ସରକାରଙ୍କ ଘୋଷଣା: ୪ ସହରରେ ନାଇଟ୍‌ କର୍ଫ୍ୟୁ ବଳବତ୍ତର, ପୁଣି ମାସେ କରୋନା ନିୟମ କଡ଼ାକଡ଼ି

Published By : Prameya-News7 Bureau | January 30, 2021 IST

ଅହମଦାବାଦ ୩୦/୦୧: କରୋନା ପାଇଁ ଫେବୃଆରୀ ଗାଇଡଲାଇନ୍‌ ଆସି ସାରିଛି। ପ୍ରାୟ ସବୁ କାର୍ଯ୍ୟ ଏବେ ସହଜ ହେବାକୁ ଯାଉଛି। ସିନେମା ହଲ, ଥିଏଟର ଆଦି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ। ଭ୍ୟାକସିନ୍‌ ଆସିଛି ସତ କିନ୍ତୁ ସତର୍କତା ଜରୁରି। ଗୁଜୁରାଟର ୪ ସହରରେ ନାଇଟ କର୍ଫ୍ୟୁ ବଳବତ୍ତର ରହିଲା। ଅହମଦାବାଦ, ସୁରଟ, ଭଦୋଦରା ଏବଂ ରାଜକୋଟ ସହରରେ ରାତି ୧୧ରୁ ସକା ୬ ଯାଏ ରାତ୍ରି କାଳୀନ କର୍ଫ୍ୟୁ ଲାଗିରହିବ ବୋଲି ଶନିବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ନାଇଟ୍‌ କର୍ଫ୍ୟୁ ଫେବୃଆରୀ ୧୫ ଯାଏଁ ବଳବତ୍ତର ରହିବ ବୋଲି ଜଣାପଡ଼ିଛି।

ତେବେ ନାଇଟ୍‌ କର୍ଫ୍ୟୁ ପୂର୍ବରୁ ଲାଗିଥିବା ବେଳେ ଏଥର କିନ୍ତୁ ଘଣ୍ଟାଏ ଆଶ୍ବସ୍ତି ମିଳିଛି। ପୂର୍ବରୁ ରାତି ୧୦ରୁ ସକାଳ ୬ ଯାଏ କର୍ଫ୍ୟୁ ଲାଗୁଥିବା ବେଳେ ଏହି ସମୟକୁ ୧୧ରୁ ସକାଳ ୬ ଯାଏଁ କରାଯାଇଛି। ନଭେମ୍ବର ମାସ ଦିପାବଳୀ ପରଠୁ ଏହି ୪ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ନଭେମ୍ବରରେ ଜାନୁଆରୀ ୩୧ ଯାଏ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା ହୋଇଥିଲା।

ଫେବୃଆରୀ ପହିଲାରୁ ମାସ ଶେଷ ଯାଏଁ କରୋନା ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଗୁଜୁରାଟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାନୁଆରୀ ୨୭ରେ ଗାଇଡ୍‌ଲାଇନ୍‌ ଆସିଛି ବୋଲି ଅତିରିକ୍ତ ମୁଖ୍ୟ ସଚିବ ପଙ୍କଜ କୁମାର କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୩,୫୮୯ ଆକ୍ଟିଭ କରୋନା ମାମଲା ରହିଛି। ରାଜ୍ୟରେ ମୋଟ ୨,୬୦,୯୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ୪,୩୮୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.