ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ, ଏହି ସହରରେ ଶନିବାର ରାତି ୧୧ରୁ ଲାଗିବ କର୍ଫ୍ୟୁ

Published By : Prameya-News7 Bureau | March 06, 2021 IST

ଚଣ୍ଡୀଗଡ଼ ୦୬/୦୩: ପୁଣି ବଢ଼ୁଛି କରୋନା ସଂକ୍ରମଣ। ଫେରୁଛି ଲକ୍‌ଡାଉନ୍‌ ଏବଂ ନାଇଟ୍‌ କର୍ଫ୍ୟୁ। କରୋନା ଟିକାକରଣ ଚାଲିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣରେ ବୃଦ୍ଧି ଘଟୁଛି। ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ଦୃଢ଼ ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି।

ପଞ୍ଜାବରେ କରୋନା ମାଡ଼ିଚାଲିଥିବା ବେଳେ ରାଜ୍ୟର ଏକ ସହରରେ ଆଜି ରାତି ୧୧ରୁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି। ଜଳନ୍ଧର ସହରରେ ଶନିବାର ରାତି ୧୧ରୁ ରବିବାର ସକାଳ ୫ ଯାଏ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜଣାପଡ଼ିଛି। କର୍ଫ୍ୟୁ ସମୟରେ ବିନା କାରଣରେ ଲୋକେ ଘରୁ ବାହାରି ପାରିବେନାହିଁ।

ଏହି ସମୟରେ ଅତ୍ୟାବଶ୍ୟକ ସେବା ଉପରେ କଟକଣା ରହିବ ନାହିଁ। କିନ୍ତୁ ନାଇଟ୍‌ କର୍ଫ୍ୟୁ କେତେ​‌ ଦିନ ପର୍ଯ୍ୟନ୍ତ ଲାଗି ରହିବ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।  ସେପଟେ କରୋନା ସଂକ୍ରମଣ ରୋକିବାକୁ ସହାୟତା କରିବା ପାଇଁ ଲୋକଙ୍କୁ ଅପିଲ କରିଛି ପ୍ରଶାସନ। ମହାନଗର ଅଞ୍ଚଳରେ କରୋନା ସଂକ୍ରମଣ ଥମିବାର ନାଁ ନେଉନଥିବା ବେଳେ ସ୍କୁଲ ପିଲା ଅଧିକ ସଂକ୍ରମିତ ହେବା ଚିନ୍ତା ବଢ଼ାଇଦେଇଛି।

ଅନ୍ୟପଟେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ତାମିଲନାଡୁ ସରକାର ରାଜ୍ୟରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍‌ଡାଉନ ଅବଧି ବଢ଼ାଇଛନ୍ତି। କରୋନା ନିୟମ ଉଲଙ୍ଘନ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.