ନାଇଟ୍ କର୍ଫ୍ୟୁ ବେଳେ ରାଜଧାନୀରେ ଜୋରଦାର ହେବ ବ୍ଲକିଂ -ଚେକିଂ : ଜଗିବେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ, ଅମାନିଆଙ୍କୁ ନିସ୍ତାର ନାହିଁ

Published By : Prameya-News7 Bureau | April 17, 2021 IST

ଭୁବନେଶ୍ୱର,୧୭/୦୪:  ଦୀର୍ଘ ଦିନର ବ୍ୟବଧାନ ପରେ ଫେରିଲା ରାତି କର୍ଫ୍ୟୁ । କରୋନାର ସଂକ୍ରମଣ ଦ୍ରୁତ ହାରରେ ମାଡ଼ି ଚାଲିଥିବାବେଳେ ଶନିବାର ରାତିରୁ ଆରମ୍ଭ ହେବ ନାଇଟ୍ କର୍ଫ୍ୟୁ । ଏହାକୁ କଡ଼ାକଡ଼ି ପାଳନ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ କମିଶନରେଟ ପୋଲିସକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ରାତି ୯ଟାରୁ ରାତ୍ରି କାଳୀନ କର୍ଫ୍ୟୁ ଲାଗୁହେବ । ସବୁଦିନ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏପ୍ରିଲ ମାସ ପାଇଁ ଏଭଳି କଟକଣା ଜାରି ହୋଇଛି । ଏହି ସମୟରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ । ଦୋକାନ ବଜାର ବି ବନ୍ଦ ରହିବ । କେହି ପଦାରେ ବୁଲାବୁଲି କରିପାରିବେ ନାହିଁ । ରାତି କର୍ଫ୍ୟୁ ସମୟରେ ସମସ୍ତ ଜରୁରୀକାଳୀନ ସେବା ଓ ମାଲ୍‌ ପରିବହନ ଜାରି ରହିବ ।

ତେବେ ଜଳଯୋଗାଣ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍‌ ସେବା, ଏଲ୍‌ପିଜି ଗ୍ୟାସ ବିତରଣ, ଟେଲିକମ, ଫୁଡ୍‌ ଡେଲିଭରି ସଂସ୍ଥା, ଆଇଟି କମ୍ପାନି, ନିର୍ମାଣ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ସହ ଜଡ଼ିତ କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । ରେଳ ଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡକୁ ଯାତ୍ରୀ ନେବା ଆଣିବା ପାଇଁ ଗାଡ଼ି ଯାଇପାରିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀମାନେ ନାଇଟ୍‌ କର୍ଫ୍ୟୁବେଳେ ଯାତାୟାତ କରିପାରିବେ ।

ନାଇଟ୍‌ କର୍ଫ୍ୟୁ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନାଇଟ୍‌ କର୍ଫ୍ୟୁ ପାଇଁ ମୋଟ୍‌ ୧୦ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି । ତା’ଛଡା ରାଜଧାନୀରେ ମୋଟ୍‌ ୨୫ ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୁଲିସ ବ୍ଲକିଂକରି ଯାଞ୍ଚ କରିବ । ଜରୁରୀ କାମ ବିନା ଯଦି କୌଣସି ବ୍ୟକ୍ତି ସହରରେ ବୁଲୁଥିବେ, ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଉମା ଶଙ୍କର ଦାଶ ସ୍ପଷ୍ଟ କରିଛନ୍ତି । କରୋନା ସଂକ୍ରମଣ ଚେନ୍‌ ରୋକିବା ଲାଗି ଗୁରୁବାର ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଥିଲେ ।

ଶନିବାର ରାତି ୯ଟାରୁ ରାଜଧାନୀରେ ଏହି ନିୟମ ଲାଗୁ କରାଯିବ । ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍‌, ଏଜି ଛକ, କଳ୍ପନା, ରାଜମହଲ, ପଟିଆ, ଜୟଦେବ ବିହାର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ରସୁଲଗଡ, ରବି ଟକିଜ ଆଦି ଗୁରୁତ୍ୱପୂର୍ଣ୍ଣ ୨୫ଟି ସ୍ଥାନରେ ଚେକ୍‌ ପୋଷ୍ଟ କରଯାଇ ଯାଞ୍ଚ କରାଯିବ । ଏହାସହ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ପାଟ୍ରୋଲିଂ କଡାକଡି କରିବା ପାଇଁ ବିଭିନ୍ନ ଥାନାର ଆଇଆଇସିଙ୍କୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ଅମାନିଆ ନିୟମ ଭାଙ୍ଗି ବାହାରେ ବୁଲାବୁଲି କରନ୍ତି, ତେବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ଏହାସହ ମୋଟ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୂତୟନ କରାଯିବା ସହ ବିଭିନ୍ନ ଜୋନର ଏସିପିମାନଙ୍କୁ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ରହିଛି । ରାତିକାଳୀନ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦିଆଯିବ । ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ସେମାନଙ୍କ ଆଇକାର୍ଡ ଦେଖାଇ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବେ । ଏହା ସହ ଜନସାଧାରଣ ସହଯୋଗ କରିବା ପାଇଁ ନିବେଦନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.