ହାଭାର୍ଡ ୟୁନିଭର୍ସିଟିର ଅଫର ପାଇଁ ଛାଡିଲେ ୨୧ ବର୍ଷର ପୁରୁଣା ଚାକିରି, ଏମିତି ସାଇବର ଠକେଇର ଶିକାର ହେଲେ NDTVର ପୂର୍ବତନ ଆଙ୍କର
15/01/2021 at 9:01 PM

ନୂଆଦିଲ୍ଲୀ ୧୫।୦୧: ଆପଣ ମାନେ ସାଇବର କ୍ରାଇମ୍ର ଅନେକ ଘଟଣା ଦେଖିଥିବେ। ମାତ୍ର ବରିଷ୍ଠ ସାମ୍ବାଦିକା ଏହାର ଶିକାର ହେବେ ବିଶ୍ଵାସ କରିବା ମୁସ୍କିଲ। ଏମିତି ସାଇବର କ୍ରାଇମର ଶିକାର ହୋଇଛନ୍ତି ବରିଷ୍ଠ ସାମ୍ବାଦିକା ନିଧି ରାଜଦାନ। ଏନଡିଟିଭି ନ୍ୟୁଜ୍ ଚ୍ୟାନେଲ ସହିତ ଦୀର୍ଘ ୨୧ ବର୍ଷ କାମ କରିଥିବା ନିଧି ଗତ ବର୍ଷ ଜୁନ୍ ମାସରେ ଟ୍ଵିଟ୍ କରି କହିଥିଲେ ଯେ, ତାଙ୍କୁ ହାଭାର୍ଡ ୟୁନିଭର୍ସିଟିରେ ସହାୟକ ପ୍ରଫେସରର ଚାକିରି ମିଳି ଯାଇଛି। ଏଥିପାଇଁ ସେ ସାମ୍ବାଦିକତା କ୍ୟାରିୟରକୁ ଅଲବିଦା କହୁଛନ୍ତି। ହେଲେ ଏବେ ସାତ ମାସ ପରେ ସେ ଟ୍ଵିଟ୍ କରି ଦାବି କରିଛନ୍ତି ଯେ, ସେ ସାଇବର କ୍ରାଇମର ଶିକାର ହୋଇଛନ୍ତି। ତାଙ୍କୁ ହାଭାର୍ଡ ବିଶ୍ଵ ବିଦ୍ୟାଳୟ ପକ୍ଷରୁ କୌଣସି ଅଫର ମିଳିନଥିଲା।
ନିଧି ଶୁକ୍ରବାର ଟ୍ଵିଟ୍ କରି ନିଜ ସହ ଘଟିଥିବା ଘଟଣା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ନିଧି ଟ୍ଵିଟ୍ କରି ଲେଖିଛନ୍ତି ଯେ, ମୁଁ ବହୁତ ବଡ ସାଇବର କ୍ରାଇମ୍ ଠକେଇର ଶିକାର ହୋଇଛି। ମୁଁ ବୟାନ ଜାରି କରି ସବୁ କିଛି ସ୍ପଷ୍ଟ କରି ଦେଉଛି। ଏହା ପରେ ସାମାଜିକ ଗଣମାଧ୍ୟମରେ ଏହି ବିଷୟ ଉପରେ କୌଣସି ଆଲୋଚନା କରିବି ନାହିଁ।
ହାଭାର୍ଡ ପାଇଁ ଛାଡି ଦେଲେ ୨୧ ବର୍ଷ ପୁରୁଣା ଚାକିରି
I have been the victim of a very serious phishing attack. I’m putting this statement out to set the record straight about what I’ve been through. I will not be addressing this issue any further on social media. pic.twitter.com/bttnnlLjuh
