୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଭଳି ଥିଲା ଫ୍ରାନ୍ସ ଛୁରିମାଡ଼, ରିଫ୍ୟୁଜିଙ୍କ ଡଙ୍ଗାରେ ଲୁଚି ୟୁରୋପ ଆସିଥିଲା ଆକ୍ରମଣକାରୀ

Published By : Prameya-News7 Bureau | October 30, 2020 IST

ନିଶ୍‌ ୩୦।୧୦: ଭାରତରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଭଳି ଥିଲା ଫ୍ରାନ୍ସ ନିସ୍‌ ସହରରେ ହୋଇଥିବା ଛୁରିମାଡ଼ ଘଟଣା। ମାମଲାର ତଦନ୍ତ କରୁଥିବା ଫରାସୀ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ୨୧ ବର୍ଷ ବୟସ୍କ ଆକ୍ରମଣକାରୀ ଜଣେ ଟ୍ୟୁନିସୀୟ ନାଗରିକ ଓ ସେ ଗତମାସରେ ରିଫ୍ୟୁଜିଙ୍କ ଡଙ୍ଗାରେ ଲୁଚି ୟୁରୋପ ଆସିଥିଲା।  

{"id":353538,"width":577,"height":368,"sizeSlug":"large"}

ନୋଟ୍ରେଡେମ ଗିର୍ଜା ଆକ୍ରମଣ ଘଟଣାରେ ଆକ୍ରମଣକାରୀ ପୋଲିସ ଗୁଳିରେ ଆହତ ହୋଇଛି।  ତା ଅବସ୍ଥା ଏବେ ଗୁରୁତର ଥିବା ଫ୍ରାନ୍ସ ପୋଲିସ କହିଛି। ଆକ୍ରମଣକାରୀକୁ ବ୍ରାହୀମ ଓଇସଇ ଭାବେ ଚିହ୍ନଟ କରାଯାଇଛି। ସେ ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ ଉଦ୍ଦେଶ୍ୟରେ ଆସିଥିବା ବେଳେ ପ୍ରବାସୀଙ୍କ ଡଙ୍ଗାରେ ଇଟାଲୀର ଲେମ୍ପଡ୍ୟୁସାରେ ପହଞ୍ଚିଥିଲା। ସେଠାରେ ରେଡକ୍ରସ ତାକୁ ଡକ୍ୟୁମେଣ୍ଟ ଦେଇଥିଲେ। ସେହି କାଗଜପତ୍ର ଆଧାରରେ ସେ ନିସ୍‌ ସହରରେ ପହଞ୍ଚିବା ସହ ମୃତ୍ୟୁର ତାଣ୍ଡବ ରଚିଛି।

{"id":353539,"width":578,"height":361,"sizeSlug":"large"}

ତେବେ ଆକ୍ରମଣକାରୀ ନିସ୍‌ରେ ଏକାକୀ ନଥିଲା। ଏଭଳି ଆତଙ୍କ ଲାଗି ତାକୁ ସ୍ଥାନୀୟ ପ୍ରୋତ୍ସାହନ ମଧ୍ୟ ମିଳିଥିଲା। ଏ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ପୋଲିସ ତାକୁ ଶରଣ ଦେଇଥିବା ୪୭ ବର୍ଷ ବୟସ୍କ ଜନୈକ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ ତାଙ୍କର ପରିଚୟ ସାମ୍ନାକୁ ଆସିନାହିଁ। ଆକ୍ରମଣକାରୀ ତା କାଣ୍ଡ ଲାଗି ନଟ୍ରାଡେମ ଚର୍ଚ୍ଚକୁ ବାଛିଥିଲା। ସେ ଚର୍ଚ୍ଚକୁ ପ୍ରବେଶ କରିବାମାତ୍ରେ ଜନୈକା ୬୦ ବର୍ଷ ବୟସ୍କା ବୃଦ୍ଧାଙ୍କ ମୁଣ୍ଡ କାଟିଦେଇଥିଲା। ଏହାପରେ ସେଠାରେ ଭିନସେଣ୍ଟ ଲୋକ୍ସ ନାମ୍ନୀ ଜନୈକା ୫୫ ବର୍ଷ ବୟସ୍କା ମହିଳାଙ୍କୁ ଛୁରୀରେ ଆକ୍ରମଣ କରିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଭିନସେଣ୍ଟ ଗତ ୧୦ ବର୍ଷ ହେଲା ଗିର୍ଜାରେ କାର୍ଯ୍ୟକାରିଆସୁଥିଲେ।

{"id":353540,"width":578,"height":324,"sizeSlug":"large"}

ଏହି ଆକ୍ରମଣରେ ସେ ଆଉ ଜଣଙ୍କୁ ମଧ୍ୟ ହତ୍ୟା କରିଛି। ଛୁରିମାଡରେ ଗୁରୁତର ଆହତ ସମ୍ପୃକ୍ତ ବ୍ୟକ୍ତି ଚର୍ଚ୍ଚ ନିକଟରେ ଥିବା କେଫେ ଆଡକୁ ଦୌଡିଥିଲା। ହେଲେ ତାର ମଧ୍ୟ ମୃତ୍ୟୁ ହୋଇଥିଲା। ଆକ୍ରମଣକାରୀ ତାକୁ ବାରମ୍ବାର ଛୁରି ଭୁଷିଥିଲା। ପୋଲିସ ଆକ୍ରମଣକାରୀ ନିକଟରୁ ଏକ ବ୍ୟାଗ୍ ଜବତ କରିଛି। ସେଥିରେ ଗୋଟିଏ କୋରାନ୍‌ ୨ଟି ଫୋନ ଓ ଗୋଟିଏ ପ୍ରାୟ ୧ ଫୁଟର ଛୁରି ମିଳିଛି। ତେବେ ସେ ଏହି ଛୁରିକୁ ଆକ୍ରମଣ ଲାଗି ବ୍ୟବହାର କରିନଥିଲା।

{"id":353541,"width":576,"height":383,"sizeSlug":"large"}

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରନ ଗୁରୁବାର ଚର୍ଚ୍ଚ ପରିଦର୍ଶନ କରିବା ସହ ଏହା ଇସ୍ଲାମ ଆତଙ୍କବାଦ ବ୍ୟତୀତ ଅନ୍ୟକିଛି ନୁହେଁ ବୋଲି କହିଥିଲେ। ଏଣୁ ବଢୁଥିବା ଆତଙ୍କବାଦକୁ ଦୃଷ୍ଟିରେ ରଖି ସାର୍ବଜନିକ ସ୍ଥଳର ସୁରକ୍ଷା କଡ଼ାକଡ଼ି କରିବା ଲାଗି ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିବା ବେଳେ ସେନା ଦ୍ୱାରା ସୁରକ୍ଷା ବ୍ୟବସ୍ଥା କରିବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.