ଗଣଦୁଷ୍କର୍ମ ଓ ଆକ୍ରମଣ ମାମଲା : କେନ୍ଦ୍ରାପଡ଼ା ଜିଲ୍ଲାପାଳ,ଏସ୍‌ପିଙ୍କୁ ହାଜର ପାଇଁ ଏନ୍ଏଚ୍ଆର୍‌ସି ନୋଟିସ୍‍

Published By : Prameya-News7 Bureau | August 28, 2020 IST

କେନ୍ଦ୍ରାପଡ଼ା ୨୮।୦୮ : ନିକିରାଇ ଥାନା ବାରୋ ପଞ୍ଚାୟତ ପୋଇପାଟ ଗ୍ରାମରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ପରିବାର ସଦସ୍ୟଙ୍କୁ ଆକ୍ରମଣ ଘଟଣାକୁ ଗୁରୁତର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆର୍‌ସି) । ଏହି ମାମଲାର ଶୁଣାଣି ପରେ ଏନ୍‍ଏଚ୍‍ଆରସି କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‍ ଓ ଏସ୍‌ପିଙ୍କୁ ଡିସେମ୍ୱର ୨୯ ତାରିଖରେ ଏ ସଂକ୍ରାନ୍ତ ତଦନ୍ତ ରିପୋର୍ଟ ସହ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଦୁଇ ଅଧିକାରୀ ଡିସେମ୍ୱର ୨୨ ସୁଦ୍ଧା କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ବାବଦରେ ରିପୋର୍ଟ ଡିସେମ୍ୱର ୨୨ରେ ଦାଖଲ କରିପାରିବେ ତା’ ହେଲେ ବ୍ୟକ୍ତିଗତ ହାଜିରାରୁ ବର୍ତ୍ତିପାରିବେ ବୋଲି କମିସନ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି।

ସୂଚନା ଅନୁଯାୟୀ ଆଳି ଥାନା କଳସପୁର ଅଞ୍ଚଳର ଜଣେ ଦମ୍ପତି ନିକିରାଇ ଥାନା ଅଧୀନ କେନ୍ଦ୍ରାପଡ଼ା ବ୍ଲକ୍‍ ପୋଇପାଟ ଅଞ୍ଚଳରେ ସ୍ଥାୟୀ ଭାବେ ବସବାସ କରିଆସୁଥିଲେ । ସ୍ୱାମୀ ପୋଷ୍ଟାଲ ଏଜେଣ୍ଟ ଭାବେ କାମ କରିଆସୁଛନ୍ତି। ଦମ୍ପତିଙ୍କର ଦୁଇ ପୁଅ ଥିବାବେଳେ ବେଶ୍‌ ହସଖୁସିରେ ଚାଲୁଥିଲା ସେମାନଙ୍କ ସଂସାର । ସେମାନେ ଯେଉଁ ଜମିରେ ବସବାସ କରୁଥିଲେ ଉକ୍ତ ଜମିର ମାଲିକ ଆକ୍ରୋଶ ପରାୟଣ ହୋଇ ଲୋକ ଲଗାଇ ସେମାନଙ୍କୁ ହଇରାଣ କରିବାକୁ ଚାହୁଁଥିଲେ । ଜୁନ୍‍ ୨୮ ତାରିଖ ବିଳମ୍ୱିତ ରାତିରେ ଦୁର୍ବୃତମାନେ ଲୁହାରଡ୍‌ରେ ଗ୍ରୀଲ୍‌ ଭାଙ୍ଗି ଘରେ ଜୋରଜବରଦସ୍ତ ତାଙ୍କ ଘରେ ପଶିଥିଲେ । ସ୍ୱାମୀ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରି ଅଚେତ କରିଥିଲେ। ତା’ ପରେ ମହିଳାଙ୍କୁ ଉଲଗ୍ନ କରି ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ ।

ଘରେ ପାଟିତୁଣ୍ଡ, ଜୋର୍‌ରେ ଶବ୍ଦ ହେବା ଶୁଣି ତାଙ୍କର ୨ ପୁଅଙ୍କର ନିଦ ଭାଙ୍ଗି ଯିବାରୁ ସେମାନେ ମଧ୍ୟ ଆକ୍ରମଣରୁ ବର୍ତ୍ତିନଥିଲେ । ଉକ୍ତ ଘଟଣାରେ ନିକିରାଇ ପୁଲିସ ମାମଲା ରୁଜୁକରି ୫ ଜଣଙ୍କୁ ଗିରଫ କରିଥିଲେ ବି ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି । ଏହି ମାମଲାରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ନିମନ୍ତେ ଜାତୀୟ ମାନବାଧିକାର କମିସନ (ଏନ୍‍ଏଚ୍‍ଆର୍‌ସି)ଙ୍କ ନିକଟରେ ମାମଲା ଦାଏର କରିଥିଲେ ।

ଉକ୍ତ ମାମଲାର ଶୁଣାଣି ପରେ ଏନ୍‍ଏଚ୍‍ଆରସି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସଂକ୍ରାନ୍ତରେ ବାରମ୍ୱାର ନିର୍ଦ୍ଦେଶ ଓ ରିପୋର୍ଟ ତଲବ ପରେ ମଧ୍ୟ କେନ୍ଦ୍ରାପଡ଼ା ପୁଲିସ କିଛି ତଥ୍ୟ ଦାଖଲ କରିପାରିଲାନି । ଏଭଳି ସମ୍ୱେଦନଶୀଳ ମାମଲାରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବକୁ ଗୁରୁତର ସହ ନେଇ ମାନବାଧିକାର ଆଇନ ଧାରା ୧୩ ଆଧାରରେ ଦୁଇ ଅଧିକାରୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.