ଜଙ୍ଗଲରେ ନିଆଁ ବ୍ୟାପିବା ଓ ପ୍ରତିକାର ନହେବାକୁ ନେଇ ଜଙ୍ଗଲ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନୀଳଗିରି ଛୋଟ ରାଣୀ ଜ୍ୟୋସ୍ନାଦେବୀ
6/03/2021 at 3:55 PM

ନୀଳଗିରି,୦୬/୦୩: ଶିମିଳିପାଳ ପରେ ନୀଳଗିରିର ତିନିକୋଶିଆ ଓ କୁଳଡିହା ଅଭୟାରଣ୍ୟରେ ନିଆଁ ଲାଗିଛି । ମୂଲ୍ୟବାନ ଗଛ ସବୁ ପୋଡ଼ି ପାଉଁଶ ହୋଇଯାଇଛି । ଏହି ଘଟଣାକୁ ନେଇ ପରିବେଶବିତ୍ ତଥା ନୀଳଗିରି ରାଜ ପରିବାର ସଦସ୍ୟା ଛୋଟ ରାଣୀ ଜ୍ୟୋସ୍ନାଦେବୀ ମର୍ଦରାଜ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ସେ ଏଥିପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ସିଧାଦାୟୀ କରିଛନ୍ତି । ବାଲେଶ୍ଵର ଜିଲ୍ଲା ନୀଳଗିରି ତିନିକୋଶିଆ ଜଙ୍ଗଲର ବିଭିନ୍ନ ସ୍ଥାନରେ ଅଜକୁ ୭ ଦିନ ଧରି ନିଆଁ ଲାଗି ଗଛପତ୍ର ପୋଡି ପାଉଁଶ ହୋଇ ଯାଇଛି । ଗତକାଲି ରାତିରେ ମଧ୍ୟ କୁଳଡିହା ଅଭୟାରଣ୍ୟର ବାଲିଆନାଳ ନିକଟ ନଣ୍ଡାରୀ ପାହାଡ଼ରେ ଗଛପତ୍ର ହୁ ହୁ ହୋଇ ଜଳୁଥିବାର ନଜରକୁ ଆସିଛି ।
କୂଳଡିହା ରେଞ୍ଜର ବିଜୟ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ୫୦ରୁ ଅଧିକ ବନ କର୍ମଚାରୀ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ପାହାଡ଼ର ଅଗ୍ର ଭାଗରେ ନିଆଁ ଲାଗିଥିବାରୁ ଦମକଳ ବାହିନୀ ସେଠାରେ ପହଂଚିବା ଅସମ୍ଭବ ହୋଇଛି । କିଛି ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଜଙ୍ଗଲ ଜଳିବା ସହିତ ବନ୍ୟଜନ୍ତୁ ଏବେ ବିପଦରେ ପଡିଛନ୍ତି ।
ତେବେ ଘଟଣାକୁ ନେଇ ଜ୍ୟୋସ୍ନାଦେବୀ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି । ସେହପରି ଫେବୃଆରୀ ୨୨ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ୫,୨୯୧ ରୁ ଉର୍ଦ୍ଧ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହାକୁ ହାଲୁକା ଭବେ ନେଇ ପରିଚାଳନା କରିବାରେ ଅସମର୍ଥ ହୋଇଥିବାରୁ ତାଙ୍କର ଇସ୍ତଫା ଦାବି କରିଛନ୍ତି । ଟୁଇଟ କରି ସେ ରାଜ୍ୟ ସରକାର ଓ କେନ୍ଦ୍ର ଜଙ୍ଗଲ-ପରିବେଶ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।