କାଶ୍ମୀର ଛାତ୍ରଙ୍କୁ ଭାରତ ବିରୋଧୀ ଏଜେଣ୍ଡା ଲାଗି ଡିଗ୍ରୀ ଦେଉଛି ପାକିସ୍ତାନ, NIA ଙ୍କ ଚାଞ୍ଚଲ୍ୟକର ରିପୋର୍ଟ

Published By : Prameya-News7 Bureau | March 03, 2021 IST

ନୂଆଦିଲ୍ଲୀ ୩।୩: ପାକିସ୍ତାନ ନିଜର ଭାରତ ବିରୋଧୀ ପ୍ରସଙ୍ଗକୁ ଗତି ଦେବା ପାଇଁ କାଶ୍ମୀର ଛାତ୍ରଙ୍କୁ ଉପଯୋଗ କରୁଥିବାର ପ୍ରଥମ ଥର ଜଣାପଡିଛି। କାଶ୍ମୀର ଉପତ୍ୟାକାର ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ପାକିସ୍ତାନ ମେଡିକାଲ, ଇଞ୍ଜିନିୟରିଂ ଓ ଅନ୍ୟ ପେଷାଦାର ଶିକ୍ଷଣାନୁଷ୍ଠାନରେ ଆଡମିଶନ ଲାଗି ମନୋନୟନ ଓ ଛାତ୍ରବୃତ୍ତି ପ୍ରଦାନ ଏହି ଆଧାରରେ ସ୍ଥିର କରୁଥିବା ଜାତୀୟ ଯାଞ୍ଚ ଏଜେନ୍ସୀ(ଏନଆଇଏ) ଯାଞ୍ଚରୁ ଜଣାପଡିଛି।

ଡାକ୍ତର, ଇଞ୍ଜିନିୟର ହେବାକୁ ପାକିସ୍ତାନ ଯାଉଥିବା ଛାତ୍ରଛାତ୍ରୀଙ୍କୁ ପାକିସ୍ତାନ ବିଛିନ୍ନତାର ପାଠ ପଢାଇ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରିବା ସହ ଆତଙ୍କବାଦୀ ଓ ବିଛିନ୍ନତାବାଦୀରେ ପରିଣତ କରୁଛି। ଜମ୍ମୁ-କାଶ୍ମୀରରେ ଟେରର ଫଣ୍ଡିଙ୍ଗର ଯାଞ୍ଚ ବେଳେ ଏନଆଇଏ ଏହି ତଥ୍ୟ ଉଜାଗର କରିଛି। ଏ ନେଇ ଏନଆଇଏ ଏକ ଅଭିଯୋଗପତ୍ର ଦାଖଲ କରିଥିବା ବେଳେ ଆତଙ୍କବାଦୀ, ହୁର୍ରିୟତ କନଫରେନ୍ସ ଓ ପାକିସ୍ତାନ ସରକାର ମଧ୍ୟରେ ଏକ ତ୍ରିପାକ୍ଷୀକ ଚୁକ୍ତି ହୋଇଥିବାର ଉଲ୍ଲେଖ କରିଛି। ଯେଉଁଥିରେ ପାକିସ୍ତାନ ପ୍ରତି ଆବିଳତା ରଖୁଥିବା ଲୋକଙ୍କ ପିଲାଙ୍କୁ ଡାକ୍ତରୀ, ଇଞ୍ଜିନିୟରିଂ ଆଦି ପଢାଇବା ଲାଗି ପାକିସ୍ତାନ ପଠାଯାଉଥିବା ଜଣାପଡିଛି।

ଏହି ଯାଞ୍ଚରୁ କଠୋରପନ୍ଥୀ ହୁର୍ରିୟତ ନେତା ଶୟଦ ଅଲ୍ଲୀ ଶାହ ଗିଲନୀ ଓ ଉଦାରବାଦୀ ନେତା ମୀରବାଇଜ୍ ମୌଲବୀ ଉମର ଫାରୁକ କାଶ୍ମୀର ଛାତ୍ରଛାତ୍ରୀଙ୍କ ପାକିସ୍ତାନ କଲେଜ ଆଡମିସନ ବ୍ୟବସ୍ଥା କରୁଛନ୍ତି। ସେମାନଙ୍କ ସୁପାରିଶରେ ପାକିସ୍ତାନ ଛାତ୍ରଛାତ୍ରୀଙ୍କୁ ସହଜରେ ଭିସା ଅନୁମତି ପ୍ରଦାନ କରୁଛି। ଏହି ଯାଞ୍ଚରୁ ଯିଏ ବି ପାକିସ୍ତନକୁ ଉଚ୍ଚ ଶିକ୍ଷା ଲାଗି ଯାଇଛି ସେ କୌଣସି ନା କୌଣସି ପୂର୍ବତନ ଆତଙ୍କବାଦୀର ସମ୍ପର୍କୀୟ ଅଥବା ସକ୍ରୀୟ ଆତଙ୍କବାଦୀଙ୍କ ସହ ତାଙ୍କର ସମ୍ପର୍କ ଥିବା ଜଣାପଡିଛି।

ସେହିପରି ହୁର୍ରିୟାତ ନେତା ପାକିସ୍ତାନର ପ୍ରଭାବଶାଳୀ ଲୋକଙ୍କ ପିଲାଙ୍କୁ ପାକିସ୍ତାନରେ ଉଚ୍ଚଶିକ୍ଷା ଦିଆଇଦେବାକୁ ସେମାନଙ୍କ ଠାରୁ ମୋଟା ରକମର ଅର୍ଥ ମଧ୍ୟ ଆଦାୟ କରୁଥିବାର ଏହି ଯାଞ୍ଚ ଉଜାଗର କରିଛି। ସେମାନେ ଉଚ୍ଚଶିକ୍ଷା ଲାଗି ଆଦାୟ କରୁଥିବା ଅର୍ଥର ଏକ ବଡ ଭାଗ ଉପତ୍ୟାକାରେ ଆତଙ୍କବାଦ ଲାଗି ଖର୍ଚ୍ଚ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.