— Nidhi Razdan (@Nidhi) January 15, 2021
ନିଧି ନିଜର ବିବୃତ୍ତିରେ କହିଛନ୍ତି, ୨୦୨୦ ଜୁନରେ ମୁଁ ୨୧ ବର୍ଷର ଲମ୍ବା ସାମ୍ବାଦିକତା କ୍ୟାରିୟରକୁ ଅଲବିଦା କହି ଏହା ଘୋଷଣା କରିଥିଲି ଯେ, ମୁଁ ଆଗାମୀ କିଛି ଦିନରେ ହାଭାର୍ଡ ୟୁନିଭର୍ସିଟିରେ ଆସୋସିଏଟ ପ୍ରଫେସର ଭାବେ ଯୋଗ ଦେଉଛି। ମୋତେ ୨୦୨୦ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଥିଲା। ମୁଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି। ପୁଣି ମୋତେ କୁହାଗଲା ଯେ ମହାମାରୀ କାରଣରୁ ୨୦୨୧ ଜାନୁଆରୀରୁ କ୍ଲାସ୍ ଆରମ୍ଭ ହେବ। ଏହା ମଧ୍ୟରେ ମୋ ସହିତ ଚାଲିଥିବା ଯୋଗାଯୋଗ ସମୟରେ କିଛି ତ୍ରୁଟି ଥିବା ଜାଣିବାକୁ ପାଇଲି। ଆରମ୍ଭରେ ମୁଁ ଏହା ଭାବି ଧ୍ୟାନ ଦେଇନଥିଲି ଯେ ମାହାମାରୀରେ ସବୁ ନ୍ୟୁ ନର୍ମାଲ। ହେଲେ ନିକଟରେ ଯାହା କିଛି ଘଟିଲା ତାହା ବହୁତ ଚିନ୍ତାଜନକ ଥିଲା।
ନିଧି କହିଛନ୍ତି, ଏହା ପରେ ସେ ସିଧାସଳଖ ହାଭାର୍ଡ ୟୁନିଭର୍ସିଟିର ବରିଷ୍ଠ ଅଧିକାରୀଙ୍କଠୁ ସ୍ଥିତି ସ୍ପଷ୍ଟ କରିବା ପାଇଁ ଯୋଗାଯୋଗ କରିଥିଲେ। ମୁଁ ସେମାନଙ୍କୁ ପୂରା ଘଟଣାକ୍ରମ ବିଷୟରେ ଜଣାଇଥିଲି ଯାହା ତଥାକଥିତ ୟୁନିଭର୍ସିଟି ପକ୍ଷରୁ ମୋତେ କୁହାଯାଇଥିଲା। ୟୁନିଭର୍ସିଟିର ପକ୍ଷ ଜାଣିବା ପରେ ମୁଁ ଜାଣି ପାରିଥିଲି ଯେ, ମୁଁ ଅଲଗା ପ୍ରକାରର ଠକେଇର ଶିକାର ହୋଇଛି। ବାସ୍ତବରେ ମୋ ପାଖକୁ ହାଭାର୍ଡ ୟୁନିଭର୍ସିଟିରୁ ସାମ୍ବାଦିକତା ବିଭାଗର ଅଧ୍ୟାପକ ହେବାର କୌଣସି ଅଫର ଆସିନଥିଲା।
ନିଧିଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି। ତାଙ୍କ ଟ୍ଵିଟ୍ ପରେ ହାଭାର୍ଡ ଟ୍ଵିଟ୍ରରେ ଟପ୍ ଟ୍ରେଣ୍ଡ କରୁଛି। କେହି କେହି ନିଧିଙ୍କୁ ସହାନୁଭୂତି ଜଣାଉଥିବା ବେଳେ ଆଉ କେହି କେହି ଏହାକୁ ନେଇ ଆଚମ୍ଵିତ ଯେ, ନିଧିଙ୍କ ପରି ଜଣେ ବରିଷ୍ଠ ସାମ୍ବାଦିକା ଏତେ ବଡ ଠକେଇର କେମିତି ଶିକାର ହେଲେ।