଗୋଟିଏ ପଟେ ଗାଈ, ବଳଦଙ୍କୁ ବାନ୍ଧୁଥିବା ବେଳେ ଅନ୍ୟ ପଟରେ ୪ପ୍ରାଣୀ କୁଟୁମ୍ବ ସହ ରାତି ବିତାଉଛନ୍ତି।ଶୀତ ଓ ବର୍ଷା ଋତୁରେ ଆହୁରି ଦୟନୀୟ ଅବସ୍ଥାରେ ଦୁଇ ପୁଅ ଓ ଝିଅ ସହ ରହିବାକୁ ପଡେ ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି।

ନୀଳାନ୍ଦ୍ରି ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ସେଥିରୁ ତାଙ୍କର ପରିବାର ଚଳାଇଥାନ୍ତି। ପ୍ରତିଦିନ ଦୁଇ ମୁଠା ପେଟ ପୁରା ମିଳିବା ତାଙ୍କ ପରିବାର ପକ୍ଷେ ସମ୍ଭବପର ହୋଇ ପାରେ ନାହିଁ। ଗୁହାଳ ଘର ଉପରେ ଛାଉଣୀ କରି ପାରୁନଥିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ବିରାଜମାନ କରିଥାନ୍ତି ।ରୋଷେଇ ପାଇଁ ମଧ୍ୟ ଘରର ଅଭାବ ଥିବାରୁ ଖୋଲା ଆକାଶ ତଳେ ରୋଷେଇ କରନ୍ତି ରଶ୍ମିତା ।  ଏସମ୍ପର୍କରେ ତେଲକୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ ଚିରାତଚରିତ ଢହ୍ଗରେ ଉତ୍ତର ଦେଇ ଚାଲି ଯାଇଥିଲେ । ଦେଖିବାକୁ ବାକି ରହିଲା କେବେଲ ନୀଳାନ୍ଦ୍ରିଙ୍କ ଦୁର୍ଦ୍ଦଶା ଦୂର ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.